ଭଦ୍ରକ : ନିଲମ୍ବିତ ଆରଆଇଙ୍କ ମାଡରେ ସୁପରଭାଇଜର ଗୁରୁତର

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲି ତହସିଲର ବହୁ ଚର୍ଚ୍ଚିତ ଆର୍ଆଇ ବିକାଶ ଦାସ ଆଦାୟ କରିଥିବା ରାଜସ୍ୱକୁ ନିଜ ଅଣ୍ଟିରେ ରଖି ଜମା ଦେଇ ନଥିବାରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ଏହି ଚର୍ଚ୍ଚିତ ଆର୍ଆଇ ୨ଜଣ ସହଯୋଗୀଙ୍କ ସହ ଚାନ୍ଦବାଲି ଠାରେ ଚାନ୍ଦବାଲି ତହସିଲର ସୁପରଭାଇଜର ଦାଶରଥୀ ଦାସଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଜଣାଯାଇଛି। ଏ ବାବଦରେ ଚାନ୍ଦବାଲି ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ବୋଲି ଚାନ୍ଦବାଲି ଥାନାଧିକାରୀଙ୍କ ନିକଟରୁ ପ୍ରକାଶ। ନିଲମ୍ବିତ ଆର୍ଆଇ ବିକାଶ ଦାସ ନାଲଗୁଣ୍ଡାରେ ଆର୍ଆଇ ଥିବା ବେଳେ ପାଉତି ଜାଲିଆତି କରି ୧୩ ହଜାର ୪ ଶହ ଟଙ୍କା ଆଦାୟ କରି ସରକାରଙ୍କ କପିରେ ମାତ୍ର ୭ ଟଙ୍କା ରାଜସ୍ୱ ଦର୍ଶାଇ ଥିଲେ। ନିଲମ୍ବନ ପୂର୍ବରୁ ଆର୍ଆଇ ବିକାଶ ଦାସ ସୁରଭାଇଜର ଦାଶରଥୀ ଦାସଙ୍କୁ ତଦନ୍ତ ରିପୋର୍ଟରେ ଭୁଲ ଦର୍ଶାଇବାକୁ କହିଥିଲେ। ମାତ୍ର ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଭଦ୍ରକ ଅତିରିକ୍ତ ଜିଲାପାଳ ବିକାଶ ଦାସଙ୍କୁ ନିଲମ୍ବନ କରିବା ପାଇଁ ଚାନ୍ଦବାଲି ତହସିଲଦାର ପ୍ରେମାଂଶୁ ଚାନ୍ଦକୁ ଚିଠି ଦେବା ସହ ଏ ବାବଦରେ ଭିଜିଲାନ୍ସରେ ଏକ କେଶ ଦେବା ପାଇଁ ଲିଖିତ ଭାବରେ ଆଦେଶ ଦେଇଥିଲେ। ପରେ ଚାନ୍ଦବାଲି ତହସିଲଦାର ବିକାଶ ଦାସଙ୍କୁ ନିଲମ୍ବନ କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଭିଜିଲାନ୍ସରେ ଏଫଆଇଆର ଦେଇ ନଥିବା ଜଣାଯାଇଛି। ଏହି ସମସ୍ତ କଥା ଚାନ୍ଦବାଲି ସୁରଭାଇଜର ଚାହିଁଥିଲେ ନିଜ ରିପୋର୍ଟରେ ମିଥ୍ୟା ଦର୍ଶାଇ ସଂପୃକ୍ତ ଆର୍ଆଇଙ୍କ ଚାକିରି ରକ୍ଷା କରିପାରିବାର କ୍ଷମତା ତାଙ୍କ ହାତରେ ଥିଲା ବୋଲି ଚର୍ଚ୍ଚା ଚାଲିଥିଲା। ମାତ୍ର ସୁପରଭାଇଜର ସଠିକ ରିପୋର୍ଟ ଦେଇଥିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା କୁହାଯାଇଛି। ସେ ପ୍ରାଥମିକ ସ୍ତରରେ ଚାନ୍ଦବାଲି ମେଡିକାଲରୁ ରିପୋର୍ଟ ଆଣି ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *