ଭଦ୍ରକ : ଧାମରା ବନ୍ଦରର ସଂପ୍ରସାରଣ ପାଇଁ ଜନଶୁଣାଣି ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ସମ୍ମତି

ଭଦ୍ରକ, ୧୨ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମରା ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ କାର୍ଯ୍ୟର ପରିବେଶ ସଂପର୍କିତ ଜନଶୁଣାଣି  ଅନୁଷ୍ଠିତ ହୋଇଯାଇଛି । କଇଥଖୋଲା ପଞ୍ଚାୟତର କନକପ୍ରସାଦ ଡିଆରଡିଓ ହେଲିପ୍ୟାଡରେ ଏହି ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଜନଶୁଣାଣିରେ ଭଦ୍ରକ ଜିଲାପାଳ ଜ୍ଞାନ ଦାସ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ପ୍ରଦୂଷଣ ବିଭାଗର ଆଞ୍ଚଳିକ ନିର୍ଦେଶକ ପିକେ ମହାପାତ୍ର ଏହି ଜନଶୁଣାଣି ଶିବିରରେ ଉପସ୍ଥିତ ଥିଲେ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ସାଂସଦଙ୍କ ଧାମରା ପ୍ରତିନିଧି ତଥା ଧାମରା ସରପଞ୍ଚ ପ୍ରିୟରଞ୍ଜନ ଜେନା, ଧାମରା ବନ୍ଦର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ସୂର୍ଯ୍ୟକାନ୍ତ ପାଢି, ଉପଜିଲାପାଳ ଦାୟିତ୍ୱରେ ଥିବା ରାଜେନ୍ଦ୍ର ପଣ୍ଡା ପ୍ରମୁଖ  ଯୋଗ ଦେଇଥିଲେ । ବନ୍ଦର ଅଧିକାରୀ ବିଜୟ ସ୍ୱାଇଁ ଧାମରା ବନ୍ଦର ଆଗାମୀ ଦିନରେ ହେବାକୁ ଥିବା ସଂପ୍ରସାରଣ ବିଷୟରେ ଅଞ୍ଚଳର ଉନ୍ନତି ତଥା ପରିବେଶ ସଂପର୍କିତ ବିଷୟ ଉପରେ ଆଲୋକପାତ କରିଥିବା ବେଳେ ଆଗାମୀ ଦିନରେ ଧାମରା ବନ୍ଦର କର୍ତୃପକ୍ଷ ଆଗାମୀ ଦିନରେ ୧୭ ହଜାର ୧୫୮ କୋଟି ଟଙ୍କା ଏହି ବନ୍ଦରରେ ପୁଞ୍ଜି ନିବେଶ କରିବେ ବୋଲି ସୂଚନା ଦେଇଥିଲେ । ଧାମରା ବନ୍ଦର ମଧ୍ୟରେ ହେବାକୁ ଥିବା ଏଲଏନଜି ଟର୍ମିନାଲର କାର୍ଯ୍ୟ ୨୦୨୨ ମସିହାର ସୁଦ୍ଧା ସଂପୂଣ୍ଣ ର୍ ହେବା ସହ ଏହି କାର୍ଯ୍ୟ ତଥା ସଂପ୍ରସାରଣ କାର୍ଯ୍ୟରେ ଧାମରା ଅଞ୍ଚଳର ସମସ୍ତ ଶିକ୍ଷିତ ଏବଂ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ମତ ପ୍ରକାଶ ପାଇଥିଲା । ଧାମରା ବନ୍ଦର କର୍ତୃପକ୍ଷ ନିଜର ମତ ରଖିଥିବା ବେଳେ ବାଂଶଡା ଅଞ୍ଚଳର ବୁଦ୍ଧିଜୀବୀ ଉଗ୍ରେସନ ମଢୁଆଳ ନିଜର ପକ୍ଷ ରଖି ଧାମରାବାସୀ ବନ୍ଦର ସଂପ୍ରସାରଣ କଥାକୁ ସାଧାରଣରେ ଏହାକୁ ପୂଣ୍ଣ ର୍ ସମର୍ଥନ କରିବାକୁ ଆହ୍ୱାନ ଦେଇଥିଲେ । ଧାମରା ବନ୍ଦର କର୍ତୃପକ୍ଷ ଧାମରା ଡିଆଇ ରୋଡଠାରୁ ଏକ ରୋଡ ବାଂଶଡା ପର୍ଯ୍ୟନ୍ତ କରିବାକୁ ଏବଂ ବାଂଶଡାଠାରେ ମନ୍ତେଇ ନଦୀ ସେତୁ ଉପରେ ନିର୍ମାଣାଧୀନ ପୋଲକୁ ଖୁବଶୀଘ୍ର ସାରିବାକୁ ଧାମରା ବନ୍ଦର କର୍ତୃକ୍ଷ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବା ଦରକାର ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା । ଚାନ୍ଦବାଲି ବ୍ଲକର କଂଗ୍ରେସ ସଭାପତି ଦିଗମ୍ବର ଦାସ ନିଜ ପ୍ରତିକ୍ରିୟାରେ ଧାମରା ବନ୍ଦରର ସମସ୍ତ କାର୍ଯ୍ୟକ୍ରମ ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ । ଆଗାମୀ ଦିନରେ ଧାମରା ବନ୍ଦର କର୍ତୃପକ୍ଷ ଏକ ସବୁଜ ବଳୟ ସୃଷ୍ଟି କରିବା ନିହାତି ଦରକାର ବୋଲି କହିବା ସହ ଧାମରାର ପୂର୍ବତନ ଜିଲାପରିଷଦ ସଭ୍ୟ ବଳଭଦ୍ର ଲେଙ୍କା ଧାମରା ବନ୍ଦରକୁ ସ୍ୱାଗତ କରିବା ସହ ବିସ୍ଥାପିତମାନଙ୍କୁ ନେଇ ଉପୁଜିଥିବା ସମସ୍ୟାର ଆଶୁ ସମାଧାନ କରିବା ନିହାତି ଦରକାର ବୋଲି କହିଥିଲେ । ସେହିପରି କଂଗ୍ରେସର ଅମୀୟ ମହାପାତ୍ର ଶିଳ୍ପର ବିକାଶ ହେଲେ ଅଞ୍ଚଳର ବିକାଶ ସମ୍ଭବ ବୋଲି କହିବା ସହ ଏହି ବିକାଶ ଧାରା ଜାରି ରଖିବାକୁ ଆଦାନୀ କର୍ତୃପକ୍ଷଙ୍କୁ ନିବେଦନ କରିଥିଲେ । ଏହାସହ ରାଜ୍ୟ ସରକାର ଧାମରା ବନ୍ଦରକୁ ଏକ ନଂ କରି ଗଢି ତୋଳିବା ଦାୟିତ୍ୱ ଆଦାନୀ କର୍ତୃକ୍ଷଙ୍କୁ ଦେଇଥିବାରୁ ସେ ଆଦାନୀ କର୍ତୃକ୍ଷଙ୍କୁ ସବୁ ଦିଗରୁ  ଅଞ୍ଚଳବାସୀ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପକ୍ଷରେ ବିସ୍ଥାପିତ କମିଟିର ତପନ ପାଳ ନିଜ କଥା ଉତ୍ଥାପନ କରିଥିଲେ । ଜିଲାପାଳ ଏହି ଜନଶୁଣାଣିରେ ଭାଗ ନେଇଥିବା ସମସ୍ତ ନେତୃବୃନ୍ଦଙ୍କୁ ସହଯୋଗର ହାତ ବଢାଇ ଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ଧନ୍ୟବାଦ ଦେଇଥିଲେ । ଧାମରା ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ ଆଗାମୀ ଦିନରେ ଅଞ୍ଚଳର ଉନ୍ନତିକୁ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇବାକୁ ନିଜ ଚେଷ୍ଟା ଜାରି ରଖିବା ସହ ଧାମରା ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ପାନୀୟ ଜଳ ସହ ଅଞ୍ଚଳର ଯୁବଗୋଷ୍ଠୀଙ୍କୁ ବନ୍ଦରରେ ନିଯୁକ୍ତି କଥାକୁ ପ୍ରାଧାନ୍ୟ ଦେବେ ବୋଲି ନିଜର ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧାମରା ବନ୍ଦରର ସିଇଓ ମିତ ମେହେଟା, ଉପାଧ୍ୟକ୍ଷ ଜଗତ ପରିଜା, ସାମାଜିକ ଦାୟିତ୍ୱ ବିଭାଗର ସୁବାସ ରାୟ, କର୍ପୋରେଟ ବିଭାଗର ସୁବାଶିଷ ମିଶ୍ର ରାଜ୍ୟ ସରାକାରଙ୍କ ବହୁ ଉଚ୍ଚ ପଦାଧିକାରୀ  ଏହି ଜନଶୁଣାଣିରେ ଯୋଗ ଦେଇଥିଲେ । ଶେଷରେ ଏହି ଜନଶୁଣାଣି ସଫଳ ହୋଇଥିବା କଥା ରାଜ୍ୟ ପ୍ରଦୂଷଣ ବିଭାଗର ଆଞ୍ଚଳିକ ନିର୍ଦେଶକ ପିକେ ମହାପାତ୍ର ମତପୋଷଣ କରିବା ସହ ଏହି ଜନଶୁଣାଣିର ଭିଡିଓ ରେକର୍ଡିଂ ସେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଅବଗତି ନିମନ୍ତେ ପଠାଇବେ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *