ଭଦ୍ରକ : ବାଲିପୋଖରୀ ଏସକେପର ସ୍ଥାୟୀ ଟେଣ୍ଡର ଦାବି

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବାଲିପୋଖରୀ ଏସକେପର ସ୍ଥାୟୀ ମରାମତି ପାଇଁ ଟେଣ୍ଡର ଡାକିବାକୁ ନେଇ ବିଭାଗୀୟ ଟାଳଟୁଳ ନୀତିର ପ୍ରତିବାଦରେ ଆନ୍ଦୋଳନ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଏକ ସ୍ମାରକପତ୍ର ଦେଇଥିବା ଜଣାଯାଇଛି। ଆଖୁଆପଦା ଜଳସଂପଦ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଜରିଆରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଏହି ସ୍ମାରକପତ୍ରରେ ବିଭାଗର କାଳକ୍ଷେପଣ ନୀତିକୁ ଦାୟୀ କରାଯାଇଛି। ୪ ବର୍ଷ ପୂର୍ବେ ଅନୁରୂପ ଭାବେ ଆନ୍ଦୋଳନ ପରେ ଆଲୋଚନା କରି ସ୍ଥାୟୀ ମରାମତି ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ନାମକୁ ମାତ୍ର ନକ୍ସା ପ୍ରସ୍ତୁତ କରି ଗତ ଚାରି ବର୍ଷ ଧରି ସରକାର ଭଣ୍ଡାଇ ଚାଲିଛନ୍ତି। ଏଥିଯୋଗୁଁ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଜଳସଂପଦ ବିଭାଗ ଇଚ୍ଛାକୃତ ଭାବେ ବୈତରଣୀ ନଦୀର ବାମପାର୍ଶ୍ୱ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଥିବାରୁ ସଂପୃକ୍ତ ଅଞ୍ଚଳବାସୀ ବନ୍ୟା ବିପର୍ଯ୍ୟୟର ସମ୍ମୁଖିନ ହେଉଛନ୍ତି। ତକ୍ରାଳୀନ ଜଳସଂପଦ ସଚିବଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରତିଶ୍ରୁତିରୁ ଓହରି ଯାଇ ଏବେ ଏସକେପର ମରାମତି ପାଇଁ ୪୪ ଲକ୍ଷ ଟଙ୍କାର ଅସ୍ଥାୟୀ ଟେଣ୍ଡର କରାଯାଇଛି। ହେଲେ ଏହାର ସ୍ଥାୟୀ ମରାମତି ପାଇଁ ବ୍ୟୟ ବରାଦ ୪ କୋଟି ଟଙ୍କାରୁ ଯାଇ ୭ କୋଟି ଟଙ୍କା ଅଟକଳରେ ପହଞ୍ଚିଲାଣି। ମାତ୍ର ବୈଷୟିକ କମିଟି ଅନୁମୋଦନ ନାମରେ ସ୍ଥାୟୀ ଟେଣ୍ଡର ନକରି କେବଳ ଅଞ୍ଚଳବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଏପରି କରାଯାଉଛି ବୋଲି ଅଭିଯୋଗ ହୋଇଛି। ଏଥିପାଇଁ ଆଞ୍ଚଳିକ ବନ୍ୟା ସୁରକ୍ଷା କମିଟି ଆନ୍ଦୋଳନ ନିଷ୍ପତ୍ତି ନେଇଛି। ଆଗାମୀ ୨୫ ତାରିଖ ସୁଦ୍ଧା ଏସକେପର ସ୍ଥାୟୀ ମରାମତି ପାଇଁ ଟେଣ୍ଡର ଆହ୍ୱାନ କରା ନଗଲେ ଆଖୁଆପଦା ଜଳସଂପଦ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି କମିଟି ଜଣାଇଛି। ବାଲିପୋଖରୀ ସରପଞ୍ଚ ରଞ୍ଜୁଲତା ସେଠୀ, ହରେକୃଷ୍ଣ ପଣ୍ଡା, ହରେକୃଷ୍ଣ ନାୟକ, ଶିଶିର ମହାପାତ୍ରଙ୍କ ସମେତ ଶତାଧିକ ସ୍ୱାକ୍ଷରକାରୀ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ ବୈଷୟିକ କମିଟିର ଅନୁମୋଦନ କ୍ରମେ କାର୍ଯ୍ୟ କରାଯିବ ବୋଲି ମତ ରଖିଛନ୍ତି।

Leave a Reply

Your email address will not be published. Required fields are marked *