ad
ଜିଲ୍ଲା ପରିକ୍ରମା

ଭଦ୍ରକ : ପାଟଣ ମଙ୍ଗଳା ପୀଠର ଐତିହାସିକ ପାଟୁଆ ଯାତ୍ରା

ଭଦ୍ରକ,୧୩ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାର ଅନ୍ୟତମ ଶକ୍ତିପୀଠ ତିହିଡି ବ୍ଲକର ଛତ୍ରଦା ପାଟଣ ମଙ୍ଗଳା ପୀଠରେ ମା’ ଲଙ୍କେଶ୍ୱରୀଙ୍କ ପ୍ରସିଦ୍ଧ ପାଟୁଆ ଯାତ୍ରା ଶନିବାରରୁ ଆରମ୍ଭ ହେବାକୁ ଯାଉଛି । ସପ୍ତାହେ ଧରି ଏହି ଯାତ୍ରା ଅନୁଷ୍ଠିତ ହେବ । ଛତ୍ରପଦା ଗ୍ରାମର ଉତ୍ତର ପାଶ୍ୱର୍ରେ ଅବସ୍ଥିତ ଏହି ପ୍ରାଚୀନ ଶକ୍ତିୀଠରେ ଏହି ଯାତ୍ରା ଅଷ୍ଟମ ଶତାବ୍ଦିରୁ ଆରମ୍ଭ ହୋଇଛି ବୋଲି ଅନୁମାନ କରାଯାଏ । ଓଡିଶାରେ ଥିବା ବିଭିନ୍ନ ମଙ୍ଗଳା ପୀଠ ମଧ୍ୟରୁ କାକଟପୁର ମଙ୍ଗଳାଙ୍କ ପରି ପାଟଣ ମଙ୍ଗଳା ମଧ୍ୟ ଖୁବ  ଚର୍ଚ୍ଚିତ । କାକଟପୁର ମଙ୍ଗଳା ଶ୍ରୀମନ୍ଦିର କର୍ମକାଣ୍ଡ ସହିତ ଜଡିତ ଥିବା ବେଳେ ପାଟଣ ମଙ୍ଗଳା କଳିଙ୍ଗର ଗୌରବ ନୌବାଣିଜ୍ୟ ସହ ଓତଃପ୍ରୋତ ଭାବେ ଜଡିତ । ନାବ, ମଙ୍ଗ, ଘଟ ଆଦି ସହ ସଂପୃକ୍ତ ପାଟଣ ମଙ୍ଗଳାଙ୍କ ଚୈତ୍ର ସଂକ୍ରାନ୍ତି ଦିନ ଘଟ ଉତ୍ତୋଳନ ହୋଇଥାଏ । ମା’ଙ୍କ ଘଟକ ଘଣ୍ଟ ପାଟୁଆମାନେ ମାସେ କାଳ ବିଭିନ୍ନ ଗ୍ରାମ ପରିକ୍ରମା କରିଥାନ୍ତି । ପଣା ସଂକ୍ରାନ୍ତିର ପୂର୍ବ ଦିନ ଏହି ଘଟ ଯାତ୍ରାର ସମାପ୍ତି ହୋଇଥାଏ । ନିକଟସ୍ଥ ହଳଦିଆ ଗ୍ରାମର ଏକ କୁମ୍ଭକାରଙ୍କ ଘରେ ଏହି ସମାପ୍ତି କ୍ରିୟାର ସମସ୍ତ କର୍ମକାଣ୍ଡ ଅନୁଷ୍ଠିତ ହୁଏ । ସଂକ୍ରାନ୍ତି ଦିନ ମା’ଙ୍କ ପାଟୁଆ ହେବା ପାଇଁ ହଜାର ହଜାର ଭକ୍ତ ମାନସିକ କରିଥାନ୍ତି । ସେମାନେ ଏହି ସମାପ୍ତି ଯାତ୍ରା ଦିନ ହଳଦିଆରେ ଉପସ୍ଥିତ ହୋଇ ପରସ୍ପରକୁ ବେତ ବାଡାଇବା ସହ ମା’ ମଙ୍ଗଳାଙ୍କ ଭଜନ ବୋଲିଥାନ୍ତି । ଏହି ଗୀତକୁ ପାଟୁଆ ଗୀତ କୁହାଯାଏ । ଓଡିଆ ନବ ବର୍ଷ ଆରମ୍ଭ ପଣା ସଂକ୍ରାନ୍ତି ଦିନ ଆରମ୍ଭ ହୁଏ ପ୍ରସିଦ୍ଧ ପାଟୁଆ ଯାତ୍ରା । ବେତ ବାଡେଇ ‘ଭାଇ ଭେଲେ ଭେଲେ’ ରଡି କରି ପାଟୁଆମାନେ ମେଳା ପଡିଆରେ ମା’ଙ୍କ ମନ୍ଦିରକୁ ପ୍ରଦକ୍ଷିଣ କରିବା ଦୃଶ୍ୟ ଅତୀବ ରୋମାଞ୍ଚକର । ମଧ୍ୟାହ୍ନ ଗଡିଗଲେ ମନ୍ଦିର ଦକ୍ଷିଣ ପାଶ୍ୱର୍ରେ ଥିବା ଏକ ବିରାଟ ପୁଷ୍କରଣୀରେ ପଡି ମାନସିକ ବ୍ରତ ସମାପନ କରନ୍ତି । ସୂଚନା ଯୋଗ୍ୟ ଯେ ଏହି ପୁଷ୍କରିଣୀ ‘ବିନ୍ଦୁ ସାଗର’ ପଛକୁ ଓଡିଶାର ଦ୍ୱିତୀୟ ପୁଷ୍କରଣୀର ମାନ୍ୟତା ଲାଭ କରିଛି । ଏହି ପାଟୁଆ ପଡିବା କଥାରୁ ଏହାକୁ ‘ପାଟୁଆ ପଡା’ ବା ଅପଭ୍ରଂଶିତ ‘ପାଠପଢା’ ଯାତ୍ରା କୁହାଯାଏ ।  ସାତ ଦିନ ଧରି ଚାଲୁଥିବା ଏହି ଯାତ୍ରାରେ ବହୁ ଜନସମାଗମ ହେବା ସହ ବେପାର ବଣିଜ ମଧ୍ୟ ହୋଇଥାଏ । ଲୋକମାନେ ଘର କରଣା ଜିନିଷ କିଣିବାକୁ ଏହି ଯାତ୍ରାକୁ ଅନେଇ ରହିଥା’ନ୍ତି । ବିଶେଷ କରି ଖଟା, ଦେଶୀ ପିଆଜ, ଲଙ୍ଗଳ ଈଷ, ଜୁଆଳି ଆଦିର ବିକ୍ରିବଟା ବେଶୀ ହୋଇଥାଏ । ଦାତବ୍ୟ ସଂସ୍ଥାମାନେ ପଣା ଦାନ କରିଥାନ୍ତି । ଭଜା ଚଣା ସହିତ ଦୋ ପାଣି ଉଖୁଡାର ବେଶ କାଟତି ହୋଇଥାଏ । ତାଳପତ୍ର ନିର୍ମିତ ଆସନ, ବିଞ୍ଚଣାର କାରବାରକୁ ଦେଖି କେହି କେହି ଏହାକୁ ପଣା-ଛଣାବିଞ୍ଚଣାର ଯାତ୍ରା ବୋଲି କହିଥାନ୍ତି । ଏହି ଦେବୀଙ୍କ ପୂଜାର୍ଚ୍ଚନା ଭାର କନିକା ରାଜାଙ୍କ ଉପରେ ନ୍ୟସ୍ତ ଥିଲା । ଆଶ୍ଚର୍ଯ୍ୟର କଥା କନିକା ରାଜାମାନେ ନିଜ ରାଜ୍ୟରେ ବହୁ ମନ୍ଦିର ନିର୍ମାଣ କରିଥିଲେ ହେଁ ଏତେ ବଡ ଦେବୀ ୧୯୫୨ ପର୍ଯ୍ୟନ୍ତ ଏକ ଚାଳ ଘରେ ପୂଜା ପାଉଥିଲେ । ସମ୍ଭବତଃ ବୋଇତରେ ସ୍ୱୟଂ ଦେବୀ ବିଜେ ହୋଇ ଯାଉଥିବାରୁ ଏହି ପରିବ୍ରାଜିକାଙ୍କ ପାଇଁ ସ୍ଥାୟୀ ମନ୍ଦିରର ଆବଶ୍ୟକତା ନଥିଲା । ନୌବାଣିଜ୍ୟର ବିଲୋପ ପରେ ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଏକ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ପୁତ୍ର ଶୈଳେନ୍ଦ୍ର ନାରାୟଣ ଏହି କାର୍ଯ୍ୟ ସମାପନ କରି ଦେବୀଙ୍କୁ ପ୍ରତିଷ୍ଠା କରିଥିଲେ । ପଞ୍ଚରଥ ଶୈଳୀରେ ନିର୍ମିତ ଏହି ରେଖ ଦେଉଳଟିକୁ ଓଡିଶାର ପ୍ରସିଦ୍ଧ ମନ୍ଦିର ଶିଳ୍ପୀ ବୃନ୍ଦାବନ ମହାରଣା ନିର୍ମାଣ କରିଥିଲେ । ବହୁ ସ୍ମୃତି ଓ ଐତିହ୍ୟକୁ ଧରି ରଖିଥିବା ଏହି ପୀଠକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇସାରିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top