ଭଦ୍ରକ – ବିକାଶରେ ବାଧକ ସାଜିଛନ୍ତି ସ୍ଥାନୀୟ ବିଧାୟକ: ବିଜେପି

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଭଣ୍ଡାରିପୋଖରୀର ବିକାଶରେ ସ୍ଥାନୀୟ ବିଧାୟକ ଓ ରାଜ୍ୟ ସରକାର ବାଧକ ସାଜିଛନ୍ତି। ନିଜର ବ୍ୟକ୍ତିଗତ ସଂପତ୍ତି ବଢାଇବାରେ ସଫଳ ହୋଇଥିବା ସ୍ଥାନୀୟ ବିଧାୟକ ତଥା ଏବର ମନ୍ତ୍ରୀ ଭଣ୍ଡାରିପୋଖରୀ ଅଞ୍ଚଳର ବିକାଶ କ୍ଷେତ୍ରରେ ବିଫଳ ହୋଇଛନ୍ତି ବୋଲି ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ବିଜେପି ସଭାପତି ତଥା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ଦଳୀୟ ନେତା ବଦ୍ରିନାରାୟଣ ଧଳ ଅଭିଯୋଗ କରିଛନ୍ତି। ଭଣ୍ଡାରିପୋଖରୀ ଅଞ୍ଚଳବାସୀଙ୍କ ଦୁଃଖ, ବୈତରଣୀ ନଦୀରେ ବନ୍ୟାର ସ୍ଥାୟୀ ପ୍ରତିକାର ସ୍ୱପ୍ନରେ ରହିଯାଇଛି। ଭଣ୍ଡାରିପୋଖରୀରେ ସ୍ୱାସ୍ଥ୍ୟ ସେବା ସଂପୂର୍ଣ୍ଣ ଭୁଷୁଡି ପଡିଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଏହି ବ୍ଲକରେ ଥିବା ୬ଟି ଏଲୋପ୍ୟାଥୀକ, ଏକମାତ୍ର ହୋମିଓପାଥୀକ ଓ ଦୁଇଟି ଆୟୁର୍ବେଦିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ସାଙ୍ଗକୁ ନିରାମୟ ଯୋଜନାରେ ଆସୁଥିବା ମାଗଣା ଔଷଧକୁ ରୋଗୀଙ୍କୁ ଦିଆ ନ ଯାଇ ବ୍ୟବସାୟୀକରଣ କରାଯାଉଛି। ଗମନା ଗମନ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣରେ ଅହେତୁକ ବିଳମ୍ବ ଓ ନିମ୍ନମାନର ନିର୍ମାଣ କାର୍ଯ୍ୟ ପାଇଁ ଶାସକ ଦଳୀୟ କର୍ମୀ ଓ ଠିକାଦାରଙ୍କର ପ୍ରଚ୍ଛନ୍ନ ହାତ ରହିଛି। ବ୍ଲକର ପ୍ରମୁଖ ରାସ୍ତା ଛତାବର-ନିଳୋକ ଓ ବ୍ଲକ ହେଡ୍କ୍ୱାର୍ଟରରୁ କୁଲଣା ରାସ୍ତା ଏହାର ଏକ ଜ୍ୱଳନ୍ତ ଉଦାହରଣ ଓ ଏହି ତାଲିକା ସୁଦୀର୍ଘ। ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି ଥିଲେ ମଧ୍ୟ ଏଥିପ୍ରତି ଅବହେଳା ପ୍ରଦର୍ଶନ କରାଯାଇଛି। ପାହିମହୁରାଠାରେ ଚିନିକଳ ପ୍ରତିଷ୍ଠା କରାଇ ନ ଦେବାକୁ ବିଧାୟକ ଷଡଯନ୍ତ୍ର ରଚନା କରିଛନ୍ତି। ଏଠାରେ ଚିନିକଳର ସ୍ୱପ୍ନ ଚାଷୀ ଓ ବେରୋଜଗାରଙ୍କ ପାଇଁ ଆନନ୍ଦ ପରିବର୍ତ୍ତେ ଉପହାସ ପାଲଟିଛି। ବିଜୁଳି ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। ଅଘୋଷିତ ବିଦ୍ୟୁତକାଟ ଓ ଲୋ-ଭୋଲଟେଜ ସମସ୍ୟାରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ରାଢୋ ଓ ବିଶୋଳ ଠାରେ ନିର୍ମାଣାଧୀନ ବିଦ୍ୟୁତ ସବ୍-ଷ୍ଟ୍ରକ୍ଚର କାର୍ଯ୍ୟକ୍ଷମ ହେବାରେ ଅହେତୁକ ବିଳମ୍ବ କରାଯାଉଛି। ସ୍ଥାନୀୟ ବିଧାୟକ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ ହେଁ, ଏହି ବିଭାଗରେ ଦୁର୍ନୀତି ସୀମା ଲଂଘନ କରିଛି ବୋଲି ଶ୍ରୀଧଳ ଗୁରୁତର ଆରୋପ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ବସନ୍ତ କୁମାର ରାଉତ, ନିର୍ମଳ କର, ସୂର୍ଯ୍ୟମଣୀ ରାଉତ, ମଣ୍ଡଳ ସଭାପତି ଜଗବନ୍ଧୁ ଦାସ, ପ୍ରଦୀପ ସାହୁ, ମୁକୁନ୍ଦ ଚରଣ ମଲ୍ଲିକ, ସତ୍ୟବ୍ରତ ଦାସ, ସୁରେଶ ସାମଲ, ସଶ୍ମିତା ବାରିକ, ମାନସ ଜେନା, ସୁଶାନ୍ତ ମହାପାତ୍ର, ପ୍ରେମାନନ୍ଦ ନାୟକ, ଅଜୟ ରାଉତ, ରାଜେଶ ସାମଲ, ମୃତ୍ୟୁଞ୍ଜୟ ସେନାପତି, କମଳ କୁମାର ନନ୍ଦ, ଲଳିତା ସେନାପତି, ତପସ୍ୱନୀ ମହାପାତ୍ର, ପ୍ରକାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *