ଭଦ୍ରକ : ବର୍ଷା ହେଲେ ରାସ୍ତାରେ ପାଣି ଡ୍ରେନେଜ ବ୍ୟବସ୍ଥା ପାଇଁ ଗ୍ରାମବାସୀଙ୍କ ଦାବି

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ବାସୁଦେବପୁର ପୌରପାଳିକାର ପ୍ରାୟ ୬ ଶହ ମିଟର ଦୂରରେ ଅବସ୍ଥିତ ଦେଉଳୀ ସେଠୀସାହି ଗ୍ରାମରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷାରେ ସାହିବାସୀଙ୍କ ଅବସ୍ଥା ସଙ୍ଗୀନ ହୋଇଯାଉଛି। ରାସ୍ତା ଉପରେ କେତେକ ସ୍ଥାନରେ ବର୍ଷା ପାଣି ଜମି ରହୁଥିବାରୁ ଗ୍ରାମବାସୀ ଡ୍ରେନେଜ ବ୍ୟବସ୍ଥାର ସୁଧାର ପାଇଁ ଦାବି କରିଛନ୍ତି। ପୌରପାଳିକାର ୨୧ ନଂ ୱାର୍ଡରେ ଦେଉଳି ସେଠୀସାହି ଅବସ୍ଥିତ। ୫୦ ପରିବାର। ଭୋଟର ସଂଖ୍ୟା ୧୯୦ରୁ ଊର୍ଦ୍ଧ୍ୱ। ସହରର ମୁଖ୍ୟ ରାସ୍ତାରୁ ଗାଁ ଭିତରକୁ କଂକ୍ରିଟ ରାସ୍ତା ଯାଇଛି। ଯାତାୟତର ବ୍ୟବସ୍ଥା ଠିକ ରହିଥିଲେ ବି ଡ୍ରେନେଜ ବ୍ୟବସ୍ଥା ଆଜିଯାଏ ହୋଇପାରିନାହିଁ। ଅଦିନିଆ ବର୍ଷା ଦ୍ୱାରା ଯାତାୟତରେ ସାମାନ୍ୟ ସମସ୍ୟା ଦେଖା ଦେଉଥିଲେ ହେଁ ବର୍ଷା ଦିନରେ ଅବସ୍ଥା ସଙ୍ଗୀନ ହେଉଛି। ବର୍ଷା ପାଣି ନିଷ୍କାସିତ ହୋଇ ନପାରି ରାସ୍ତା ଉପରେ ଜମି ରହୁଛି। ଦୀର୍ଘଦିନ ଧରି ଏହିାଣି ଜମି ରହୁଥିବା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ଗ୍ରାମବାସୀ କହିଛନ୍ତି। ପିଲାଠାରୁ ଆରମ୍ଭ କରି ବୟସ୍କ ଯାଏ ଏହି ରାସ୍ତାରେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟାକୁ ନେଇ ସାହିବାସୀ ସ୍ଥାନୀୟ କାଉନସିଲର ଓ ପୌରାଧ୍ୟକ୍ଷଙ୍କୁ ଅବଗତ କରାଇଥିବା କହିଛନ୍ତି। ସମସ୍ୟା ସଂପର୍କରେ ଅବଗତ ରହିଥିବା କହିଛନ୍ତି କାଉନସିଲର କୁନ୍ତଳା ନାୟକ। ଡ୍ରେନ କାମ କରିବେ ବୋଲି ଶ୍ରୀମତୀ ନାୟକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ବାସୁଦେବପୁର ପୌରପାଳିକାରେ ବିଭିନ୍ନ ୱାର୍ଡରେ ଡ୍ରେନେଜ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଫଣ୍ଡ ଅନୁସାରେ କାମ କରାଯିବ ବୋଲି ପୌରାଧ୍ୟକ୍ଷ ଅଶୋକ କୁମାର ଦାସ କହିଛନ୍ତି।

Leave a Reply

Your email address will not be published. Required fields are marked *