ଭଦ୍ରକ : ବାରୋ ଗ୍ରାମ୍ୟ ଅଣଓସାରିଆ ରାସ୍ତାରୁ ମୁକ୍ତି ଦେବେ ମୁକ୍ତିକାନ୍ତ ବାଇପାସ ରାସ୍ତା ନିର୍ମାଣ ପାଇଁ ବିଧାୟକଙ୍କ କ୍ଷେତ୍ର ପରିଦର୍ଶନ

ଭଦ୍ରକ, ୫ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ବ୍ଲକ୍ ବାରୋ ବଜାରରୁ ବୋଡକ-ଦୋଳସାହି ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ଲମ୍ବିଥିବା ପଞ୍ଚାୟତ ରାସ୍ତାଟି ଅତ୍ୟନ୍ତ ଅଣଓସାରିଆ। ଏହା ଗାଁ ମଧ୍ୟ ଦେଇ ଯାଇଥିବା ବେଳେ ଗୋଟିଏ କାର ଯିବା ମଧ୍ୟ କଷ୍ଟକର ବ୍ୟାପାର। ଯଦି ମୁହାଁମୁହିଁ ଦୁଇଟି କାର ହୋଇଗଲା ତେବେ କଥା ସରିଲା। ଏଭଳି ଏକ ସମସ୍ୟାକୁ ନେଇ ଏହି ରାସ୍ତାରେ ଯାତାୟାତ କରୁଥିବା ଶହଶହ ଜନସାଧାରଣ ଜୁଝୁଥିବା ବେଳେ ଏଥିରୁ ମୁକ୍ତି ଦେବା ପାଇଁ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉଦ୍ୟମ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ପଦକ୍ଷେପ ସ୍ୱରୂପ ବିଧାୟକଙ୍କ ସମେତ ବହୁ ଲୋକ ଓ ବିଭାଗୀୟ ଅଧିକାରୀ ଦୀର୍ଘ ରାସ୍ତା ପାଦରେ ଚାଲିଚାଲି ଏହି ରାସ୍ତା ନିର୍ମାଣ ପାଇଁ କ୍ଷେତ୍ର ପରିଦର୍ଶନ କରିଛନ୍ତି। ବିଧାୟକ ଶ୍ରୀ ମଣ୍ଡଳ, ପୂର୍ବତନ ଚାନ୍ଦବାଲି ବିଧାୟକ ତଥା ଏହି ଅଞ୍ଚଳର ଅଧିବାସୀ ବିଜୟ ନାୟକ, ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ମହାନ୍ତି ପ୍ରମୁଖ ବାରୋ ପଞ୍ଚାୟତର ଖଡିମାହାରା ଛକଠାରୁ ବିଲଣା ଡାକ୍ତରଖାନା ପର୍ଯ୍ୟନ୍ତ ପ୍ରାୟ ଏକ କିମି ଦୈର୍ଘ୍ୟର ପ୍ରସ୍ତାବିତ ରାସ୍ତା ଚିହ୍ନଟ କରିଥିଲେ। ଏହି ରାସ୍ତା ଖଡିମାହାରା ଛକରୁ ବାହାରି ନାଳିଆ ନଦୀ କୂଳେକୂଳେ ଗତି କରିବ ଓ ନାଆକାଣୀ ମନ୍ଦିର ପଛ ପଟେ ଯାଇ ବିଲଣା ଡାକ୍ତରଖାନା ନିକଟରେ ବୋଡକ ଦୋଳସାହି ପୂର୍ତ୍ତ ବିଭାଗ ରାସ୍ତାକୁ ଛୁଇଁବ। ଏହି କ୍ଷେତ୍ରୀୟ ତଦନ୍ତରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ତଥା ଜିଲାପରିଷଦ ସଭ୍ୟ ଚିନ୍ତାମଣି ଦାସ, ବିଭାଗୀୟ ଉପଖଣ୍ଡ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ପୂର୍ବତନ ସରପଞ୍ଚ ହରେକୃଷ୍ଣ ଜେନା, ବାରୋ ସରପଞ୍ଚ ଭାଗିରଥି ମଳିକ, ସମିତି ସଭ୍ୟାଙ୍କ ପ୍ରତିନିଧି ଶରତ ମଳିକ, ପୂର୍ବତନ ସମିତି ସଭ୍ୟ ଆଲୋକ କୁମାର ଦାସ, ବାରୋ ସମିତି ସଭ୍ୟ ପ୍ରଦୀପ ମହାଳିକ, ବୋଡକ ସରପଞ୍ଚ ଶଶଧର ସାମଲ ପ୍ରମୁଖ ବହୁ ଲୋକପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ରହି ରାସ୍ତାକୁ କିରି ଅଧିକ ଉନ୍ନତ କରାଯାଇପାରିବ ସେ ସଂପର୍କରେ ମତାମତ ଦେଇଥିଲେ। ରାସ୍ତାର ବହୁ ଅଂଶ ସରକାରୀ ଜାଗାରେ ଯିବ। ଯଦି କୌଣସି ଘରୋଇ ଜାଗା ରାସ୍ତା ପାଇଁ ଆବଶ୍ୟକ ହୁଏ ତେବେ ତାହାକୁ ଛାଡି ଦେବେ ବୋଲି ଉପସ୍ଥିତ ଲୋକେ ପ୍ରତିଶ୍ରୁତି ଦେଇଛନ୍ତି। ରାସ୍ତା ନିର୍ମାଣ ପାଇଁ ନାଳିଆ ନଦୀରେ ଏକ ବ୍ରିଜ ନିର୍ମାଣ ହେବ ଓ ବିଜୁ ସେତୁ ଯୋଜନାରେ ଏହାକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ବିଧାୟକ ସୂଚନା ଦେବା ସହ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ସରକାରଙ୍କ ନିକଟକୁ ପଠାଯିବ ଓ ଏହା ମଞ୍ଜୁର ହେବା ପରେ ରାସ୍ତା ନିର୍ମାଣ ଖୁବ ଶୀଘ୍ର ହେବ ବୋଲି ବିଧାୟକ କହିଥିଲେ। ଆହୁରି ମଧ୍ୟ ଏହି ରାସ୍ତା ପାଇଁ ୩ ଗୋଟି କଲଭର୍ଟ ନିର୍ମାଣ କରାଯିବ। ସୂଚନାଯୋଗ୍ୟ; ଧାମନଗର ନିର୍ବାଚନ ମଣ୍ଡଳୀରୁ ମଙ୍ଗଳପୁର ଦେଇ ତିହିଡି ଆସିବା ପାଇଁ ଲୋକେ ଦୀର୍ଘ ରାସ୍ତା ଅତିକ୍ରମ କରୁଥିବା ବେଳେ ଏହି ନୂତନ ରାସ୍ତା ନିର୍ମାଣ ହୋଇଗଲେ ପ୍ରାୟ ୧୦ କିମିରୁ ଊର୍ଦ୍ଧ୍ୱ ରାସ୍ତା କମ ହୋଇଯିବ ବୋଲି ଜଣାଯାଇଛି। ଏହି ପ୍ରସ୍ତାବିତ ରାସ୍ତା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଦୀର୍ଘବର୍ଷ ହେଲା ଜନସାଧାରଣ ଦାବି କରିଆସୁଥିବା ବେଳେ ଏହି କ୍ଷେତ୍ରୀୟ ପରିଦର୍ଶନ ଲୋକଙ୍କ ମନରେ ରାସ୍ତା ହେବ ବୋଲି ବିଶ୍ୱାସ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *