ଓଡ଼ିଶା

ଭଦ୍ରକ : ନିର୍ବାଚନରେ ଶିଳ୍ପ ମୁଖ୍ୟ ପସଙ୍ଗ

ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଏକ କୃଷିପ୍ରଧାନ ଜିଲା। ମାତ୍ର ଜିଲାବାସୀଙ୍କର ସ୍ୱପ୍ନ ରହିଛି କୃଷିର ବିକାଶ ସାଙ୍ଗକୁ ଭଦ୍ରକକୁ ଏକ ଶିଳ୍ପ ସମୃଦ୍ଧ ଓ ବନ୍ଦର ଭିତ୍ତିକ ଜିଲାଭାବେ ଦେଖିବାକୁ। ଏହାର ଗୋଟିଏ ସୀମାରେ ରହିଛି କେନ୍ଦୁଝର ପରି ଖଣିଜ ସଂପଦ ଭରପୁର ଜିଲା। ଅନ୍ୟ ପଟରେ ରହିଛି ସୁଦୀର୍ଘ ବୈତରଣୀ ନଦୀ ପୁଣି ସୁବିସ୍ତୃତ ସମୁଦ୍ର ବେଳାଭୂମି। ଭଦ୍ରକ ସହର ମଝିରେ ବହିଯାଇଛି ସାଳନ୍ଦୀ ନଈ। ଏତେସବୁ ସୁବିଧା ସୁଯୋଗ ରହିବା ବେଳେ ଭଦ୍ରକ ଜିଲାରେ କାହିଁକି ଶିଳ୍ପର ବିକାଶ ହୋଇପାରୁନାହିଁ, ତାହାକୁ ନେଇ ଉଠିଛି ପ୍ରଶ୍ନ। ଏହି ପ୍ରଶ୍ନ ଆଗାମୀ ନିର୍ବାଚନରେ ମଧ୍ୟ ଉଠିବ ଏବଂ ଜିଲାରେ ଶିଳ୍ପ ପ୍ରତିଷ୍ଠା ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଚର୍ଚ୍ଚା ହେଉଛି। ଜିଲାରେ ଶିଳ୍ପ କହିଲେ ୧୯୮୦ ଦଶକରେ କେବଳ ଭଦ୍ରକର ରାନ୍ଦିଆଠାରେ ଫେକର ଚାର୍ଜକ୍ରୋମ୍ ପ୍ଲାଣ୍ଟ ଓ ୨୦୧୦ ରେ ପୁଣି ଏଇଠାରେ ଆରମ୍ଭ ହୋଇଥିଲା ଫେକର ପାୱାର ପ୍ଲାଣ୍ଟ। ଏଇ ଦୁଇଟି ଶିଳ୍ପ ପ୍ରକଳ୍ପ ପରେ ୨୦୦୮ ମସିହାରେ ଧାମରା ଠାରେ ଆରମ୍ଭ ହେଲା ବନ୍ଦର। ୨୦୧୧ ମସିହାରେ ଏଇ ବନ୍ଦର କାର୍ଯ୍ୟକ୍ଷମ ହୋଇଥିଲା। ଏହା ବ୍ୟତୀତ ଭଦ୍ରକ ଜିଲାରେ ଆଉ ସେମିତି କିଛି ଶିଳ୍ପ ନାହିଁ। ଧାମନଗର, ଭଣ୍ଡାରିପୋଖରୀ, ବନ୍ତ, ତିହିଡି, ବାସୁଦେବପୁର, ଚାନ୍ଦବାଲି ଓ ଭଦ୍ରକ ବ୍ଲକ୍ ଅଂଚଳରେ ବହୁ ପରିମାଣରେ ସରକାରୀ ଜମି ଥିଲେ ମଧ୍ୟ ଏଇସବୁ ସରକାରୀ ଜମିକୁ ଶିଳ୍ପ ପାଇଁ ବ୍ୟବହାର କରାଯାଇ ପାରୁନାହିଁ। ୧୯୯୦ ଦଶକରେ ଧାମନଗର ଓ ଭଣ୍ଡାରିପୋଖରୀ ସୀମାରେ ନିର୍ଦ୍ଧାରଣ କରାଯାଇଥିବା ୨୫୦ ଏକର ଜମି ଉପେ ପ୍ରସ୍ତାବିତ ଧରଣୀ ସୁଗାର ପ୍ଲାଣ୍ଟ ହୋଇପାରିଲା ନାହିଁ। ସେହିଦିନଠାରୁ ଏଇ ଜମିକୁ ନେଇ ଚାଲିଛି ବିବାଦ। କେତେବେଳେ ସରକାର କହୁଛନ୍ତି ଫୁଡ୍ ପାର୍କ ତ ଆଉ କେତେବେଳେ କୁହାଯାଉଛି ଟେକ୍ସଟାଇଲ୍ ପାର୍କ ହେବ। କିନ୍ତୁ ଏପର୍ଯ୍ୟନ୍ତ ନିଷ୍ପତ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚି ପାରିନାହିଁ। ଅନ୍ୟପକ୍ଷରେ ଶିଳ୍ପ ପ୍ରତିଷ୍ଠା ନେଇ ଜମି ଅଧିଗ୍ରହଣ କ୍ଷେତ୍ରରେ ଭଦ୍ରକ ଲୋକଙ୍କର ପ୍ରତିବାଦ କିମ୍ବା ପ୍ରତିକ୍ରିୟା ସେତେ ଅଧିକ ହୁଏନାହିଁ। ୮୦ ଦଶକରେ ରାନ୍ଦିଆ ଠାରେ ପ୍ରତିଷ୍ଠା ହୋଇଥିଲା ଫେକର ଚାର୍ଜକ୍ରୋମ୍ ପ୍ଲାଣ୍ଟ। ପ୍ଲାଣ୍ଟ ପ୍ରତିଷ୍ଠା ପରେ ଜିଲାବାସୀଙ୍କର ସ୍ୱପ୍ନ ସଫଳ ହେଲାନାହିଁ। ପ୍ଲାଣ୍ଟ ପାଇଁ ଭଦ୍ରକ ସହର ଓ ଏହାର ଆଖପାଖ ଅଂଚଳରେ ବିକାଶ ହେବା କଥା ତାହା ହେଲାନାହିଁ। ଏ କଂପାନୀ ଦ୍ୱାରା ଜିଲାରେ ସାମଗ୍ରିକ ବିକାଶ କିଛି ହୋଇନାହିଁ। କେବଳ ଫେକର ଚାର୍ଜକ୍ରୋମ୍ ପ୍ଲାଣ୍ଟ ନୁହେଁ, ରାନ୍ଦିଆ ଠାରେ ଥିବା ଫେକର ପାୱର ପ୍ଲାଣ୍ଟ ମଧ୍ୟ ୨୦୧୦ ମସିହାରୁ କାର୍ଯ୍ୟକ୍ଷମ ହେବା ଦିନଠାରୁ ଭଦ୍ରକବାସୀ କିଛି ଲାଭ ପାଉନାହାଁନ୍ତି। କଂପାନୀ ସାଳନ୍ଦୀ ନଦୀରୁ ଜଳ ବ୍ୟବହାର କରୁଥିବାବେଳେ ଅଂଚଳର ରାସ୍ତାଘାଟ ବ୍ୟବହାର କରୁଛି। ପରିବେଶ ନଷ୍ଟ କରୁଛି। ସେହି ଅନୁସାରେ ବିକାଶ ହୋଇନାହିଁ ବୋଲି ସଚେତନ ଭଦ୍ରକବାସୀ ଅଭିଯୋଗ କରନ୍ତି। କେବଳ ଏହି ଦୁଇ ବୃହତ୍ ଶିଳ୍ପ ଓ ଧାମରା ବନ୍ଦରକୁ ଛାଡିଦେଲେ ଜିଲାରେ ଶିଳ୍ପ ବିକାଶର କଥା କେବଳ କଥାରେ ରହିଯାଇଛି। ଫଳରେ ଏହି ଜିଲାର ସାମଗ୍ରିକ ବିକାଶ ବାଟବଣା ହୋଇଥିବା ବେଳେ ନିଯୁକ୍ତି ଓ ଅର୍ଥନୈତିକ ମାନଦଣ୍ଡରେ ଜିଲା ବହୁ ପଛରେ ପଡିଛି। ତେବେ ଭଦ୍ରକ ସ୍ୱତନ୍ତ୍ର ଜିଲା ହେବାପରେ ଏଥିନେଇ ଯେଉଁ ରାଜନୈତିକ ଇଚ୍ଛାଶକ୍ତି ଆବଶ୍ୟକ, ତାହା ଅଦ୍ୟାବଧି ଦେଖାଦେଇନାହିଁ। ଭଦ୍ରକ ଜିଲାରୁ ରାଜନେତାମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ପଦ ସମ୍ଭାଳିଥିଲେ ବି ଜିଲାର ବିକାଶ ପ୍ରତି ଯେତିକି ଧ୍ୟାନ ଦେବା କଥା ଦେଇନାହାଁନ୍ତି। ତେଣୁ ଆଗାମୀ ସାଧାରଣ ନିର୍ବାଚନ ବେଳେ ଜିଲାବାସୀ ପକ୍ଷରୁ ଶିଳ୍ପ ପ୍ରତିଷ୍ଠା ନେଇ ଦାବି ଉଠିବ ଏବଂ ଏହାହିଁ ମୂଳ ପ୍ରସଙ୍ଗ ହେବ ବୋଲି କୁହାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top