ଭଦ୍ରକ: ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଭଦ୍ରକ, ୩୧/୫ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଆଜି ଭଦ୍ରକ ପଞ୍ଚାୟତ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ବିଧିବିଦ୍ଧ ଭାବେ ୩ୟ ବୈଠକ ହୋଇଥିବାବେଳେ ପ୍ରସ୍ତୁତ ଗୃହ ପରିଚାଳନା ଦୃଷ୍ଟିରୁ ଏହା ପ୍ରଥମ ବୈଠକ। ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ବିଧାୟକ ପ୍ରତିନିଧି ରାଧାକାନ୍ତ ସାମଲ, ସାଂସଦ ପ୍ରତିନିଧି ପ୍ରହ୍ଲାଦ ପଣ୍ଡା, ଉପାଧ୍ୟକ୍ଷା, ଜ୍ୟେତ୍ସ୍ନାମଂଜରୀ ରାଉତ, ବିଡିଓ ଶଙ୍କର୍ଷଣ ବେହେରା, ଜିଲ୍ଲା ପରିଷଦ ସଭ୍ୟ କ୍ଷୀରୋଦ ରାଉତ, ସରୋଜ ନାୟକ, ହେମନ୍ତ ପାଢ଼ୀ ଓ ସୁକାନ୍ତି ନାୟକ, ସହକାରୀ ଯନ୍ତ୍ରୀ, ଜିପିଇଓ, ଙ୍କ ସମେତ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ / ସଭ୍ୟା ମାନେ ପ୍ରମୁଖ ଯୋଗଦେଇଥିଲେ।

ପ୍ରାରମ୍ଭରେ ନବ ନିର୍ବାଚିତ ସଭ୍ୟ / ସଭ୍ୟମାନଙ୍କୁ ବିଧାୟକ ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ଏବଂ ଦଳମତ ନିର୍ବିଶେଷରେ ସମସ୍ତ ନିର୍ବାଚିତ ପ୍ରତିନିଧିମାନଙ୍କୁ ଗୁରୁତ୍ୱ ଦେବା ସହ ସମସ୍ତ ପଞ୍ଚାୟତର ବିକାଶ ପ୍ରକ୍ରିୟାକୁ କ୍ରିୟାଶୀଳ କରିବା ପାଇଁ କର୍ତ୍ତୃପକ୍ଷ ମାନଙ୍କୁ ପରାମର୍ଶ ଦେଇଥିଲେ। ପରେ ପୂର୍ବ ବୈଠକର ବିବରଣୀ ପାଠ କରାଯାଇଥିଲା। ମାତ୍ର ଉକ୍ତ ବିବରଣୀରେ ଅନୁପାଳନ ତଥ୍ୟ ପ୍ରଦାନ କରାଯାଇନଥିବାରୁ ଜିଲ୍ଲା ପରିଷଦ ସଭ୍ୟ କ୍ଷୀରୋଦ ରାଉତ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରିଶେଷରେ ଏହା ଅନୁମୋଦିତ ହୋଇଥିଲା। ବୈଠକରେ କାର୍ଯ୍ୟସୂଚୀ ଅନୁଯାଇ କୃଷି, ପାନୀୟ ଜଳ, ପଶୁ ସଂପଦ, ଜଳସେଚନ, ଉଦ୍ୟାନ ବିଭାଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ରେସନ କାର୍ଡରେ ତଥ୍ୟ ଗତ ତୃଟି ସହିତ ଏଯାବତ ମଧ୍ୟ ପ୍ରକୃତ ହିତାଧିକାରୀ ମାନେ ରେସନ କାର୍ଡ ପାଇନଥିବାରୁ ଉପସ୍ଥିତ ସଭ୍ୟ/ସଭ୍ୟାମାନେ ଉଦ୍ବେଗ ପ୍ରକାଶ କରିଥିଲେ। ଏ ସଂପର୍କରେ ବିହିତ କାର୍ଯ୍ୟାନୁଷ୍ଠାନ ଲାଗି ଯୋଗାଣ ନିରିକ୍ଷକଙ୍କୁ ନିର୍ଦ୍ଦେଷ ଦିଆଯାଇଥିଲା। ଜିଜିୱାଇରେ ପଲ୍ଲୀ ସଭା ଓ ଗ୍ରାମ ସଭା ବହୁ ପଞ୍ଚାୟତରେ ହୋଇନଥିବାରୁ ସଂପୃକ୍ତ ପଞ୍ଚାୟତଗୁଡିକ ତୁରନ୍ତ କରାଇବାକୁ କୁହାଯାଇଥିଲା। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ଚତୁର୍ଦ୍ଧଶ ଅର୍ଥ କମିଶନ ଓ ରାଜ୍ୟ ସରକାରଙ୍କ ଚତୁର୍ଥ ଅର୍ଥ କମିଶନ ଅନୁଦାନର ବିନିଯୋଗ ଓ ଆକ୍ସନ ପ୍ଲାନ ସମ୍ପର୍କରେ ବ୍ଲକର ସଂପ୍ରସାରଣ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହିବାକୁ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ରାଉତ ପରାମର୍ଶ ଦେଇଥିଲେ। ବ୍ଲକ କର୍ତ୍ତୃପକ୍ଷ ସମିତି ସଭ୍ୟ ମାନଙ୍କୁ ଗୁରୁତ୍ୱ ଦେଉନଥିବା ଉପସ୍ଥିତ ସମିତି ସଭ୍ୟ / ସଭ୍ୟାମାନେ ସଭାରେ କହିଥିଲେ। ଜିଲ୍ଲା ପରିଷଦ ସଭ୍ୟ ସରୋଜ ନାୟକ ରାଜସ୍ୱ ବିଭାଗ ତରଫରୁ ଗ୍ରାମପଞ୍ଚାୟତ ମିନି ସେକ୍ରେଟିୟଟ୍ ଗୃହ ନିର୍ମାଣ ପାଇଁ ଗୋଟେ ଏକର ସ୍ଥାନ ଚିହ୍ନଟ କରି ପଞ୍ଚାୟତକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶନାମା  ଥିଲେ ମଧ୍ୟ ଏହାର ଅନୁପାଳନ ହୋଇନଥିବାର ଗୃହରେ କ୍ଷୋଭ ପ୍ରକାଶ କରିଥିଲେ। କୃଷି ବିଭାଗ ଦ୍ୱାରା ନିମ୍ନ ମାନର ବିହନ ବଣ୍ଟନ କରାଯାଇଥିବାରୁ ଚାଷୀ ମହଲରେ ଏହାକୁ ଅସନ୍ତୋଷ ପ୍ରକାଶ ପାଇଥିବା କଥା ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ପାଢ଼ୀ କହିଥିଲେ। ପାନୀୟ ଜଳ ପ୍ରକଳ୍ପକୁ ସଜାଡିବାକୁ ଗୃହରେ ସଭ୍ୟ/ସଭ୍ୟା ମାନେ ଦାବି କରିଥିଲେ।

ଶେଷରେ ଆଜି ଶାନ୍ତି ଶୃଙ୍ଖଳା ସହ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଉପାଧ୍ୟକ୍ଷା ଜ୍ୟେତ୍ସ୍ନାମଂଜରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *