ଭଦ୍ରକ : ପରିବାର ବୋଝ ସମ୍ଭାଳିଛନ୍ତି ଦିବ୍ୟାଙ୍ଗ ବିଜୟ

ଭଦ୍ରକ,୨୦ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଜନ୍ମରୁ ଡାହାଣ ହାତ ହରାଇ ଦିବ୍ୟାଙ୍ଗ ରୂପେ ଜନ୍ମ ନେଇଥିଲେ ବିଜୟ । ସେଥିପାଇଁ ମନରେ ତାଙ୍କର କେବେ ଶୋଚନା ନାହିଁ । ନିଜ ପରିବାର ପ୍ରତିପୋଷଣ ପାଇଁ ସଂଗ୍ରାମ ଜାରି ରଖିଛନ୍ତି । ସେ ଏହି ଜିଲାର ଭଣ୍ଡାରିପୋଖରି ବ୍ଲକ ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଓଳା ଗ୍ରାମର ବିଜୟ ସାହୁ(୩୦) । ବିଜୟଙ୍କ ଗାଁରେ ଏକ ଛୋଟିଆ ଦୋକାନ ଅଛି । ଏହାଛଡା ସେ ଆଗରୁ ସାଇକେଲରେ ବିଭିନ୍ନ ଗାଁ ବୁଲି ପରିବା ବିକି ନିଜ ପରିବାର ଚଳାଇଥିଲେ । ଏବେ ସାଇକେଲ ଛାଡି ସେ ଏକ ଲୁନା ଯୋଗେ ନିଜର ଭ୍ରାମ୍ୟମାଣ ପରିବା ବ୍ୟବସାୟ ଜାରି ରଖିଛନ୍ତି । ଡାହାଣ ହାତ ଅପେକ୍ଷାକୃତ ସାନ ଓ ପାପୁଲି ନଥିଲେ ମଧ୍ୟ ସେ ଆରାମରେ ସାଧାରଣ ଲୋକଙ୍କ ଭଳି ସାଇକେଲ ଓ ବାଇକ ଚଳାଇପାରୁଛନ୍ତି । ତାଙ୍କ ଉପରେ ୭୦ବର୍ଷର ବୁଢା ବାପା ବେଣୁଧର ସାହୁ, ମା’ ଅହଲ୍ୟା ସାହୁଙ୍କ ସମେତ ପତ୍ନୀ ଆଉ ଦୁଇ ଝିଅ ନିର୍ଭର କରନ୍ତି । ଦିବ୍ୟାଙ୍ଗ ଯୋଗୁଁ ମୁଣ୍ଡ ଗୁଞ୍ଜିବା ଲାଗି ସରକାରୀ ଯୋଜନାରେ ବଖରାଏ ଘର ଓ ବାର୍ଷିକ ୩୦୦ ଟଙ୍କା ଭତ୍ତା ମିଳୁଛି । ପୈତୃକ ଚାଷଜମି ମାତ୍ର ଦଶ ଗୁଣ୍ଠ । ନିଜେ ଚାଷକାମ କରିବାକୁ ବିଜୟ ଅକ୍ଷମ ଥିଲେ ହେଁ ବୃଦ୍ଧ ବାପାଙ୍କ ସହଯୋଗରେ ଚାଷକାମ ତୁଲାଇଥାନ୍ତି । ଏହି ଦଶ ଗୁଣ୍ଠ ଜମିରୁ ମିଳୁଥିବା ଧାନରୁ ବର୍ଷକର ଆହାର ଚଳାଇବାରେ କିଛିଟା ସକ୍ଷମ ହେଉଛନ୍ତି । ସକାଳ ହେଲେ ଲୁନା ପଛରେ ପରିବା ପେଟି ପୂରାଇ ପାଖଆଖ ବିଭିନ୍ନ ଗ୍ରାମକୁ ବିକିବା ପାଇଁ ବିଜୟ ବାହାରିଥାନ୍ତି । ସକାଳ ଓଳି ଏହି ବୁଲା ବେପାରରୁ କିଛି ରୋଜଗାର ହୋଇଥାଏ । ବାକି ସମୟରେ ରୋଜଗାର କରିବା ପାଇଁ ନିଜ ଘର ଆଗରେ ଏକ କେବିନ ଲଗାଇ ବେପାର ଆରମ୍ଭ କରିଛନ୍ତି ବିଜୟ । ଦିନକୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଯାଏ ବୋଲି କହିଛନ୍ତି ବିଜୟ । ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଥିଲେ ବି ଦୃଢ ମନୋବଳ ଯୋଗୁ କାହା ଉପରେ ବୋଝ ହେବା ପରିବର୍ତ୍ତେ ନିଜ ଛଅ ଜଣିଆ ପରିବାରର ଦାୟିତ୍ୱ ସମ୍ଭାଳିଥିବାରୁ ବିଜୟ ଖୁସି ଅନୁଭବ କରନ୍ତି ।

Leave a Reply

Your email address will not be published. Required fields are marked *