ଭଦ୍ରକ ପୌରପାଳିକା ପକ୍ଷରୁ ନରିପୁରରେ କଲଭର୍ଟ ନିର୍ମାଣ ସମ୍ପନ୍ନ : ବିଧାୟକଙ୍କ ଦ୍ୱାରା ଉଦ୍ଘାଟିତ

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ପୌରପାଳିକା ଅନ୍ତର୍ଗତ ନରିପୁର (ଅସ୍ତଳ ୱାର୍ଡ ନମ୍ବର-୧୧) ଠାରେ ଆର୍.ସି.ସି. କଲଭର୍ଟ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରାଯାଇଥିବା ବେଳେ ଆଜି ଭଦ୍ରକର ଲୋକପ୍ରିୟ ବିଧାୟକ ତଥା ପୂର୍ବତନ ବରିଷ୍ଠ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ପୌରପାଳ ମାନସ କୁମାର ମହାନ୍ତି, ପୌର ଉପାଧ୍ୟକ୍ଷା କୌସେରା ବେଗମ, ସ୍ଥାନୀୟ କାଉନସିଲର ଶରତ କୁମାର ପଢିଆରୀ, ବିଧାୟକଙ୍କ ପ୍ରତିନିଧି ରାଧାକାନ୍ତ ସାମଲ ପ୍ରମୁଖଙ୍କ ଗହଣରେ ଉଦ୍ଘାଟନ କରିବା ପରେ ଏହି ପକ୍କା କଲଭର୍ଟ ଉପରେ ନିର୍ଭରଶୀଳ ଥିବା ଜନସାଧାରଣ ଯାତାୟତ କରିଛନ୍ତି। ୨୦୧୬-୨୦୧୭ ଆର୍ଥôକ ବର୍ଷରେ ରାସ୍ତା ଓ ପୋଲ ମଞ୍ଜୁର ଅନୁଦାନରେ ଭଦ୍ରକ ପୌରପାଳିକାର ଏହି କଲଭର୍ଟଟିର ବ୍ୟୟ ଅଟକଳ ଦୁଇଲକ୍ଷ ଟଙ୍କା ରଖାଯାଇ ସେକ ମୋତାହେର ମହମ୍ମଦ ନାମକ ଜନୈକ କଣ୍ଟ୍ରାକ୍ଟରଙ୍କୁ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ତାହା ଗ୍ରାମର ଉଦୀୟମାନ ଯୁବକ ମଧୁସୂଦନ ଷେଣ୍ଢ, ବାଦଲ କୁମାର ବଳ, ଅମର ନାୟକ, ଚିନ୍ତାମଣି ଷେଣ୍ଢ, ପ୍ରଶାନ୍ତ ରାୟ, ଧନେଶ୍ୱର ବେହେରା, ମନୋରଞ୍ଜନ ଦାସ (ବଳିଆ), ଟିକିନା ମହାନ୍ତି ପ୍ରମୁଖଙ୍କ ସହଯୋଗ ଓ ପ୍ରତ୍ୟକ୍ଷ ତତ୍ତ୍ୱାଧାବଧାନରେ ଏହା ପରିପୂର୍ଣ୍ଣ ହୋଇ ପାରିଛି। ସଂପୃକ୍ତ ଯୁବ କଣ୍ଟ୍ରାକ୍ଟର ଏବଂ ଗ୍ରାମବାସୀଙ୍କ ସହଯୋଗ, ପ୍ରଗାଢ ନିଷ୍ଠା ଓ ଏକାଗ୍ରତା ଯୋଗୁ ଏହା ସଫଳତା ମିଳି ପାରିଛି। ଆଜି ଏହି ଉଦ୍ଘାଟନ ଉତ୍ସବରେ କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଂଶୁ ସାମଲ, ପୌର ଇଂ ବୈଜୟନ୍ତ ପାଢୀ, ବିଜେଡିର ଯୁବନେତା ଅଜିତ ପଟ୍ଟନାୟକ (ଟୁଲୁ), ସମାଜସେବୀ ବରିଷ୍ଠ ସାମ୍ବାଦିକ ଅମର ନାୟକ, ସମାଜସେବୀ ହରିଶ ଦାସ, ସତ୍ୟ ଦାଶ, ପଙ୍କଜ ବଳ, ଗଣେଶ ମହାପାତ୍ର, କିଶୋର ନାୟକ, ଦୁର୍ଗା ବିଶ୍ୱାଳ, ମଧୁସୂଦନ ପଣ୍ଡା, ସୁକୁଟି ଷେଣ୍ଢ, ଶତୃଘ୍ନ ଦାଶ, ଆକାଶବାଣୀ ପ୍ରତନିଧି ଅଶୋକ ନାୟକଙ୍କ ସମେତ ଗ୍ରାମବାସୀ, ଜନସାଧାରଣ ଯୋଗ ଦେଇଥିଲେ। ବିଧାୟକ ଓ ପୌରପାଳଙ୍କ ଠାରେ ବିଭିନ୍ନ ମୌଳିକ ସମସ୍ୟା ପ୍ରମୁଖ ଉପରେ ଗ୍ରାମବାସୀ ଆଲୋଚନା କରିଥିବାରୁ ପଦକ୍ଷେପ ନିଆଯିବାକୁ ପୌରପାଳ ଓ ବିଧାୟକ ପ୍ରତିଶୃତି ଦେଇଥିଲେ। ପୂର୍ବରୁ ଜଳ ନିଷ୍କାସନ ସମସ୍ୟା ଥିବାରୁ କଲଭର୍ଟ ନିର୍ମାଣ ପ୍ରକଳ୍ପ ଶେଷ ହୋଇ ଉଦ୍ଘାଟିତ ହୋଇଥିବାରୁ ଏହି ସମସ୍ୟା ଦୂର ହେବ ବୋଲି ଜଣା ପଡୁଛି। ଭଦ୍ରକ ପୌରପାଳିକାର ଇଂ ବୈଜୟନ୍ତ ପାଢୀଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପ କାର୍ଯ୍ୟର ତଦାରଖ ଦକ୍ଷତାର ସହ କରିଥିବାରୁ ଇଂ ଶ୍ରୀ ପାଢୀଙ୍କୁ ଗ୍ରାମବାସୀ ଓ ଜନସାଧାରଣଙ୍କ ପକ୍ଷରୁ ପ୍ରଶଂସା କରାଯାଇ ଥିବା ବେଳେ ବିଧାୟକ ଯୁଗଳ ବାବୁ ଓ ପୌରପାଳ ଶ୍ରୀ ମହାନ୍ତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Leave a Reply

Your email address will not be published. Required fields are marked *