ଓଡ଼ିଶା

ଭଦ୍ରକ-ଧାମରା ରେଳଲାଇନ୍ ପାଲଟିଛି ଚୋରା କୋଇଲା ମାଫିଆଙ୍କ ଭୂସ୍ୱର୍ଗ ମାସିକ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଥାନା କର୍ତ୍ତୃପକ୍ଷ ମାଲେମାଲ

ଭଦ୍ରକ, ୬ା୧ (ଓଡିଆପୁଅ / ପ୍ରମୋଦ ରାୟ) : ଧାମରା-ଭଦ୍ରକ ରେଳଲାଇନ୍ ପଥରେ କୋଇଲା ଚୋରା ଚାଲାଣ ବନ୍ଦ କରିବା ନେଇ ସିଏମ୍ଏସ୍ବିଡିକେସି ପକ୍ଷରୁ ଜିଲାପାଳଙ୍କ ସମେତ ଜିଲା ଆରକ୍ଷୀ ଅଧିକ୍ଷକ, ଧାମରା ବନ୍ଦର କର୍ତ୍ତୃପକ୍ଷ ତଥା ଗ୍ରାମାଞ୍ଚଳ ଥାନାଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଦୀନବନ୍ଧୁ ଜେନା, ସୁଷମା ସେଠୀ, ବିଜୟ ମୁଦୁଲି, ଗଜେନ୍ଦ୍ର ବାରିକ, ରବିନ୍ଦ୍ର ଜେନା, ସଂଜୟ ଜେନା ଓ ବଳରାମ ପଣ୍ଡା ପ୍ରମୁଖ ପ୍ରଦାନ କରିଥିବା ସ୍ମାରକପତ୍ର ମୂଳେ ଭଦ୍ରକ ଜିଲାସ୍ଥିତ ଭଦ୍ରକ-ଧାମରା ରେଳପଥ ଏବେ କୋଇଲା ଚୋରା ଚାଲାଣକାରୀଙ୍କ ଭୂସ୍ୱର୍ଗ ପାଲଟିଛି। ରାଜ୍ୟର ବିଭିନ୍ନ କଂପାନୀର ଅର୍ଡର ମୁତାବକ ବିଦେଶରୁ ଆସୁଥିବା କୋଇଲା ଓଡ଼ିଶା ରାଜ୍ୟ ସରକାରଙ୍କ ଅଧୀନସ୍ଥ ଧାମରା ବନ୍ଦର ଆଦାନୀ କଂପାନୀ ଦାୟିତ୍ୱରେ ଧାମରାରେ ଅନ୍ଲୋଡିଂ ହେଉଛି। ଗୋଟିଏ ଜାହାଜରୁ ୪୫ ଶହ ଟନ୍ କୋଇଲା ଆସୁଥିବାବେଳେ ଧାମରା ପୋର୍ଟ କଂପାନୀ ଟ୍ରେନ୍ ମାଧ୍ୟମରେ କୋଇଲା ବୋଝେଇ କରି ପଠାଇବାରେ ୩ ଶହ ଟନ୍ କୋଇଲା ଧାମରାରୁ ଭଦ୍ରକ ମଧ୍ୟରେ ଚୋରା ଚାଲାଣ ହେଉଛି। ଏଥିରେ ଓଡ଼ିଶା ସରକାର ଓ ଆଦାନୀ କଂପାନୀର ପ୍ରଛନ୍ନ ହାତ ରହୁଛି। କାରଣ ଜାତୀୟ ସଂପତ୍ତି ହଡପ ହେଉଥିବାବେଳେ ସରକାର, ପ୍ରଶାସନ ଓ ଆଦାନୀ କଂପାନୀ କୌଣସି ଦୃଷ୍ଟି ଦେଉନାହାଁନ୍ତି। ଆଦାନୀ କଂପାନୀ ଜାତୀୟ ସଂପତ୍ତି ହଡପ କରିବାରେ ଯେଉଁମାନେ ସାହାଯ୍ୟ କରି ଅଂଶଗ୍ରହଣ କରୁଛନ୍ତି, ସେମାନଙ୍କ ଠାରୁ ମାସିକିଆ ପ୍ରାୟ ଲକ୍ଷାଧିକ ଟଙ୍କା ନେଉଛନ୍ତି। ଧାମରା ପୋର୍ଟର କାର୍ଯ୍ୟରତ ବଡ ବଡ ଅଫିସରମାନେ ଏପରିକି କଂପାନୀର ସିଇଓ ଏହି ଷଡଯନ୍ତ୍ରରେ ସାମିଲ ରହିଛନ୍ତି। କୋଇଲା ମାପିଆମାନେ କୋଇଲା ବୋଝେଇ ଟ୍ରେନ୍ରୁ ଶହ ଶହ କୋଇଲା କାଢି ରେଳଲାଇନ୍ ଖୁଣ୍ଟ ପାଖରେ ବସ୍ତାରେ ପେକିଂ କରି ଦିବାଲୋକରେ ସର୍ବସାଧାରଣଙ୍କ ଉପସ୍ଥିତିରେ ବିଭିନ୍ନ ସ୍ଥାନକୁ ପଠାଉଛନ୍ତି। ଏ ବାବଦରେ ସେ ଅଂଚଳରେ ଥିବା ଥାନାଧିକାରୀ ସବୁ ଜାଣି ମଧ୍ୟ ନଜାଣିବାର ଅଭିନୟ କରୁଛନ୍ତି। ମାସିକ ଏକ କୋଇଲା ମାଫିଆ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଛନ୍ତି। ଗୋଟିଏ ଥାନା ଅଧୀନରେ ଥିବା ୫ଟି କୋଇଲା ବେପାରୀ ଯଦି ଚୋରା ଚାଲାଣ କରନ୍ତି, ତେବେ ମାସିକ ୧୦ ଲକ୍ଷ ଟଙ୍କା ସେହି ଥାନାକୁ ଗଳା ବାଟରେ ଯାଉଛି। ଅନୁରୂପ କୋଇଲା ଚୋରି କରୁଥିବା କୋଇଲା ଚୋର ଠାରୁ ଖୁଣ୍ଟ ପିଛା ୧୫ ଶହ ଟଙ୍କା ହିସାବରେ ଗୋଟିଏ ଥାନା ଏରିଆରେ ୨୦୦ ଖୁଣ୍ଟ ଥିଲେ ମାସିକ ୧୫ ଲକ୍ଷ ଟଙ୍କା ଆଦାୟ ହେଉଛି। ସମୁଦାୟ ୨୫ ଲକ୍ଷ ଟଙ୍କା ଏକ ଥାନାର ମାସିକ ଆଦାୟ ଅର୍ଥର ହିସାବ। ଅନୁରୂପ ଭଦ୍ରକରୁ ଧାମରା ମଧ୍ୟରେ ଥିବା ଥାନାଗୁଡିକର ଆଦାୟ ହିସାବ ଯଦି କରାଯାଏ, ତେବେ ତାହା ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ। ଏବେ ଗ୍ରାମାଞ୍ଚଳର ଲୋକେ ଦୈନିକ ମଜୁରୀ ଛାଡି ମାଫିଆଙ୍କୁ କୋଇଲା ଯୋଗାଉଛନ୍ତି। ଫଳରେ ଚୋରା ବେପାରୀ, କୋଇଲା ଓ ଚୋରଙ୍କ ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଇଛି। ଏହାର ପ୍ରଭାବ ଗ୍ରାମର ଆବାଳବୃଦ୍ଧ ବନିତାଙ୍କ ଉପରେ ପଡୁଛି। ଏପରିକି ରେଳଲାଇନ୍ ପାଶ୍ୱର୍କୁ ପାଇଖାନା କିମ୍ବା ପାଶ୍ୱର୍ରେ ଥିବା ପଡିଆକୁ ଗାଈ ଗୋରୁ ବାନ୍ଧିବାକୁ ଗଲେ କିମ୍ବା ଚାଷଜମିକୁ ବୁଲିବାକୁ ଗଲେ ନିରୀହ ଲୋକଙ୍କ ନାମରେ କିଛି କେଶ୍ ଦିଆଯାଉଛି। ଏଣୁ ଗୋଟିଏ ପଟେ ଚୋରା ବେପାରୀମାନଙ୍କୁ ଖୋଲାଖୋଲି ଭାବେ ଚୋରା ବେପାର କରିବାକୁ ଛାଡି ଦିଆଯାଉଛି। ରେଳଲାଇନ୍ ଓ ବନ୍ଦର ହେବା ପରେ ଭଦ୍ରକର ବିକାଶ ହେବ, ଜମିହରା ବିସ୍ତାପିତଙ୍କୁ ନିଯୁକ୍ତି ମିଳିବ, ପାଠପଢା ଶିକ୍ଷିତ ଯୁବକମାନଙ୍କୁ ଧାମରା ପୋର୍ଟରେ କାର୍ଯ୍ୟ ଦିଆଯିବା ସହ ସମସ୍ତେ ଘିଅ ମହୁରେ ଭାସିବେ ବୋଲି ସ୍ଥାନୀୟ ଜନସାଧାରଣଙ୍କର ଯେଉଁ ସ୍ୱପ୍ନ ଥିଲା, ତାହା ଅଧୁରା ହୋଇ ରହିଛି। ମାତ୍ର ଧାମରା ବନ୍ଦର କାର୍ଯ୍ୟରତ ଶ୍ରମିକମାନଙ୍କ ସମସ୍ୟା ଓ ଦୁଃଖ କହିଲେ ନସରେ। ଏବେ ଭୂମିହୀନ ବିସ୍ତାପିତଙ୍କ ସମସ୍ୟା ବୃଦ୍ଧି ପାଉଥିବାବେଳେ ସ୍କୁଲ, କଲେଜ ପାଠପଢା ଛାଡି ଛାତ୍ର ଓ ଶିକ୍ଷିତ ବେକାରୀମାନେ ନିଯୁକ୍ତି ନପାଇ କୋଇଲା ଚୋର ଓ କୋଇଲା ମାଫିଆ ସାଜିଛନ୍ତି। ଅଟୋ ଚାଳକ, ଟାଟା ମେଜିକ୍ ଚାଳକ, ଚାରିଚକିଆ ଯାନର ଚାଳକ ଗୁଡିକ କାର୍ଯ୍ୟ ନପାଇ ଏହି କାମକୁ ଆଦରି ସମାଜକୁ କଳୁଷିତ କରୁଛନ୍ତି। ଏହି ବାବଦରେ ସ୍ଥାନୀୟ ପୁଲିସ୍ ଫାଣ୍ଡି ଅଧିକାରୀ, କଂପାନୀ କର୍ତ୍ତୃପକ୍ଷ ଓ ପୁଲିସ୍କୁ ଜଣାଇବା ପରେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ପୁଲିସ୍ ନିଜର ଲାଞ୍ଚ କାରବାରକୁ ବଂଚାଇ ପଦକ୍ଷେପ ନେଉଛି। କୋଇଲା ଚୋର ମାନେ କୋଇଲା ରେଳଲାଇନ୍ ଖୁଣ୍ଟକୁ ସୁନା ଅଣ୍ଡାଦିଆ କୁକୁଡା ଭାବରେ ବ୍ୟବହାର କରୁଛନ୍ତି। ଚୋରା ବେପାର ପଇସାରେ ମଦ ଖାଇ ସେମାନେ ସେହି ଚାଷଜମିରେ ଫୋପାଡୁଛନ୍ତି। ନିଶାଚର ଭଳି ପରସ୍ପର ବିଭିନ୍ନ ମାରଣାସ୍ତ୍ର ଦ୍ୱାରା ଛକପଞ୍ଝା ହେଉଛନ୍ତି। ଆଞ୍ଚଳିକ ଚୌକିଦାର, କନେଷ୍ଟବଳ ଓ ସ୍ଥାନୀୟ ଶାସକ ଦଳର ରାଜନେତାମାନଙ୍କୁ ହାତବାରିସ କରି ଲାଞ୍ଚ କାରବାର ବଢାଇଚାଲିଛନ୍ତି। କୋଇଲା ମାଫିଆ ଓ କୋଇଲା ଚୋରମାନେ ମଦ, ଗଂଜେଇ ଓ ବ୍ରାଉନ୍ସୁଗାର ଭଳି ନିଶା ସେବନ କରି ରେଳଲାଇନ୍ ପାଶ୍ୱର୍ରେ ଥିବା ଗାଁମାନଙ୍କର ଝିଅ ବୋହୂକୁ ଅଶ୍ଳୀଳ ଇଙ୍ଗିତ ପ୍ରଦାନ କରୁଛନ୍ତି। ଧାମରା ଠାରୁ ଭଦ୍ରକ ମଧ୍ୟରେ ଥିବା ପୁଲିସ୍ ଷ୍ଟେସନ ଗୁଡିକ ମଧ୍ୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା, ସାବରଙ୍ଗ ଫାଣ୍ଡି, ତିହିଡି ଥାନା, ବାଂଶଡା ଥାନା, ବାସୁଦେବପୁର ଥାନା, ରେଳବାଇ ଥାନା ଓ ଚରମ୍ପା ଫାଣ୍ଡି ସହଯୋଗରେ କୋଇଲା ମାଫିଆମାନେ କୋଇଲା ଚୋରି କରୁଛନ୍ତି। ତାହା ଜିଲାର ବିଭିନ୍ନ ଇଟାଭାଟି ମାଲିକ ଓ ଭଦ୍ରକ ଜିଲାରୁ ବାଲେଶ୍ୱରକୁ, ବାଲେଶ୍ୱରରୁ ପଶ୍ଚିମବଙ୍ଗ ରାଜ୍ୟକୁ ପଠାଯାଉଛି। ଗୋଟିଏ ପକ୍ଷରେ କୋଇଲା ଭଳି ଜାତୀୟ ସଂପତ୍ତି ହଡପ ହେଉଥିବାବେଳେ ଜିଲା ପ୍ରଶାସନ ସବୁ ଜାଣି ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ। ଏଣୁ ରେଳଲାଇନ୍ରୁ କୋଇଲା ଚୋରା ଚାଲାଣ ବନ୍ଦ କରିବା ସହିତ ଶିକ୍ଷିତ ବେକାରୀମାନଙ୍କୁ ନିଯୁକ୍ତି, କୋଇଲା ମାପିଆମାନଙ୍କୁ ଆଇନ୍ ଅନୁଯାୟୀ ଉପରୋକ୍ତ ଦଣ୍ଡ ପ୍ରଦାନ ନକଲେ ଆଗାମୀ ଦିନରେ ଯେଉଁ ବଡ ଧରଣର ଆନ୍ଦୋଳନ ଦେଖାଦେବ, ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି। (ପ୍ରତିକାତ୍ମକ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top