ଓଡ଼ିଶା

ଭଦ୍ରକ : ପୂରଣ ହୋଇପାରୁନି ପାଇଖାନା ଟାର୍ଗେଟ୍ ଲକ୍ଷ୍ୟ ଥିଲା ୩ ଲକ୍ଷ, ସରିଛି ଲକ୍ଷେ ୪୦

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲରେ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଯୋଜନା ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛି। ଏଇ ଯୋଜନାରେ ଜିଲାକୁ ଦିଆଯାଇଥିବା ପାଇଖାନା ଟାର୍ଗେଟ୍ ପୂରଣ ହୋଇନଥିବାବେଳେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ଜିଲାରେ ୩ ଲକ୍ଷ ପାଇାଖାନ ନିର୍ମାଣର ଟାର୍ଗେଟ୍ ଥିବାବେଳେ ନିର୍ଦ୍ଧାରିତ ସମୟରେ ଅଧାରୁ ମଧ୍ୟ କମ୍ ପାଇଖାନା ତିଆରି ହୋଇଥିବା ଜଣାପଡିଛି। କେବଳ ସେତିକି ନୁହେଁ, ଏହି ପାଇଖାନା ନିର୍ମାଣରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ୨୦୧୮ ମାର୍ଚ୍ଚ ସୁଦ୍ଧା ଜିଲରେ ୩ ଲକ୍ଷ ୯ ହଜାର ୯୭୨ ଟି ପାଇଖାନା ବସିବା ପାଇଁ ରାଜ୍ୟ ସରକାର ଟାର୍ଗେଟ୍ ଦେଇଥିଲେ। ଗତ ୨୦୧୭ ମସିହା ଡିସେମ୍ବର ମାସ ସୁଦ୍ଧା ଜିଲାରେ ମାତ୍ର ୧ ଲକ୍ଷ ୩ ହଜାର ୭୬୮ ଟି ପାଇଖାନା ନିର୍ମାଣ ହୋଇଥିଲା। ସେତେବେଳେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏଇ ରିପୋର୍ଟକୁ ନେଇ ରାଜ୍ୟ ସ୍ୱଚ୍ଛ ଭାରତ ମିଶନର ନିର୍ଦ୍ଦେଶିକା ରୂପା ମିଶ୍ର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଜିଲାରେ ଆହୁରି ୨ ଲକ୍ଷ ପାଇଖାନା ନିର୍ମାଣ ହୋଇପାରିନଥିବାବେଳେ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରିବା ସହ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଘରେ ପାଇଖାନା ବସାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ନିର୍ଦ୍ଦେଶିକାଙ୍କର ଏଇ ନିର୍ଦ୍ଦେଶ ଦେବାର ୬ ମାସ ବିତିଯାଇଥିଲେ ମଧ୍ୟ ପାଇଖାନା ନିର୍ମାଣ କାମ ଯେତିକି ବାଟ ଆଗେଇବା କଥା ତାହା ଆଗେଇ ପାରିନାହିଁ। ମନ୍ଥର ଗତିରେ ଚାଲିଥିବା ଏହି ଯୋଜନାରେ ଏବେ ସୁଦ୍ଧା ଜିଲାରେ ୧ ଲକ୍ଷ ୪୦ ହଜାର ପାଇଖାନା ନିର୍ମାଣ ହୋଇଛି। ହିସାବ କହୁଛି ଆହୁରି ୧ ଲକ୍ଷ ୬୦ ହଜାର ପାଖାପାଖି ପାଇଖାନା ନିର୍ମାଣ ହୋଇପାରିନାହିଁ। ପୁଣି ଯେଉଁସବୁ ପାଇଖାନା ନିର୍ମାଣ ହୋଇଛି, ସେଥିରୁ ଅଧିକାଂଶ ପାଇଖାନା ଟଙ୍କା ହଡପ କରାଯାଇଛି। ଫଲସ୍ ବିଲ୍ କରି କିଛି ବିଭାଗୀୟ କର୍ମଚାରୀ ଯୋଜନାବଦ୍ଧ ଭାବେ ଟଙ୍କା ଉଠାଣ କରି ନେଇଛନ୍ତି। ଏଇ ଘୋଟାଲା ପଛରେ ଏବେ ପଡିଛି ଭିଜିଲାନ୍ସ। ଭିଜିଲାନ୍ସର ସ୍କାନରରେ ଗତ ୩ ମାସ ହେବ ଛନ୍ଦି ହୋଇଯାଇଛନ୍ତି ଭଦ୍ରକ ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ। ବାସୁଦେବପୁର ଓ ଭଦ୍ରକ ବ୍ଲକ୍ର କିଛି ପଂଚାୟତରେ ହୋଇଥିବା ପାଇଖାନା ଘୋଟାଲାକୁନେଇ ଭଦ୍ରକର ଭିଜିଲାନସ୍ ଡିଏସ୍ପି ଶରତ ଚନ୍ଦ୍ର ମହାପାତ୍ର କାଗଜପତ୍ର ନେଇ ଯାଞ୍ଚ କରୁଛନ୍ତି। ଭିଜିଲାନସ୍ର ଯାଞ୍ଚକୁ ନେଇ ଏଇ ଯୋଜନାରେ ସଂପୃକ୍ତ ଥିବା କିଛି କର୍ମଚାରୀ ଏବେ ମାନସିକ ଚାପରେ ରହିଛନ୍ତି। ଯେକୌଣସି ଉପାୟରେ ମାମଲାକୁ ଚପାଇ ଦେବାକୁ ଯୋଜନା ଚଳାଇଛନ୍ତି। ଗୋଟିଏ ପଟରେ ଜିଲରେ ସ୍ୱଚ୍ଛ ଭାରତ ଯୋଜନାରେ ଆସିଥିବା ପାଇଖାନା ଟାର୍ଗେଟ୍ ପୂରଣ ହୋଇପାରୁନଥିବାବେଳେ ଅନ୍ୟ ପଟରେ ପାଇଖାନା କାର୍ଯ୍ୟାଦେଶରେ ହୋଇଥିବା ଘୋଟାଲାକୁ ନେଇ ଭିଜିଲାନ୍ସର ତଦନ୍ତ ପ୍ରକ୍ରିୟା ବିଭାଗକୁ ଏବେ ଅଡୁଆ ପରିସ୍ଥିତିରେ ଛନ୍ଦି ଦେଇଛି। ଲୋକଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପରେ ଏଇ ବିଭାଗ କୋଟି କୋଟି ଟଙ୍କା ଲୁଟି ଖାଇଥିବାବେଳେ ଏବେ ପାଇଖାନା ଦୁର୍ନୀତିରେ ଭିଜିଲାନସ୍ ଫାଶରେ ପଡିଛି। କେବଳ ସେତିକି ନୁହେଁ, ଗ୍ରାମାଞ୍ଚଳରେ ପାନୀୟ ଜଳ ପ୍ରକଳ୍ପଗୁଡିକ ଅଚଳ ହୋଇପଡିଥିବାବେଳେ ଏହାକୁ ତ୍ୱରାନ୍ୱିତ କରିବା ନେଇ ଗତ ସପ୍ତାହରେ ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ସଚିବ ଏନ. ଶ୍ରୀନିବାସନ୍ ଭଦ୍ରକ ଜିଲା ଗସ୍ତରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ତାଗିଦ କରିବା ସହ ଏଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗଣମାଧ୍ୟମ ଆଗରେ ସୂଚନା ଦେଇଥିଲେ। ଅଚଳ ପାଇପ୍ ଲାଇନ୍କୁ ତୁରନ୍ତ ସଚଳ କରିବାକୁ କୁହାଯାଇଥିଲା। ଜିଲାରେ ସ୍ୱଚ୍ଛ ଭାରତ ଯୋଜନା ବିଫଳ ହୋଇଥିବାବେଳେ ଏଥିପାଇଁ ବିଶେଷ ଭାବେ ଦାୟୀ ହେଉଛନ୍ତି ଦାୟିତ୍ୱରେ ଥିବା ଆରଡବ୍ଲ୍ୟୁଏସ୍ଏସ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ଯେଉଁସବୁ ବ୍ଲକ୍ରେ ପାଇଖାନା କାର୍ଯ୍ୟ ହୋଇଛି। ସେଥିରେ ଦୁର୍ନୀତିର ଗନ୍ଧ ବାରି ହୋଇପଡିଛି। ଅନେକ ସ୍ଥାନରେ ଥିଲାବାଲାଙ୍କୁ ପାଇଖାନା ଯୋଜନାରେ ସାମିଲ କରାଯାଇଥିବାବେଳେ ନଥିଲାବାଲାଙ୍କୁ ଯୋଜନାରୁ ବଂଚିତ କରାଯାଇଛି। ସ୍ଥଳ ବିଶେଷରେ ଦେଖାଯାଉଛି ଦଳୀୟ ଲୋକଙ୍କୁ ଏଇ ଯୋଜନାର ସୁଫଳ ମିଳୁଥିବାବେଳେ ସାଧାରଣ ଲୋକଙ୍କୁ ସୁଯୋଗ ଦିଆଯାଉନାହିଁ। ଜିଲାରେ ପାଇଖାନା ଟାର୍ଗେଟ୍ ପୂରଣ ହୋଇନଥିବାବେଳେ ଯାହା କାମ୍ ହୋଇଛି, ସେଥିରେ ମଧ୍ୟ ତଥ୍ୟ ଠିକ୍ ଭାବେ ଦିଆଯାଇନାହିଁ। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top