ଭଦ୍ରକ : ନାରାୟଣଙ୍କ ପାଇଁ ପକ୍କା ଘର ସାତ ସପନ

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରାଜ୍ୟ ସରକାର ବର୍ଷେ ହେଲା ସମସ୍ତ ଯୋଜନାକୁ ପଛରେ ପକାଇ ପକ୍କାଗୃହ ନିର୍ମାଣ ଯୋଜନାକୁ ଆଗେଇ ନେବା ଲାଗି କର୍ମଚାରୀଙ୍କ ମାଧ୍ୟମରେ ଅକ୍ଳାନ୍ତ ଉଦ୍ୟମ ଚଳାଉଛନ୍ତି। ପଞ୍ଚାୟତ ସ୍ତରୀୟ କର୍ମଚାରୀଙ୍କୁ ଡକାଇ, ଧମକାଇ କିମ୍ବା ପ୍ରୋତ୍ସାହନର ଲୋଭ ଦେଖାଇ ଯୋଜନାର ଶତ ପ୍ରତିଶତ ଲକ୍ଷ୍ୟରେ ଅଛନ୍ତି ଏହି ଜିଲାର ଭଣ୍ଡାରିପୋଖରୀ ବିଡିଓ। ଗତ ମାସ ଦକ୍ଷିଣବାଡ ପଞ୍ଚାୟତର ନିର୍ବାହୀ ଅଧିକାରୀ ରବିନାରାୟଣ ମହାପାତ୍ରଙ୍କୁ ପକ୍କାଗୃହରେ ଭଲ ପାରଦର୍ଶିତା ଦେଖାଇଥିବା ଯୋଗୁ ବ୍ଲକରେ ଶ୍ରେଷ୍ଠ ନିର୍ବାହୀ ଅଧିକାରୀ ଭାବେ ମାନପତ୍ର ଦେଇ ବିଡିଓ ତାଙ୍କ ପ୍ରକୋଷ୍ଠରେ ଏହି ମାନପତ୍ରକୁ ମଧ୍ୟ ଟାଙ୍ଗିଛନ୍ତି। ମାତ୍ର ପରିତାପର ବିଷୟ, ଏହି ପଞ୍ଚାୟତ ଅନ୍ତର୍ଗତ ରେବୋ ଗ୍ରାମର ନାରାୟଣ ଧଳଙ୍କର ବାସଗୃହ ନଥିବାରୁ ଦୁଃଖରେ ଜୀବନ ବିତାଉଛନ୍ତି। ଆର୍ଥକ ସ୍ଥିତି ସୁଦୃଢ ନଥିବାରୁ ଚଳିତ ବର୍ଷ ଘରର ଛପର ଛଣ ବଦଳାଇ ପାରୁନାହାନ୍ତି। ବିବାହ ବୟସରେ ଉପନିତ ଦୁଇ ଝିଅଙ୍କୁ ବିବାହ ଦେଇପାରୁ ନଥିବାର ବୋଝ ସହ ରୋଗିଣା ସ୍ତ୍ରୀର ଚିକିତ୍ସା ଜଞ୍ଜାଳ ଭାରରେ ନାରାୟଣଙ୍କ ଅଣ୍ଟା ଭାଙ୍ଗିପଡିଛି। ଏପଟେ ମୁଣ୍ଡ ଗୁଞ୍ଜିବା ପାଇଁ ବାସଗୃହ ସମସ୍ୟା ପାଦତଳୁ ମାଟି ଖସାଇ ଦେଉଛି। ବ୍ଲକଠାରୁ ୪ ଶହ ମିଟର ଓ ସରପଞ୍ଚଙ୍କ ଘରଠାରୁ ମାତ୍ର ୪୦ ମିଟର ଦୂରରେ ରହୁଥିବା ଏହି ପରିବାର ପ୍ରତି କାହାର ଶୁଭଦୃଷ୍ଟି ପଡୁନାହିଁ। ବିଡିଓ ବନମାଳୀ ତରାଇଙ୍କ ମତାମତ ନେବାରୁ ନାରାୟଣଙ୍କ ନାମ ଲିଷ୍ଟର ପଛରେ ଥିବାରୁ ତାଙ୍କୁ ମୋ କୁଡିଆ ଯୋଗାଇ ଦେବାକୁ ଜିଲାପାଳଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି। ଅପରପକ୍ଷରେ ଦକ୍ଷିଣବାଡ ପଞ୍ଚାୟତରେ ପୂର୍ବରୁ ବହୁ ପରିମାଣର ନିର୍ମିତ ଘରକୁ ଦେଖାଇ ଟାର୍ଗେଟ ପୂରଣ କରାଯାଇଥିବା କେତେକ ୱାର୍ଡସଭ୍ୟ/ ସଭ୍ୟା ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *