ଭଦ୍ରକ ବିଧାନସଭା କ୍ଷେତ୍ର ଠିକ୍ ଠାକ୍ ନାହିଁ ବିଜେଡିର ଆଭ୍ୟନ୍ତରୀଣ ସ୍ଥିତି

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ବିଧାନସଭା କ୍ଷେତ୍ରରେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଠିକ୍ଠାକ୍ ନଥିବା ଆଲୋଚନା ହେଉଛି। ବିଜେଡି ପ୍ରତି ଜନ ସମର୍ଥନ ଅତୁଟ ରହିଥିବା ବେଳେ ଦଳରେ ବିଧାୟକଙ୍କ ବିରୋଧୀଙ୍କ ସଂଖ୍ୟା ବଢିଚାଲିଛି। ପୂର୍ବ ସାଧାରଣ ନିର୍ବାଚନରୁ ଭଦ୍ରକ ବିଧାନସଭା କ୍ଷେତ୍ରରେ ଆଭ୍ୟନ୍ତରୀଣ କନ୍ଦଳକୁ ନେଇ ସମସ୍ୟାରେ ଥିଲା ବିଜେଡି। କିନ୍ତୁ ସେ ସମସ୍ୟାର ସହଜ ସମାଧାନର ପରାକାଷ୍ଠା ଦେଖାଇଥିଲେ ବିଧାୟକ। ସମସ୍ତଙ୍କୁ ଚକିତ କରି ୨୫ ହଜାର ଭୋଟ୍ ବ୍ୟବଧାନରେ ଜିତିଥିଲେ। ବିଜୟ ପରେ ବୟସାଧିକ୍ୟ ବା ଅନ୍ୟ କେଉଁ କାରଣରୁ ହେଉ, ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ଅପେକ୍ଷା ତାଙ୍କ ପୁଅ ଅସିତ୍ ପଟ୍ଟନାୟକ (ବୁଲୁ) ଦଳର ସାଂଗଠନିକ ବ୍ୟାପାର ଅଧିକ ବୁଝୁଛନ୍ତି। ନିଜସ୍ୱ ଶୈଳୀରେ ବୁଲୁ ବିଜେଡିକୁ ଏଠାରେ ପରିଚାଳନା କରୁଥିବା କୁହାଯାଉଛି। ଗତ ସାଧାରଣ ନିର୍ବାଚନରେ ବିପୁଳ ବ୍ୟବଧାନରେ ବିଜୟ ବିଧାୟକଙ୍କ ଗୋଷ୍ଠୀକୁ ଉତ୍ସାହିତ କରିବା ସ୍ୱାଭାବିକ ଥିଲା। ମାତ୍ର ଶକ୍ତିହୀନ ହୋଇପଡିଥିଲେ ବି ନିଜର ସେହି ପୁରୁଣା ବିରୋଧୀ (ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମଳ ଜେନା, ପୂର୍ବତନ କାଉନ୍ସିଲର ପ୍ରଣୟ ଦାସ …) ଙ୍କ ପାଇଁ ବିଧାୟକ ବା ତାଙ୍କ ପୁଅ ଦଳର ଦ୍ୱାର ବନ୍ଦ ରଖିଛନ୍ତି। କିନ୍ତୁ ସେହି ଗୋଷ୍ଠୀ ପୁରା ନିଷ୍କି୍ରୟ ହୋଇ ନାହାଁନ୍ତି ବରଂ ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ବିଧାୟକଙ୍କୁ କଡା ଚାଲେଞ୍ଜ କରିଥିଲେ। ନିଜ ଅନୁଗତ ଥିବା ତଥା ପଂଚାୟତ ସମିତି ଚଳାଉଥିବା ଯୋଗେନ୍ଦ୍ର ଘଡାଇ ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ବିଧାୟକଙ୍କ ବିରୋଧୀୟ ପାଲଟିଥିଲେ। ଯୋଗେନ୍ଦ୍ର-ମଳୟଙ୍କ ଅଦୃଶ୍ୟ ଯୋଗଡି କାଳେ ନିଜ ଗୋଷ୍ଠୀକୁ ଚିତପଟାଙ୍ଗ କରିଦେବେ, ସେଥିଲାଗି ଚିନ୍ତାରେ ଥିଲେ ବିଧାୟକ। ବିଧାୟକଙ୍କ ମନୋନୀତ ପ୍ରାର୍ଥୀଙ୍କ ବଦଳରେ କାଳେ ଯୋଗେନ୍ଦ୍ରଙ୍କୁ ପଂଚାୟତ ସମିତି ଅଧ୍ୟକ୍ଷ ଲାଗି ଅଧିକ ସମର୍ଥନ ମିଳିଯିବ ସେହି ଆଶଙ୍କା ଘାରିଥିଲା ବିଧାୟକଙ୍କ ଶିବିରକୁ। ପରିଣତି ଏମିତି ହେଲା ଯେ ନିଜ ଦଳର ସନ୍ଦିଗ୍ଧ ୭ ସମିତି ସଭ୍ୟଙ୍କୁ ଅଧ୍ୟକ୍ଷ ନିର୍ବାଚନ ବେଳେ ମଇଦାନ ବାହାରେ (ଭୋଟ ଦେବାକୁ ଆସିବାର ବ୍ୟବସ୍ଥା ହେଲାନି) ରଖାଗଲା। ଫଳରେ ଦଳୀୟ ସମର୍ଥନରେ ନିର୍ବାଚିତ ୭ ସମିତି ସଭ୍ୟଙ୍କ ଉପରେ ବିଧାୟକଙ୍କ ଆସ୍ଥା ନଥିବା ପ୍ରମାଣିତ ହୋଇଥିଲା। ସେହି ସମିତିସଭ୍ୟମାନେ ବିଧାୟକଙ୍କ ସାଥୀରେ ଅଛନ୍ତି। ମାତ୍ର ଅଧ୍ୟକ୍ଷ ନିର୍ବାଚନ ବେଳେ ସେମାନଙ୍କ ପ୍ରତି ଅନାସ୍ଥା ଭାବ ଅସନ୍ତୋଷର ରୂପ ନେଇ ଆଗାମୀ ନିର୍ବାଚନ ବେଳେ ପ୍ରତିଫଳିତ ହେବ କି ତାହା ସମସ୍ତଙ୍କ ପାଇଁ ଏକ ଅଡୁଆ ପ୍ରଶ୍ନ। ଭଦ୍ରକ ବିଧାନସଭା ଆସନର କ୍ଷୀରୋଦ ରାଉତ ବା ହେମନ୍ତ ପାଢୀ, କାହାକୁ ଦଳର ଜିଲା ସଭାପତି କରିବାରେ ବିଧାୟକ ବିଫଳ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଭଦ୍ରକ ହିଂସା ଘଟଣାରେ ସାମୟିକ ଭାବେ ବିବାଦୀୟ ହୋଇପଡିଥିବା ବିଧାୟକଙ୍କ ପ୍ରତି ଦଳର ମୁସ୍ଲିମ୍ କମ୍ୟୁନିଟିର କିଛି ସମର୍ଥକଙ୍କ ହାବଭାବ ଚର୍ଚ୍ଚାର ବିଷୟ ହୋଇଛି। ବିଧାୟକଙ୍କ ବିରୋଧୀ କୁହାଯାଉଥିବା ଏକ ଗୋଷ୍ଠୀ ନିକଟରେ ଇଫତାର ପାର୍ଟି ନାଁରେ ମେଳି କରିବା ଘଟଣା ଦଳର ଭିତିରି ରାଜନୀତିକୁ ହଟଚମଟ କରିଥିଲା। ପରେ ଏକ କ୍ଲବ୍ ଜରିଆରେ ଇଫତାର ପାର୍ଟି ଆୟୋଜନ କରିବା, ଦଳର ନେତା ମୁନ୍ନା ଖାଁ ଏବଂ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଙ୍କୁ ମୁସଲିମ୍ ଅଧୁ୍ୟଷିତ ପୁରୁଣା ବଜାର ଇଲାକାକୁ ଡାକି ଇଫତାର ପାର୍ଟି ଓ ସାସଂ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ଘଟଣାରୁ ବିଧାୟକଙ୍କ ଗୋଷ୍ଠୀର ବ୍ୟସ୍ତତା ବୁଝା ପଡିଥିଲା। ଅନୁରୂପ ଭାବେ ମାସକ ତଳେ ଟାଉନ୍ ହଲ୍ରେ ଆୟୋଜିତ ଏକ ଦଳୀୟ ସମାବେଶରେ ବିଧାୟକଙ୍କ ସମର୍ଥକ ଓ ଛାତ୍ର ଯୁବ ବିଜେଡି ସମର୍ଥକଙ୍କ ମଧ୍ୟରେ ହାତାହାତି ଯାଏ କଥା ଯାଇଥିଲା। ଛାତ୍ର ସଭାପତି ତଥାଗତ ସାମଲ, ଯୁବ ବିଜେଡି ସଭାପତି ଦୁର୍ଗା ଦାସ ଖୋଲାଖୋଲି ବିଧାୟକଙ୍କ ପାରିବାରିକ ରାଜନୀତି ଓ ଏକଛତ୍ର ବାଦ ନୀତିକୁ ସମାଲୋଚନା କରି ଗଣମାଧ୍ୟମରେ ବିବୃତି ରଖିବା ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା। ମୋଟାମୋଟି କହିବାକୁ ଗଲେ ଭଦ୍ରକ ବିଧାନସଭା ଆସନରେ ବିଜେଡିର ଅପରାଜେୟ ହୋଇଥିବା ବିଧାୟକଙ୍କ ପ୍ରତି ନିଜ ଦଳରେ ବିରୋଧୀଙ୍କ ସଂଖ୍ୟା ବଢିବଢି ଚାଲିଛି। ହେଲେ ବିଧାୟକ ଏଥିନେଇ ନିର୍ବିକାର ଥିବା ଜଣାପଡିଛି। ସମ୍ଭବତଃ ଦଳ ଭିତରେ ବିରୋଧୀଙ୍କ।କ୍ତିକୁ ମାପି ସାରିଛନ୍ତି ବିଧାୟକ।

Leave a Reply

Your email address will not be published. Required fields are marked *