ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଧାମରା ଅଞ୍ଚଳର ବହୁ ପ୍ରତୀକ୍ଷିତ ବାଂଶଡାର ମନ୍ତେଇ ନଦୀ ଉପରେ କାର୍ଯ୍ୟକାରୀ ହେଉଥିବା ବାଂଶଡା ସେତୁ କେବେ ସରିବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ୨୦୧୫ ମସିହାରେ ଆରମ୍ଭ ହୋଇଥିବା ଏହି ସେତୁର କାର୍ଯ୍ୟ କେବେ ଶେଷ ହେବ ସେନେଇ ଅଞ୍ଚଳବାସୀ ଆଶଙ୍କାରେ ରହିଛନ୍ତି। ୧୨୦ ମିଟର ଲମ୍ବ ସେତୁକୁ ୨୦ କୋଟି ଟଙ୍କାରେ ହରିଆନାର ଏସ୍ପି ସିଙ୍ଗଲା କନଷ୍ଟ୍ରକସନ କଂପାନୀକୁୁ କାର୍ଯ୍ୟାଦେଶ ମିଳିଥିଲା। ନଦୀର ଦୁଇ ପାଶ୍ୱର୍ରେ ୨ଟି ଖମ୍ବର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲା। ନଦୀ ମଧ୍ୟରେ ଆଉ ୨ଟି ଖମ୍ବ ମଧ୍ୟରୁ ଗୋଟିଏର କାର୍ଯ୍ୟ ସରିବାକୁ ଥିବା ବେଳେ ନଦୀର ଉତ୍ତର ଦିଗରେ ନିର୍ମାଣାଧୀନ ଖମ୍ବଟି ନଦୀ ମଧ୍ୟକୁ ଗଡି ପଡିଥିଲା। ଏହା କନଷ୍ଟ୍ରକସନ କଂପାନୀର ନକ୍ସା ଭୁଲ ତଥା କାର୍ଯ୍ୟରେ ସିମେଣ୍ଟ ଏବଂ ବ୍ୟବହୃତ ରଡର ଭାଗମାପ ଠିକ ନଥିବାରୁ ଦୁର୍ଘଟଣା ଘଟିଥିଲା ବୋଲି ପ୍ରତକ୍ଷ୍ୟଦର୍ଶୀଙ୍କ ନିକଟରୁ ପ୍ରକାଶ। ପରେ ଆନ୍ତରାଜ୍ୟ ଜଳପଥ ପ୍ରାଧିକରଣ ସଂସ୍ଥା ଏହି ନଦୀ ମଧ୍ୟରେ ଛୋଟଛୋଟ ଷ୍ଟିମର ଏବଂ ଜାହାଜ ଚଳାଚଳ ହେବ ବୋଲି ରାଜ୍ୟ ସରକାରଙ୍କୁ ଜଣାଇବା ସହ ଏହି ପୋଲର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଆଦେଶ ଦେଇଥିଲେ। ପରେ ନଦୀ ମଧ୍ୟରେ ନିର୍ମାଣାଧୀନ ୨ଟି ଖମ୍ବ ମଧ୍ୟରେ ଦୂରତା ୫୦ ମିଟର ହେବା ସହ ପୋଲର ଉଚ୍ଚତା ବୃଦ୍ଧି କରାଯିବା ଦରକାର ବୋଲି ଆନ୍ତରାଜ୍ୟ ଜଳପଥ ପ୍ରାଧିକରଣ, ରାଜ୍ୟ ରାସ୍ତା ଏବଂ ଗୃହ ବିଭାଗକୁ ଜଣାଇଥିଲେ।ପରେ ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ଭଦ୍ରକରେ ଅବସ୍ଥାପିତ ରାସ୍ତା ଏବଂ ଗୃହ ବିଭାଗ ନିର୍ବାହୀ ଯନ୍ତ୍ରୀ ରାତାରାତି ପ୍ରାଧିକରଣ ସଂସ୍ଥା ଅନୁଯାୟୀ ନକ୍ସା ବଦଳାଇ ଏହାର ଆପ୍ରୁଭାଲ ପାଇଁ ଦିଲ୍ଲୀ ପଠାଇ ଥିଲେ। ନଦୀ ମଧ୍ୟରେ ୨ଟି ଖମ୍ବ ପାଇଁ ୬ କୋଟି ଟଙ୍କା ଖର୍ଚ ହୋଇ ସାରିଥିଲା ବୋଲି କନଷ୍ଟ୍ରକସନ କଂପାନୀ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲା। ରାଜ୍ୟ ସରକାରଙ୍କ କମ୍ପୋଟ୍ରଲର ଏବଂ ଅଡିଟର ଜେନେରାଲ ୨୦୧୭ରେ ଏହି ପୋଲ ପାଇଁ ଅତିରିକ୍ତ ଖର୍ଚ୍ଚ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ କାର୍ଯ୍ୟର ତଦାରଖ କରି ଶୀଘ୍ର କାର୍ଯ୍ୟ ସାରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଇତି ମଧ୍ୟରେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି କାର୍ଯ୍ୟର ସମୀକ୍ଷା ହେଉନାହିଁ ବୋଲି ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ୧୨୦ ମିଟର ବାଂଶଡା ସେତୁ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଶ୍ରମିକମାନଙ୍କୁ ନିୟୋଜିତ ନକରି ମାତ୍ର ୧୦ରୁ ୧୨ ଜଣ ଶ୍ରମିକଙ୍କୁ ନେଇ ଏହି କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟ କଣ ପାଇଁ ଧିମା ଗତିରେ ଚାଲିଛି ବୋଲି ଏସପି କନଷ୍ଟ୍ରକସନ ଇନଚାର୍ଯଙ୍କୁ ପଚାରିବାରୁ ସେ କଂପାନୀର ଅପାରଗ ପଣିଆ ତଥା ରାଜ୍ୟ ସରକାର ଠିକ ଭାବରେ ପାଣ୍ଠି ଦେଉ ନଥିବା କଥା ମତ ପୋଷଣ କରିଥିଲେ। ଏହିଭଳି କାର୍ଯ୍ୟ ଚାଲିଲେ ଆସନ୍ତା ୧୦ ବର୍ଷ ମଧ୍ୟରେ ଏହି ନଦୀରେ ପୋଲ ସମ୍ଭବ ନୁହେଁ ବୋଲି ବୁଦ୍ଧିଜୀବୀ ମତ ପୋଷଣ କରିଛନ୍ତି। ୨୦ କୋଟି ଟଙ୍କାର ପୋଲ ପାଇଁ ୨୦ ଜଣ ଶ୍ରମିକ ନିଯୁକ୍ତି ହୋଇ ନଥିବା କଥା ଜଣା ପଡିଥିଲେ ମଧ୍ୟ କାର୍ଯ୍ୟର ଅଗ୍ରଗତି ତଥା ସମୀକ୍ଷା କଥା ଭଦ୍ରକଠାରେ ଅବସ୍ଥାପିତ ରାଜ୍ୟ ରାସ୍ତା ଏବଂ ଗୃହ ବିଭାଗ ଏସଡିଓ ପ୍ରଦ୍ୟୁମ୍ନ ସେଠୀ ନିଜର ମତ ରଖି କୁହନ୍ତି ଆଗ ଅପେକ୍ଷା କାର୍ଯ୍ୟର ଅଗ୍ରଗତି ଘଟିଛି, ଜୁଆରିଆ ନଦୀ ହେତୁ କାର୍ଯ୍ୟର ବିଳମ୍ବ ଘଟିଛି ତଥାପି ୨୦୧୯ ମସିହାରେ ଏହି ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
