ଜିଲ୍ଲା ପରିକ୍ରମା

ଭଦ୍ରକ : ବାଟ ହୁଡିଛି ଅଙ୍ଗନୱାଡି ଯୋଜନା ସୁପରଭାଇଜର ନିଯୁକ୍ତି ଦିଆଯାଉନି, ଆଶାୟୀ କର୍ମୀ ହତାଶ

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାରେ ଅଙ୍ଗନୱାଡି କେନ୍ଦ୍ରଗୁଡିକ ତଦାରଖ କରିବା ପାଇଁ ସରକାରଙ୍କ ପକ୍ଷରୁ ସୃଷ୍ଟି କରାଯାଇଥିବା ସୁପରଭାଇଜର ପଦବୀଗୁଡିକ ଖାଲି ପଡିଛି। ପ୍ରଶାସନ ପକ୍ଷରୁ ୨୦୧୨ ମସିହାରୁ ପ୍ରସ୍ତୁତ ହୋଇଥିବା ପେନାଲ ଲିଷ୍ଟକୁ ଚାପି ଦିଆଯାଇଛି। ସୁପରଭାଇଜର ପେନାଲ ଲିଷ୍ଟକୁ ଗୋପନ ରଖିବା ପଛରେ ଜିଲା ସମଜ ମଂଗଳ ବିଭାଗର ମନ୍ଦ ଉଦ୍ଦେଶ୍ୟ ପଦାରେ ପଡିଛି। ପ୍ରଶାସନ ଜାଣିଶୁଣି ଏଇ ପଦବୀ ପୂରଣ କରୁନାହିଁ ବୋଲି ଜିଲା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ବହୁ ଉଚ୍ଚଶିକ୍ଷିତା କର୍ମୀ ସୁପରଭାଇଜର ପଦବୀ ପାଇଁ ଅପେକ୍ଷା କରିଥିଲେ ମଧ୍ୟ ସେମାନଙ୍କୁ ହତାଶ ହେବାକୁ ପଡିଛି। ପ୍ରାୟ ୨୦/୨୫ ବର୍ଷ ହେଲା କେବଳ କର୍ମୀ ଭାବେ ଚାକିରୀ କରି ଆସୁଥିଲେ ମଧ୍ୟ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ଓ ଚାକିରୀରୁ କାର୍ଯ୍ୟକାଳ ଅନୁଯାୟୀ ପଦନ୍ନୋତି ଦିଆଯାଉନାହିଁ। ଖାଲି ପଡିଥିବା ସୁପରଭାଇଜର ପଦବୀଗୁଡିକରେ କର୍ମୀମାନଙ୍କୁ ନିଯୁକ୍ତି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ଅଭିଯୋଗ ଅନୁଯାୟୀ ସୁପରଭାଇଜର ପଦବୀ ଖାଲି ପଡିଥିବାରୁ କେନ୍ଦ୍ରଗୁଡିକର ତଦାରଖ ଠିକ୍ ଭାବେ ହୋଇପାରୁନାହିଁ। ଜିଲା ସମାଜ ମଙ୍ଗଳ ବିଭାଗର ଏଇ ମେରୀ ରାୟ ନୀତି ଆଉ କେତେ ଦିନ ଚାଲିବ ବୋଲି କର୍ମୀ ମହଲରେ ପ୍ରଶ୍ନ ଉଠିଛି। କେନ୍ଦ୍ରକୁ ଆସୁଥିବା ଛତୁଆ ଓ କୋମଳମତି ଛାତ୍ରଛାତ୍ରୀଙ୍କ ଖାଦ୍ୟକୁ ଲୁଟ୍ କରୁଥିବା ବିଭାଗ ସୁପର ଭାଇଜର ପୂରଣ ଉପରେ ଧ୍ୟାନ ଦେଉନାହାଁନ୍ତି। ସୁପରଭାଇଜର ଫାଇଲ୍ ଚାପି ରଖିବା ପଛରେ ବିଭାଗୀୟ ଅଧିକାରୀଙ୍କର ଚକ୍ରାନ୍ତ ରହିଛି ବୋଲି ସବୁଠି ଚର୍ଚ୍ଚା ଚାଲିଛି। ତତ୍କାଳୀନ ଭଦ୍ରକ ଜିଲାପାଳ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମୟରେ ଜିଲାରେ କର୍ମୀଙ୍କର ଯୋଗ୍ୟତା ଓ ଚାକିରୀ କାଳକୁ ଭିତ୍ତିକରି ଏକ ଜିଲାସ୍ତରୀୟ ସୁପରଭାଇଜର ତାଲିକା ପ୍ରସ୍ତୁତ ହୋଇଥିଲା। ପ୍ରସ୍ତୁତ ତାଲିକା ଅନୁଯାୟୀ ଯେଉଁମାନଙ୍କର ପେନାଲ ଲିଷ୍ଟରେ ରହିଥିଲା, ସେମାନଙ୍କୁ ଏବେ ସୁଦ୍ଧା ନିଯୁକ୍ତି ଦିଆଗଲା ନାହିଁ କି ସେମାନଙ୍କ ପେନାଲ ଲିଷ୍ଟ ୱେବ୍ସାଇଟ୍ରେ ପ୍ରକାଶ କରାଗଲା ନାହିଁ। ଶ୍ରୀ ପାତ୍ରଙ୍କ ପରେ ଏହା ଭିତରେ ୪ ଜଣ ଜିଲାପାଳ ଏଠାରେ ଗଲେଣି। ଅଥଚ ଆଉ କୌଣସି ଜିଲାପାଳ ସୁପରଭାଇଜର ପଦବୀ ପୂରଣ ଓ ସେମାନଙ୍କର ପେନାଲ ଲିଷ୍ଟ ପ୍ରକାଶ ଉପରେ ମୁଣ୍ଡ ଖେଳାଇଲେ ନାହିଁ। ଏଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରତି ପ୍ରଶାସନର ଉଦାସୀନତା ଗ୍ରହଣୀୟ ହୋଇପାରୁନାହିଁ। ଛତୁଆ ଟଙ୍କାର ଭାଗବଣ୍ଟାକୁ ନେଇ କଳି ତୁଟୁ ନଥିବାବେଳେ ଅଧିକାରୀଙ୍କର ସୁପରଭାଇଜର ନିଯୁକ୍ତି ଉପରେ ମୁଣ୍ଡ ଖେଳାଇବାକୁ ସମୟ ବା କାହିଁ। କେବଳ ସୁପରଭାଇଜର ପଦବୀ ନୁହେଁ, ସ୍ୱଳ୍ପ ବେତନରେ କାମ କରୁଥିବା କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦିଆଯାଉ ନଥିବା ବେଳେ ସେମାନଙ୍କୁ ସର୍ବନିମ୍ନ ମଜୁରୀ ଅନୁଯାୟୀ ଦରମା ଦିଆଯାଉନାହିଁ। ସବୁ କ୍ଷେତ୍ରରେ ଶ୍ରମ ଆଇନ୍କୁ କଡାକଡି ଭାବେ ପାଳନ କରୁଥିବାବେଳେ କର୍ମୀ ଓ ସହାୟିକାଙ୍କ କ୍ଷେତ୍ରରେ କାହିଁକି ଏଭଳି ବୈମାତୃକ ଆଚରଣ ପ୍ରଦର୍ଶନ କରୁଛନ୍ତି, ତାହାକୁ ନେଇ ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଆଜି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପମୁଖ ଶାସନ ସଚିବ ଦୁଇଦିନିଆ ଭଦ୍ରକ ଗସ୍ତରେ ଆସି ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିଥିବାବେଳେ ଜିଲାର ଅଙ୍ଗନୱାଡି ଯୋଜନାର ଏଭଳି ରିପୋର୍ଟ ଚିତ୍ର ଦେଖି ବେଶ୍ କ୍ଷୁବ୍ଧ ହୋଇଥିବା ଜଣାପଡିଛି। ଭଦ୍ରକ ଜିଲାରେ ୨୪୩୫ ଗୋଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ସେଥିରୁ ୨୧୬୬ ଟି ମୁଖ୍ୟ ଅଙ୍ଗନୱାଡି କେନ୍ଦ୍ର ଥିବାବେଳେ ୨୬୯ ଟି ମିନି ଅଙ୍ଗନୱାଡି କେନ୍ଦ୍ର ରହିଛି। ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିକ ମଧ୍ୟରୁ ଅଧିକାଂଶ କେନ୍ଦ୍ରର ନିଜସ୍ୱ ଗୃହ ନାହିଁ। ଟଙ୍କା ଅଛି, ମାତ୍ର ବିଭାଗ ଅଙ୍ଗନୱାଡି ଗୃହ ନିର୍ମାଣ ନେଇ ଆନ୍ତରିକତା ପ୍ରକାଶ କରୁନାହାଁନ୍ତି। ପ୍ରତି ଗାଁରେ ସରକାରୀ ଜମି ପଡିଥିଲେ ମଧ୍ୟ ପ୍ରଶାସନର ଆନ୍ତରିକତାର ଅଭାବ ପାଇଁ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ପକ୍କା ଘର ନିର୍ମାଣ କରାଯାଇ ପାରୁନାହିଁ। ଯେଉଁଥିପାଇଁ ଜିଲାର ୭୦ ପ୍ରତିଶତ ଅଙ୍ଗନୱାଡି କେନ୍ଦ୍ର ଅସୁରକ୍ଷିତ ଅବସ୍ଥାରେ ଘରୋଇ ଭାବେ ଚାଲୁଛି। ଜିଲାରେ ମୋଟ ୫ ହଜାରରୁ ଉର୍ଦ୍ଧ୍ୱ କର୍ମୀ ଓ ସହାୟିକା ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି। ତେଣୁ କର୍ମୀଙ୍କର ଦରମା, ଭବିଷ୍ୟନିଧି ଯୋଜନା, ଇପିଏଫ୍ ଯୋଜନାରେ ଅନ୍ତର୍ଭୁକ୍ତ କରିବା ନେଇ ଦାବି କରାଯାଇଛି। ଏବେ ପୁଣି କର୍ମୀଙ୍କୁ ଟାବଲେଟ୍ ବାଣ୍ଟିବା ଦାୟିତ୍ୱ ଦେବା ଓ ସେମାନଙ୍କୁ ମୋବାଇଲ୍ ଦେବା ପରେ କର୍ମୀମାନଙ୍କ ଉପରେ ଆହୁରି କାର୍ଯ୍ୟ କରିବାର ଚାପ ବୃଦ୍ଧି ପାଇବା ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମ ଆଇନ୍କୁ ଲାଗୁ କରୁଥିବା ବେଳେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ କ୍ଷେତ୍ରରେ ଏଇ ଆଇନ୍କୁ ତୁରନ୍ତ ଲାଗୁ କରିବାକୁ ଦାବି କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top