ଜିଲ୍ଲା ପରିକ୍ରମା

ଭଦ୍ରକ : ବିକାଶ ବଦଳରେ ବିନାଶ ହୋଇଛି: ବଦ୍ରି ଧଳ ଫେବୃଆରୀ ୬ରେ ବିଜେପିର ଆନ୍ଦୋଳନ

ଭଦ୍ରକ, ୨୯ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ବନ୍ତ ବ୍ଲକରେ ବିକାଶ ବଦଳରେ ବିନାଶ ହୋଇଛି। ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କେନ୍ଦୁଆପଦା ନିକଟସ୍ଥ ଆମ୍ପୋରଠାରେ ଅନୁଷ୍ଠିତ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଜିଲା ସଭାପତି ବଦ୍ରି ନାରାୟଣ ଧଳ ଅଭିଯୋଗ କରିଛନ୍ତି। ବରଡେଶ୍ୱର ମଣ୍ଡଳ ସଭାପତି ଗୌରହରି ନନ୍ଦଙ୍କ ସଭାପତିତ୍ୱରେ ଉପସ୍ଥିତ ନେତୃବୃନ୍ଦ ସ୍ଥାନୀୟ ବିଧାୟକଙ୍କ ପାରିବାରପଣିଆ ପ୍ରତି ଅଙ୍ଗୁଳି ନିର୍ଦେଶ କରିଛନ୍ତି। ସ୍ଥାନୀୟ ବିଧାୟକ ତଥା ବର୍ତ୍ତମାନର ମନ୍ତ୍ରୀ ନିର୍ବାଚନୀ ସମୟରେ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ବାସ୍ତବରେ ଦିବାସ୍ୱପ୍ନ ପାଲଟିଛି। ବନ୍ତ ବ୍ଲକରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଦମକଳ କେନ୍ଦ୍ର, ଟ୍ରେଜେରୀ ଅଫିସ ଭଳି ବହୁ ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଯାଇଛି ବୋଲି ଶ୍ରୀ ଧଳ ତାଙ୍କ ବକ୍ତବ୍ୟରେ କହିଛନ୍ତି। ଏଠାରେ ସ୍ଥାନୀୟ ରାଜନେତାଙ୍କ ଇଙ୍ଗିତରେ ପେଟି ଠିକାଦାରଙ୍କ ଦ୍ୱାରା ଉନ୍ନୟନମୂଳକ କାର୍ଯ୍ୟ କରାଯାଉଥିବାରୁ ଏଠାକାର ଅଞ୍ଚଳରେ ରାସ୍ତା ଏବଂ ପକ୍କାଗୃହ ଗୁଡିକ ଖୁବ କମ୍ ଦିନ ମଧ୍ୟରେ ଭାଙ୍ଗିରୁଜି ଯାଉଥିବାର ପରିଲକ୍ଷିତ ହେଉଛି। ସେଥିପ୍ରତି ସ୍ଥାନୀୟ ଲୋକପ୍ରତିନିଧି ଓ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କର ନିଘା ନାହିଁ ବୋଲି ମଣ୍ଡଳ ପ୍ରଭାରୀ ପ୍ରଦୀପ୍ତ ବିଶ୍ୱାଳ, ଦଳୀୟ ଜିଲା ପରିଷଦ ପ୍ରାର୍ଥୀ ବନମାଳୀ ଜେନା, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶଙ୍କର୍ଷଣ ଜେନା, ରାଜୀବ ଲୋଚନ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ଏହି ସବୁ ସ୍ଥାନୀୟ ସମସ୍ୟାକୁ ନେଇ ଦଳ ଫେବୃଆରୀ ୬ରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ଧଳ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭାଗବତ ସୂତାର, ଇଂ ପ୍ରମୋଦ କୁମାର ଜେନା, ଶୁଭକାନ୍ତ ଜେନା, ପୁରସ୍ତମ ମିଶ୍ର, ନିରଞ୍ଜନ ଭୁୟାଁ, ନବକିଶୋର ବଳ, ତାପସ ଖଣ୍ଡେଇ, ହରେକୃଷ୍ଣ ସେନାପତିଙ୍କ ସମେତ ମଣ୍ଡଳ ପଦାଧିକାରୀ, ଶକ୍ତିକେନ୍ଦ୍ର ପ୍ରମୁଖ ଓ ସହପ୍ରମୁଖ, ମୋର୍ଚ୍ଚାର ପଦାଧିକାରୀ, ବୁଥ ସଭାପତି ଓ ପ୍ରଭାରୀ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top