ଭଦ୍ରକ : ବଢୁଛି କ୍ୟାନ୍ସର ଆକ୍ରାନ୍ତ ଦିନ ମଜୁରିଆଙ୍କ ଦୁର୍ଦ୍ଦଶା

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରୋଗରେ ଆକ୍ରାନ୍ତ ଦିନ ମଜୁରିଆ ଉପେନ୍ଦ୍ରଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ଦୀର୍ଘ ଏକବର୍ଷ ହେବ ଗୋଡରେ ଆରମ୍ଭ ହୋଇଥିବା ଘା’ ନଶୁଖି ତାହା କ୍ୟାନ୍ସରର ରୂପ ନେଇଛି। ଦିନ ମଜୁରିଆ ଭାବେ କାମ କରି ସେଥିରୁ ଯେଉଁ ଅର୍ଥ ପାଉଥିଲେ ସେଥିରେ ପରିବାରକୁ ଦୁଃଖ କଷ୍ଟରେ ଚଳାଇ ନେଉଥିଲେ। ଗୋର ଏ ଅବସ୍ଥା ପରେ ଗୋଟିଏ ସ୍ଥାନରେ ବସିବା ସାର ହୋଇଛି। ଗୋଡର ଘା ଦିନକୁ ଦିନ ବଢିବାରେ ଲାଗିଛି। ଗୋଟିଏ ପଟେ ତିନି ପ୍ରାଣୀଙ୍କ ଭୋକ ଯନ୍ତ୍ରଣା ସାଙ୍ଗକୁ ରୋଗର ଚିକିତ୍ସା ତାଙ୍କୁ ଦାରୁଣ ଆଘାତ ଦେବା ସହ ଜୀବନକୁ ଦୁର୍ବିସହ କରି ପକାଉଛି। ଗୋଟିଏ ସ୍ଥାନରେ ବସିରହି ନାନା ସମସ୍ୟାରେ ଘାଣ୍ଟିଚକଟି ହେଉଛନ୍ତି। ଚିକିତ୍ସ। ପାଇଁ ଆବଶ୍ୟକ ଅର୍ଥ ସାଙ୍ଗକୁ ଯା- ଆସ ପାଇଁ ଆବଶ୍ୟକ ପଡୁଥିବା ରିକ୍ସାଟିଏ ଲାଗି ବହୁବାର ବ୍ଲକରେ ନିଜ ଦୁଃଖ ଜଣାଇଥିଲେ ହେଁ ସୁଫଳ ମିଳିନି। ବ୍ଲକରେ ଜିଲାପାଳଙ୍କ ଶୁଣାଣି ଦିବସ ଥିବାରୁ ବହୁ କଷ୍ଟରେ ଅଟୋ ଭଡା କରି ଅଭିଯୋଗ ଣୁଣାଣିରେ ନିଜ ଦୁଃଖ ଜଣାଇଛନ୍ତି। ଏହି ଜିଲାର ବନ୍ତ ବ୍ଲକ ଗୋପୀନାଥପୁର ଗ୍ରାମର ଉପେନ୍ଦ୍ର ଯେନା(୫୦)ଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ଛଡା ଅନ୍ୟକିଛି ନାହିଁ। ପର ଘରେ ମୂଲ ଲାଗି ନିଜର ପରିବାର ପ୍ରତିପୋଷଣ କରୁଥିଲେ। କଷ୍ଟାର୍ଜିତ ଅର୍ଥରେ ତାଙ୍କ ତେଲ ଲୁଣର ସଂସାର ଦୁଃଖେକଷ୍ଟେ ଚଳି ଯାଉଥିଲା। ମଝି ରାସ୍ତାରେ ଦଇବ ଦାଉ ସାଧିଲା। ତାଙ୍କ ଡାହାଣ ଗୋଡକ୍ଷହ ଏକ ଘା’ ସୃଷ୍ଟି ହୋଇ ତାହା ବଢିବାକୁ ଲାଗିଛି। ପରିବାର ସମେତ ଗ୍ରାମବାସୀ ତାଙ୍କୁ ପଥମେ ଭଦ୍ରକ ଓ ପରେ କଟକ ନେଇ ପରୀକ୍ଷା କରାଇଥିଲେ। ତାଙ୍କ ଗୋଡରେ ହୋଇଥିବା ଏହି ଘା’ କ୍ୟାନସରର ରୂପନେଇଛି ବୋଲି ସେଠାରେ ଜଣାପଡିଥିଲା। ଚିକିତ୍ସା ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି। ଘରେ ପତ୍ନୀ, ଝିଅ ଷଷ୍ଠ ଶ୍ରେଣୀରେ ପାଠ ପଢୁଛି। ଉପେନ୍ଦ୍ରଙ୍କ ରୋଜଗାର ଉପରେ ପରିବାର ନିର୍ଭର କରୁଥିବାରୁ ଏବେ ସେମାନେ ଭୋକ ଉପାସରେ ଜୀବନ ବିତାଉଛନ୍ତି। ଅପରପକ୍ଷେ ସେ ଜଣେ ଭୂମିହୀନ ଥିବାରୁ ସରକାରଙ୍କ ପକ୍ଷରୁ ତାଙ୍କୁ ବିପିଏଲ କାର୍ଡ ମିଳିଛି। ଏହି ଅସହାୟ ପରିବାର ଏବେ ସରକାରୀ ସହାୟତା ଉପରେ ନିର୍ଭର କରଥିବାରୁ ସରକାର ଅବା କୌଣସି ବଦାନ୍ୟ ବ୍ୟକ୍ତି ଯଦି ଏହି ଦୁଃଖଦ ଅବସ୍ଥାରେ ତାଙ୍କୁ ସହାୟତାର ହାତ ବଢାନ୍ତେ, ତେବେ ସେ ଟିକେ ରାହା ପାଇ ପାରନ୍ତେ ବୋଲି ସ୍ଥାନୀୟ ଅଧିବାସୀ ଆଶା ପ୍ରକଟ କରିଛନ୍ତି।

Leave a Reply

Your email address will not be published. Required fields are marked *