ଭଦ୍ରକ : “ନଅବର୍ଷ ପରେ ଗାଁକୁ ଫେରିଲା ହଜିଲା ପୁଅ’

ଭଦ୍ରକ, ୫ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସାମାନ୍ୟ ମାନସିକ ବିକୃତ୍ତି ଥାଇ ୯ବର୍ଷ ଧରି ନିଖୋଜ ଥିବା ଯୁବକ ଗାଁକୁ ଫେରିଛି। ଦୀର୍ଘବର୍ଷ ପରେ ହଜିଲା ପୁଅ ଘରକୁ ଫେରିଥିବାରୁ ପରିବାରରେ ଖୁସିର ଲହରୀ ଖେଳିଯାଇଛି। କିଏ ଖୁସିରେ ଆତ୍ମହରା ହୋଇ କାନ୍ଦି ପକାଇଛି ତ’ ଆଉ କିଏ ମିଠା ବାଣ୍ଟି ଖୁସି ମନାଇଛି। ୯ବର୍ଷ ଧରି ନିଖୋଜ ଥିବା ଏହି ଜିଲାର ବାସୁଦେବପୁର ବ୍ଲକ ସାନକୃଷ୍ଣପୁର ପଞ୍ଚାୟତ ଗଦି ଗ୍ରାମର ଅନାଦି ନାୟକଙ୍କ ପୁଅ ମନୋରଞ୍ଜନ(୪୫)ଆଜି ଗାଁକୁ ଫେରିଛନ୍ତି। ଦୀର୍ଘ ୯ବର୍ଷ ତଳେ ମନୋରଞ୍ଜନ ତାଙ୍କ ସ୍ତ୍ରୀ, ପୁଅ ଓ ପରିବାର ସଦସ୍ୟଙ୍କୁ ଛାଡି ଘରୁ କେଉଁଆଡେ ଚାଲିଯାଇଥିଲେ। ସେତେବେଳେ ପରିବାର ପକ୍ଷରୁ ତାଙ୍କୁ ବହୁ ଖୋଜାଖୋଜି କରାଯିବା ସହିତ ଠାକୁରଙ୍କ ଆର୍ଶିତ ହୋଇଥିଲେ। ହେଲେ କିଛି ଫଳ ମିଳି ନ ଥିଲା। ସବୁ ଆଶା ଭରଷା ତୁଟିଯାଇଥିଲା। ପାଞ୍ଚଦିନ ତଳେ ଏକ ଫୋନକଲ ମନୋରଞ୍ଜନଙ୍କ ସଂପର୍କରେ ନାୟକାଣିଡିହି ଥାନାକୁ ଆସିଥିଲା। ଥାନା ଅଧିକାରୀ ମାନସ କୁମାର ଦେଓ; ପୂର୍ବତନ ସରପଞ୍ଚ ଖଗେଶ୍ୱର ନାୟକଙ୍କୁ ଅବଗତ କରାଇଥିଲେ। ରାଜସ୍ଥାନର ପାଲି ଜିଲା ଆପ୍ନା ଘର ସେବା ସଦନରେ ମନୋରଞ୍ଜନ ରହିଥିବା ଖବର ପାଇ ଭାଇ ମୁକ୍ତିକାନ୍ତ ଓ ପଡୋଶୀ ଅଭୟ କୁମାର ଜେନା ରାଜସ୍ଥାନ ଆଶ୍ରମରେ ପହଞ୍ଚିଥିଲେ। ସେଠାରେ ସେବା ସଦନର କର୍ମକର୍ତ୍ତା ମନୋରଞ୍ଜନଙ୍କୁ ପରିବାର ସହିତ ଭେଟ କରାଇଥିଲେ। ବଡ ଭାଇଙ୍କୁ ଦେଖି ମନୋରଞ୍ଜନ ଚିହ୍ନିବା ସହିତ କାନ୍ଦି ପକାଇଥିଲେ। ୨୬ମାସ ଧରି ମନୋରଞ୍ଜନ ସେବା ସଦନର କର୍ମକର୍ତ୍ତାଙ୍କ ତତ୍ତ୍ୱାବଧାନରେ ରହିଆସୁଥିଲେ। ବାକି ସମୟ ସେ କେଉଁଆଡେ ଥିଲେ କିଛି କହି।ରୁନାହାଁନ୍ତି। କିଛି ପଚାରିଲେ ଉତ୍ତର ରଖୁଥିବା ବେଳେ ପୂର୍ବପରି ନିରବ ରହୁଛନ୍ତି। ସଦନରେ ରହୁଥିବା ମାନସିକ ବିକୃତ୍ତ ଓ ଅସହାୟ ଲୋକଙ୍କୁ ଚିକିତ୍ସା ସହିତ ସେବା ଯୋଗାଇ ଦିଆଯାଉଥିଲା। ଆବଶ୍ୟକ ପ୍ରମାଣପତ୍ର ଦେଖାଇ ମନୋରଞ୍ଜନଙ୍କୁ ଭାଇ ମୁକ୍ତିକାନ୍ତ ଓ ଅଭୟ ଗାଁକୁ ନେଇ ଆସିଥିଲେ। ହଜିଯାଇଥିବା ମନୋରଞ୍ଜନ ଗାଁକୁ ଫେରୁଥିବା ଖବର ପ୍ରଚାର ପରେ ଘର ଆଗରେ ଲୋକଙ୍କ ଗହଳି ଲାଗିଥିଲା। ମନୋରଞ୍ଜନ ପହଞ୍ଚିବା ପରେ ଆତ୍ମବିଭୋର ହୋଇପଡିଥିଲେ ତାଙ୍କ ପରିବାରବର୍ଗ। ଉପସ୍ଥିତ ଥିବା ସାଇପଡୋଶୀ ଓ ବନ୍ଧୁବାନ୍ଧବ ଆନନ୍ଦଆଶ୍ରୁକୁ ରୋକିପାରି ନ ଥିଲେ। ମନୋରଞ୍ଜନ ଫେରିଆସିବା ପରେ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *