ଭଦ୍ରକ : ପ୍ରତିଶ୍ରୁତି ପରେ ସ୍ୱାଭିମାନ ମଞ୍ଚର ଆମରଣ ଅନଶନ ପ୍ରତ୍ୟାହୃତ

ଭଦ୍ରକ, ୧୬ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ)  : ଏହି ଜିଲାର ଚାନ୍ଦବାଲି ବ୍ଲକ ଆଗରେ ବଜରାପୁର ସ୍ୱାଭିମାନ ମଞ୍ଚ ପକ୍ଷରୁ ଚାଲିଥିବା ଆମରଣ ଅନଶନ ବିଡିଓ ମନୋଜ ପାତ୍ରଙ୍କ ଲିଖିତ ପ୍ରତିଶ୍ରୁତି ପରେ  ପ୍ରତ୍ୟାହୃତ ହୋଇଛି । ସୂଚାନଯୋଗ୍ୟ; ଏହି ପଞ୍ଚାୟତରେ ବିଜୁ ପକ୍କାଘର, ଇନ୍ଦିରା ଆବାସ, ମୋ କୁଡିଆ, ମୋ ପୋଖରୀ ଆଦିରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିଲା । ପଞ୍ଚାୟତର ଜିଆରଏସ ଏହି କାର୍ଯ୍ୟରେ ସାମିଲ ଥିବାର ମଧ୍ୟ ଅଭିଯୋଗ ହୋଇଛି । ଏଣୁ ସଂପୃକ୍ତ ଜିଆରଏସ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଭିନ୍ନ ସମୟରେ ସ୍ଥାନୀୟ ଅଧିବାସିଙ୍କ ପକ୍ଷରୁ ରାଜ୍ୟ ପଞ୍ଚାୟତିରାଜ ବିଭାଗର ସଚିବଙ୍କଠୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ ହୋଇଥିଲା । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ବ୍ଲକ ଆଗରେ ଆମରଣ ଅନଶନ ପାଇଁ ଲିଖିତ ଭାବେ ଜଣାଯାଇଥିଲା । ଗତ ୧୨ ତାରିଖଠାରୁ ଏହି ଅନଶନ ଆରମ୍ଭ ହୋଇଥିଲା । ଏପରିକି ଏହି ଅନଶନ ବିଫଳ କରିବା ପାଇଁ ସଂପୃକ୍ତ ଜିଆରଏସ୍ ଯୋଜନା ପ୍ରସ୍ତୁତ କରିଥିବାର ଅଭିଯୋଗ ହୋଇଛି । ମୃତ ଲୋକଙ୍କ ନାମରେ ଇନ୍ଦିରାଆବାସ ହରିଲୁଟ୍, ପୋଖରୀ ନ ଥିବା ତଥା କାର୍ଯ୍ୟ କରି ନ ଥିବା ଲୋକଙ୍କ ନାମରେ ମନରେଗାରେ ହରିଲୁଟ୍ରେ ଅଭିଯୋଗ ହୋଇଥିଲା । ୩ ଦିନ ବିତିଯାଇଥିଲେ ବି ଅନଶନକାରୀଙ୍କ ପାଖକୁ କୌଣସି ପ୍ରାଶାସନିକ ଅଧିକାରୀ ଆସି ନ ଥିଲେ । ଧିରେଧିରେ ଅନଶନକାରୀଙ୍କ ସ୍ୱାସ୍ଥ୍ୟ ଅବସ୍ତା ବିଗିଡିବାରେ ଲାଗିଥିଲା । ବୁଧବାର ସିିଆଇର ଏଆଇଟିୟୁସିର ସଂପାଦକ ତଥା ଆଇନଜୀବୀ ଉପେନ୍ଦ୍ର ରାଉଳ ଅନଶନକାରୀଙ୍କ ପାଖକୁ ଆସି ସେମାନଙ୍କୁ ନୈତିକ ସମର୍ଥନ ଦେଇଥିଲେ । ତାଙ୍କ ହସ୍ତକ୍ଷେପ ପରେ ଚାନ୍ଦବାଲି ଥାନା ଅଧିକାରୀ କମଳ ଲୋଚନ ଭୂୟାଁ ଭଦ୍ରକ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତଦନୁଯାୟୀ ଉପଜିଲାପାଳ ଗୁରୁବାର ନିଜ କାର୍ଯ୍ୟାଳୟରେ ଦିନ ୧୨ଟାରେ ସମସ୍ତ ଘଟଣା ସମ୍ଭନ୍ଧରେ ଆଲୋଚନା ପାଇଁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ । ତଦନୁଯାୟୀ ଉପଜିଲାପାଳଙ୍କ ନିର୍ଦେଶକ୍ରମେ ବିଡିଓ ମନୋଜ ପାତ୍ର ଘଟଣାସ୍ଥଳକୁ ଆସି ଲିଖିତ ପ୍ରତିଶ୍ରୁତି ଦେବା ପରେ ଅନଶନକୁ ସ୍ଥଗିତ ରଖାଯାଇଛି । ପ୍ରଦୀପ କର, ଗୌରହରୀ ସାହୁ, ଉମାକାନ୍ତ ତରାଇ, ନିର୍ମଳ ସାହୁ, ରାମଚନ୍ଦ୍ର ପ୍ରଧାନ, କନକଲତା ପ୍ରଧାନ, ଭାରତୀ ସାହୁ, ପଦ୍ମନାଭ ସାହୁ, ବିବେକାନନ୍ଦ ଧର ପ୍ରମୁଖ ଏହି ଅନଶନରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *