ଭଦ୍ରକ : ଧାମନଗର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ଧାମନଗର ମାଟି କୀର୍ତ୍ତିମାନଙ୍କୁ ଜନ୍ମ ଦେଇଛି : ସୁଲୋଚନା

ଭଦ୍ରକ, ୧୭ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗରର ଇତିହାସକୁ ବାଦଦେଲେ ଓଡିଶା ଇତିହାସ ଲେଖାଯାଇ ପାରିବ ନାହିଁ । ଧାମନଗରରେ ଥିବା ଭାରତ ପ୍ରସିଦ୍ଧ ପୀର ବାବାଙ୍କ ଖାନ୍କା ସରିଫ, ଓଡିଶା ଇତିହାସରେ ଲିପିବଦ୍ଧ ହୋଇଥିବା ଲୁଣିଆ ଗୁଳିକାଣ୍ଡରେ ଇଂରେଜଙ୍କ ଗୁଳିରେ ସହିଦ ହୋଇଥିବା ୯ଜଣ ସ୍ୱାଧୀନତା ସଂଗ୍ରାମିଙ୍କ କାହାଣୀ ଏବଂ ଓଡିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବଙ୍କର ଗୋହିରାଟିକିରି ଠାରେ ବୀରଗତି ପ୍ରାପ୍ତ ହେବା ଇତ୍ୟାଦି ବିଭିନ୍ନ କାର୍ଯ୍ୟ ପାଇଁ ଧାମନଗର ସାରା ଭାରତର ନିଜର ପରିଚୟ ସୃଷ୍ଟି କରିଛି । ସେହିଭଳି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସାଧନା ପୀଠ ଏବଂ ତାଙ୍କ ଦ୍ୱାରା ରଚିତ ହୋଇଥିବା ଦେଶାତ୍ମବୋଧକ ବନେ୍ଦ ଉକ୍ରଳ ଜନନୀ ଗୀତ ଏବଂ ବିଭିନ୍ନ ଆଡେ ଅନୁଷ୍ଠିତ ସଭାରେ ପ୍ରଥମେ ସେହି ଗୀତକୁ ସମ୍ମାନର ସହ ବଜା ଯାଉଥିବାରୁ ଏଥିପାଇଁ ଧାମନଗରବାସୀ ଗର୍ବିତ ବୋଲି ଧାମନଗର କାଟଣାପାଇ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଆୟୋଜିତ ଧାମନଗର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମଞ୍ଚାସୀନ ଅତିଥି ମତବ୍ୟକ୍ତ କରିଛନ୍ତି । ଦ୍ୱିତୀୟ ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରତାପ ଜେନା, ବରେଣ୍ୟ ଅତିଥି ମହିଳା ଶିଶୁ ବିକାଶ ଓ କ୍ଷୂଦ୍ର ଶିଳ୍ପ ମନ୍ତ୍ରୀ ପ୍ରଫୁଲ ସାମଲ, ସମ୍ମାନୀତ ଅତିଥି ଭଦ୍ରକବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା ଓ ମୁଖ୍ୟବକ୍ତା ସାମାଜିକ କର୍ମୀ ଶ୍ରୀମତୀ ସୁଲୋଚନା ଦାସ ପ୍ରମୁଖ ଯୋଗଦେଇ ଧାମନଗର ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ଏଠାରେ ବସବାସ କରୁଥିବା ଦୁଇ ସଂପ୍ରଦାୟ ମଧ୍ୟରେ ଯେଉଁ ଭାଇଚାର ରହିଛି ତାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହୋଇଥିବା ଏବଂ ଏ ଅଞ୍ଚଳର ଯାତ୍ରା କଳାକାର, ପାଲା ଗାୟକ, କବି, ଶିକ୍ଷାବିତ୍ ଲୋକ ସଂସ୍କୃତି ବଞ୍ଚାଇ ରଖିବା କ୍ଷେତ୍ରରେ ଓ ରାଜନୀତି କ୍ଷେତ୍ରରେ ଯେଭଳି ଲୋକେ ପାରଦର୍ଶିତା ଲାଭ କରିଛନ୍ତି ସେ ସଂପର୍କରେ ସୂଚନା ପ୍ରଦାନ କରି ଧାମନଗର ମାଟିକୁ ପ୍ରଣାମ ଜଣାଇଥିଲେ । ମୁଖ୍ୟବକ୍ତା ସୁଲୋଚନା ଦାସ ବକ୍ତବ୍ୟରେ କହିଥିଲେ; ଧାମନଗର ମାଟି କୀର୍ତ୍ତିମାନ ବ୍ୟକ୍ତିଙ୍କୁ ଜନ୍ମ ଦେଇଛି ଯାହା ସଭା ଆରମ୍ଭରେ କୁନି ନୃତ୍ୟ ଶିଳ୍ପି ଆକାଂକ୍ଷାଙ୍କ ଆକର୍ଷଣୀୟ ନୃତ୍ୟ ଓ ତନ୍ମୟିଙ୍କ ତନ୍ମୟ ଭରା ଭାଷଣ ‘ଘରେ ଭିତରେ ପସିବା ପୂର୍ବରୁ ଏରୁଣ୍ଡି ବନ୍ଧ’ ସଦୃଶ୍ୟ ଏହା ସ୍ପଷ୍ଟ କରିଛି । ଉକ୍ରର୍ଷ କଳାର ରାଜ୍ୟ ଓଡିଶା ଓ ତାହା ମଧ୍ୟରେ ଧାମନଗରର ଐତିହ କଳା ସଂସ୍କୃତି ଭାଇଚାରାର ସମଷ୍ଟିଗତ ଭାବେ ଜଡିତ । ଧାମନଗର ବିଧାୟକ ମୁକ୍ତିବାବୁ ନିଜ ନିର୍ବାଚନ ମଣ୍ଡଳୀର ଯେଉଁ ପ୍ରୟାସ କରିଛନ୍ତି ଅନ୍ୟ ବିଧାୟକ ସେଭଳି ପ୍ରୟାସ କଲେ ଆଉ ଆମେ ଅବକ୍ଷୟ ଆଡକୁ ଯିବା ନାହିଁ ବୋଲି କହିବା ସହ ଧାମନଗର ମାଟିକୁ ପ୍ରଣାମ କରିଥିଲେ ଏବଂ ଧାମନଗରକୁ ସେ ଭାଇଚାର ନଗର ବୋଲି ଆକ୍ଷା ଦେଇଥିଲେ । ସଭାରେ ଉତ୍ସବ କମିଟିର ସଭାପତି ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କମିଟିର ଆବାହକ ଡ. ନରହରୀ ବେହେରା ସଭା ସଞ୍ଚାଳନ କରିଥିଲେ । କମିଟିର ସଂପାଦକ ତହସିଲଦାର ଚାଲର୍ସ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସଭାରେ ମଞ୍ଚାସିନ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସଭା ଆରମ୍ଭ ପୂର୍ବରୁ ମନ୍ତ୍ରୀଙ୍କ ଦ୍ୱାରା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନୂତନ ଗୃହ ଉଦ୍ଘାଟନ ଓ ଧାମନଗର କୋର୍ଟ ଘର ନିର୍ମାଣ ନିମନ୍ତେ ଶିଳାନ୍ୟାସ କରାଯାଇଥିଲା ।

Leave a Reply

Your email address will not be published. Required fields are marked *