ଭଦ୍ରକ : ପାଞ୍ଚ ଦିନରେ ଭାସିଗଲା ୫ ଲକ୍ଷ ଟଙ୍କାର ପିଚୁ ରାସ୍ତା

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ୫ ଲକ୍ଷ ଟଙ୍କାର ପିଚୁ ରାସ୍ତା ୫ ଦିନରେ ଧୋଇଗଲା। ଘଟଣାରୁ ଜଣାଯାଇଛି ଚରଦିଆ ପଞ୍ଚାୟତ ଅଧୀନରେ ଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଉପରେ ଧାମରା, ବାଂଶଡା, କଇଥଖୋଲା, ଦୋସିଙ୍ଗା, ଜାଗୁଳା ସମେତ ଚରଦିଆ ପଞ୍ଚାୟତର ଲକ୍ଷାଧିକ ଲୋକ ନିର୍ଭର କରିଥାନ୍ତି। ଏହି ଅଞ୍ଚଳର ଲୋକଙ୍କ ପାଇଁ ଚାନ୍ଦବାଲି ଯିବାକୁ ସବୁଠାରୁ କମ ରାସ୍ତା ବୋଲି ପୂର୍ବତନ ସରପଞ୍ଚ କିଣୁରାମ ଜେନା କହିଛନ୍ତି। ଏଠାରୁ ଚାନ୍ଦବାଲି ପର୍ଯ୍ୟନ୍ତ ୧୫ କିମି ରାସ୍ତା ମଧ୍ୟରୁ ୭ କିମି ରାସ୍ତା ଚରଦିଆ ପଞ୍ଚାୟତ ଅଧୀନରେ ରହିଛି। ଏହି ରାସ୍ତାରେ ମରାମତି ନାଁରେ ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ହରିଲୁଟ୍ ଚଳାଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଗଳିଆ ପୋଲଠାରୁ ଆରମ୍ଭ ହୋଇଥିବା ୧ କିମି ପିଚୁ କାମ ମାର୍ଚ୍ଚ ୧୦ ତାରିଖରେ ସଂପୂର୍ଣ ହୋଇଥିଲା। ଏହାର ୫ ଦିନ ଭିତରେ ଏହି ରାସ୍ତାରୁ ପିଚୁ ଉଠିଯାଇଛି। ଫଳରେ କଣ ପାଇଁ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହେଉଛି ଏବଂ ଏହାର ତଦାରଖ ଏହି ନିମ୍ନମାନର କାର୍ଯ୍ୟର ତଦନ୍ତ ପାଇଁ ଚରଦିଆ ପଞ୍ଚାୟତବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅପରପକ୍ଷରେ ବିଭାଗୀୟ କର୍ତ୍ତୃପକ୍ଷ କଣ ହୋଇଛି ଦେଖିବା ବୋଲି କହି ଚାଲିଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଏସଡିଓଙ୍କ ସହ ଯୋଗାଯୋଗ କରିବାରୁ ସେ ନିଜେ ଏହି କାମର ତଦନ୍ତ କରିବେ ବୋଲି କହିଛନ୍ତି। ମାତ୍ର ଲୁଣାପାଣିରେ ବୁଡି ରହୁଥିବା ଉପାନ୍ତ ଅଞ୍ଚଳର ଏହି ରାସ୍ତାଟି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଦୀର୍ଘ ୫ ବର୍ଷ ପୂରି ଯାଇଥିଲେ ମଧ୍ୟ ଆଜି ଭଳି ଦିନରେ ଗୋଟିଏ ପୋଲ କାମ ସଂପୂର୍ଣ ହୋଇପାରିନାହିଁ। ଏଭଳି ସ୍ଥିତିରେ ବିଭାଗୀୟ କର୍ତ୍ତୃପକ୍ଷ ପୁଣି ଅନ୍ୟ ଜଣେ ଠିକାଦାରଙ୍କର ଏହି ନିମ୍ନମାନର କାର୍ଯ୍ୟକୁ ଘଣ୍ଟ ଘୋଡାଇବା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ପଡିଛି। ଭଦ୍ରକ ଜିଲାପାଳ ଏହି ଉପାନ୍ତ ଅଞ୍ଚଳ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ମନମାନି ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *