ଭଦ୍ରକ : ବାସୁଦେବପୁର ଡାକ୍ତରଖାନାରୁ ମୁହଁ ଫେରାଉଛନ୍ତି ରୋଗୀ! ୫ ଡାକ୍ତର ପଦ ଖାଲି, ରୋଗୀଙ୍କୁ ମିଳୁନି ସେବା

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ସାମ୍ପ୍ରତିକ ସ୍ଥିତିରେ ଲୋକଙ୍କ ମୌଳିକ ଆବଶ୍ୟକତା ଭିତରୁ ସ୍ୱାସ୍ଥ୍ୟସେବାକୁ ସରକାର ଅଧିକ ଗୁରୁତ୍ୱ ଦେଇଆସୁଛନ୍ତି। ହାତ ପାଆନ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା କହୁଛନ୍ତି। ହେଲେ ସରକାରଙ୍କ ଏହି ଦୃଢୋକ୍ତି ସତ୍ତ୍ୱେ ଏହି ଜିଲାର ବାସୁଦେବପୁର ଡାକ୍ତରଖାନାରେ ବର୍ଷ ବର୍ଷ ଧରି ୫ଟି ବିଭାଗର ଡାକ୍ତର ପଦବି ଖାଲି ପଡିଛି। ଫଳରେ ଚିକିତ୍ସା ସେବା ନପାଇ ଡାକ୍ତରଖାନା ଉପରୁ ବହୁ ରୋଗୀ ମୁହଁ ଫେରାଉଥିବା ଅଭିଯୋଗ ହେଉଛି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ବି ବିଭଗୀୟ ଉଚ୍ଚ ଅଧିକାରୀଙ୍କ ନଜର ନପଡିବା ଅଞ୍ଚଳବାସୀଙ୍କ କ୍ଷୋଭର କାରଣ ସାଜିଛି। ବାସୁଦେବପୁର ବ୍ଲକରେ ଥିବା ୩୬ ପଞ୍ଚାୟତ ସମେତ ପୌରାଞ୍ଚଳ ୨୩ ୱାର୍ଡର ଲୋକ ସ୍ୱାସ୍ଥସେବା ପାଇଁ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ଏହା ସହିତ ଧାମରାରୁ ଆରମ୍ଭ କରି ସିମୁଳିଆ ଓ ସୋର ଅଞ୍ଚଳର ଜନସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଏହି ଡାକ୍ତରଖାନାକୁ ଆସିଥାନ୍ତି। ମାତ୍ର ଦୁଃଖର କଥା, ଗୁରୁତ୍ୱ ବହନ କରୁଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ, ସ୍ତ୍ରୀ ଓ ପ୍ରସୂତି ଏବଂ ମେଡିକାଲ ଇନଚାର୍ଯଙ୍କୁ ବାଦ୍ ଦେଲେ ମେଡିସିନି, ସର୍ଜରୀ, ନିଶ୍ଚେତକ, ଦନ୍ତ ଚିକିତ୍ସକ, ଚକ୍ଷୁ ସହାୟକ ପଦବି ଖାଲି ପଡିଛି। ମାତ୍ର ତିନି ଜଣ ଡାକ୍ତର ଡାକ୍ତରଖାନା ଚଳାଉଛନ୍ତି। ସେଥି ମଧ୍ୟରୁ ଡାକ୍ତରଖାନା ଡାକ୍ତର ଭଜହରି ସାହୁଙ୍କୁ ବାଦ୍ ଦେଲେ ଶିଶୁ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସେବା ଦେଉଛନ୍ତି। ଡାକ୍ତରଖାନା ଅଞ୍ଚଳର ଲୋକସଂଖ୍ୟା ଓ ଆୟତନକୁ ନଜର କଲେ ସେବା ଯୋଗାଉଥିବା ଡାକ୍ତରମାନଙ୍କୁ ନାକେଦମ ହେବାକୁ ପଡୁଛି। ଉପଯୁକ୍ତ ସେବା ମିଳୁ ନଥିବାରୁ କେତେକ ରୋଗୀ ବାଲେଶ୍ୱର ଓ ଭଦ୍ରକ ଯିବାକୁ ବାଧ୍ୟ ହେଉଛନ୍ତି। ସୂଚନା ଅନୁସାରେ, ମେଡିସିନି ବିଭାଗ ଡାକ୍ତର କରୁଣାକର ବିଶ୍ୱାଳଙ୍କର ଜିଲା ମୁଖ୍ୟ ଚିକିତ୍ସାଳକୁ ବଦଳି ପରେ ୨୦୧୫ ମସିହା ଅପ୍ରେଲ ୨୨ରୁ ଏହି ପଦବି ଖାଲି ପଡିଛି। ସେହିପରି ସର୍ଜରୀ ବିଭାଗର ଡାକ୍ତର ସପନ କୁମାର ଦାସଙ୍କ ଚଳିତ ବର୍ଷ ଫେବୃୟାରୀ ୧୨ରେ ବଦଳି ହୋଇଥିଲା। ଆଜି ପର୍ଯ୍ୟନ୍ତ ଏହି ପଦବି ଖାଲିଡିଛି। ଅନୁରୂପ ଭାବେ ୨୦୧୭ ମସିହା ଜାନୁଆରୀ ୨୫ରୁ ନିଶ୍ଚେତକ ବିଭାଗର ଡ. ଭୀଷ୍ମ ପରିଡା, ୨୦୧୬ ମଇ ମାସ ୧୭ରୁ ଦନ୍ତ ଚିକିତ୍ସ କ ଡ. ମୌସୁମୀ ସାହୁ ଓ ୨୦୧୫ ମସିହା ନଭେମ୍ବର ୧୮ରୁ ଚକ୍ଷୁ ସହାୟକ ଡ. ମିର୍ଜା ଆଜମଦ ବେଗଙ୍କର ବଦଳି ପରେ ଏହି ପଦବି ଖାଲି ପଡିଛି। ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ ଏହି ବିଭାଗରେ ଉପଯୁକ୍ତ ଚିକିତ୍ସ। ସେବା ମିଳୁ ନଥିବାରୁ ସଂପର୍କୀୟମାନେ ରୋଗୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ଜିଲା ବାହାରକୁ ନେଇଯିବା ଲାଗି ଉଚିତ ମଣୁଛନ୍ତି। ୩୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାର ରୋଗୀଙ୍କ ସମସ୍ୟା ପ୍ରତି ସ୍ଥାନୀୟ ରାଜନେତାଙ୍କର କିମ୍ବା ସ୍ୱାସ୍ଥ୍ୟ ବିଭାଗର ନଜର ପଡୁନି। କେବଳ ଭାଗ୍ୟକୁ ଆଦରି ଅଞ୍ଚଳବାସୀ ତିନି ଡାକ୍ତରଙ୍କୁ ଭରସା କରିଆସୁଛନ୍ତି। ତେବେ ଡାକ୍ତର ନିଯୁକ୍ତି ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକୁ ପ୍ରଥମେ ଗୁରୁତ୍ୱ ଦିଆଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସ।ଧିକାରୀ କହିଛନ୍ତି। ତେବେ ବାସୁଦେବପୁର ଡାକ୍ତରଖାନାରେ ଖାଲି ପଡିଥିବା ଡାକ୍ତର ପଦବି କେବେ ପୂରଣ ହେଉଛି ଆଉ ରୋଗୀଙ୍କୁ ଉପଯୁକ୍ତ ସେବା କେବେ ମିଳୁଛି ତାହା ସମୟ କହିବ।

Leave a Reply

Your email address will not be published. Required fields are marked *