ଭଦ୍ରକ : ବନ୍ତ ପୂର୍ତ୍ତ ବିଭାଗ ରାସ୍ତାରେ ବିରାଟ ଗର୍ତ୍ତ

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ବନ୍ତରୁ ଆଗରପଡା ୧୪ କିମି ପୂର୍ତ୍ତ ରାସ୍ତାରେ ଦୀର୍ଘମାସ ଧରି ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ବହୁଲୋକେ ନିଶ୍ଚିତ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଖଣ୍ଡିଆ ଖାବରା ହେଉଥିବାର ଦେଖାଯାଉଛି। ବନ୍ତରୁ ୫ କି:ମି: ଆସିବା ପରେ ପଡେ ନରସିଂପୁର ଛକ। ଛକର ଅନତି ଦୂର ଏକ ବଙ୍କାଣିଆ ରାସ୍ତାରେ ଏହି ଗାତ ଥିବାରୁ ସାଧାରଣ ପଥିକ ଓ ଯାନବାହାନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ରାସ୍ତା ଦେଇ ଦୈନନ୍ଦିନ ଶହଶହ ସଂଖ୍ୟାରେ ଭାରିଯାନ, ଚାରି ଚକିଆ ଗାଡି ସମେତ ବାଇକ ଓ ସୋଇକେଲ ଯାତାୟତ କରିଥାନ୍ତି। ଏବେ ରାସ୍ତାଟିର ଏପରି ଅବସ୍ଥା ହୋଇଛି ଯେ, ବାଲେଶ୍ୱର ଜିଲା ଔପଦାରୁ ବନ୍ତ ହୋଇ ଭୁବନେଶ୍ୱର ଯାଉଥିବା ୨ଟି ଯାତ୍ରୀବାହୀ ବସ ବନ୍ଦ ହେବାକୁ ବସିଛି। ସେହିପରି ନରସିଂପୁର ଛକଠାରୁ ଆଡିଆ କଳାପାହାଡ ପର୍ଯ୍ୟନ୍ତ ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହୋଇଛି। ଏପରିକି ଆଡିଆ ପୋଲ ନିକଟରେ ମଧ୍ୟ ଏକ ଗାତ ଦୀର୍ଘଦିନ ହେଲା ରହିଛି। ଏଭଳି ସମସ୍ୟା ନେଇ ଅଞ୍ଚଳବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରି ନାହିଁ। ଯାତ୍ରୀମାନଙ୍କ ଯାତାୟତର ସୁବିଧାକୁ ଦୃଷ୍ଟିରେ ରଖି ରାସ୍ତାଟି ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଅପରପକ୍ଷରେ ବନ୍ତରୁ କଳାପାହାଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୧୦ କୋଟି ଟଙ୍କାର ଟେଣ୍ଡର ଖୁବଶୀଘ୍ର ଡକାଯିବ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅମୀୟ ନାୟକ କହିଛନ୍ତି। ତେବେ ତୁରନ୍ତ କିପରି ମରାମତି କରାଯାଇ ପାରିବ ସେ ବିଷୟରେ କନିଷ୍ଠ ଯନ୍ତ୍ରୀଙ୍କ ସହ କଥା ହେଉଛି ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *