ଭଦ୍ରକ : ଧାମନଗରରେ ୨୩ରୁ ଭାରତ ପ୍ରସିଦ୍ଧ ଉର୍ଷ ଉତ୍ସବ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାର ଧାମନଗର ପୀର ବାବା ହଜୁର ମୁଜାହିଦ୍-ଇ-ମିଲ୍ଲତଙ୍କ ଭାରତ ପ୍ରସିଦ୍ଧ ୩୮ତମ ବାର୍ଷିକ ଉର୍ଷ ଉତ୍ସବ ଆଗାମୀ ୨୩ ତାରିଖରୁ ଆରମ୍ଭ ହୋଇ ଦୁଇ ଦିନ ବ୍ୟାପୀ ସମାରୋହରେ ଅନୁଷ୍ଠିତ ହେବ। ପୀର ବାବାଙ୍କର ଏହି ପର୍ବରେ ଭାରତର ବିଭିନ୍ନ ରାଜ୍ୟରୁ ଲକ୍ଷଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ଆସି ଯୋଗ ଦେଉଥିବାରୁ ସେମାନଙ୍କ ସମସ୍ତ ପ୍ରକାର ସୁବିଧା ନିମନ୍ତେ ଏବଂ ଉର୍ଷ ପର୍ବକୁ ଶୃଙ୍ଖଳାର ସହ ସମାପନ ନିମନ୍ତେ କିଛିଦିନ ଅଗରୁ ଜିଲା ପ୍ରଶାସନ ଏବଂ ଉର୍ଷ କମିଟି ମିଳିତରେ ପ୍ରଥମ ପ୍ରସ୍ତୁତି ବୈଠକ ଭଦ୍ରକ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଧାମନଗର ଖାନକା ହବିବିୟାଠାରେ ଉକ୍ତ ପ୍ରସ୍ତୁତି ବୈଠକର ସମୀକ୍ଷା କରାଯାଇଥିଲା। ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ, ଆରକ୍ଷୀ ଅଧୀକ୍ଷକ ଅନୁ ସାହୁ, ଉପଜିଲ୍ଲାପାଳ ନରୋତ୍ତମ ବେହେରା, ତହସିଲଦାର ଚାଲର୍ସ ନାୟକ, ବିଡିଓ ଡ. ନରହରି ବେହେରାଙ୍କ ସମେତ ଧାମନଗର ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଧାମନଗର ଏସଡିପିଓ ସମେତ ଥାନା ଅଧିକାରୀ ଯୋଗ ଦେଇଥିଲେ। ଏହା ସହିତ ଉର୍ଷ କମିଟିର ସଭ୍ୟଙ୍କ ସହ ଧାମନଗର ଅଞ୍ଚଳର ବୁଦ୍ଧିଜୀବୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ପୀରବାବାଙ୍କ ଉର୍ଷ ଉତ୍ସବ ପାଳନ ନିମନ୍ତେ କମିଟି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପର୍ବର ଆରମ୍ଭ ଦିନ ସକାଳ ୬ଟାରୁ ସାଢେ ସାତଟା ପର୍ଯ୍ୟନ୍ତ କୋରାନ ପାଠ ପରେ ସାଧାରଣଙ୍କ ପାଇଁ ପୀରବାବାଙ୍କ ଦର୍ଶନ ଏବଂ ରାତି ୮ଟାରୁ ଭୋର ସାଢେ ଚାରିଟା ପର୍ଯ୍ୟନ୍ତ ସର୍ବଭାରତ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହେବ। ସେହିପରି ପରଦିନ ଭୋର ୪ଟାରେ ପୀରବାବାଙ୍କ ସ୍ନାନ ସରିବା ପରେ ୬ଟାରୁ ଚାଦର ପୋଷି ଜୁଲୋସ ଶୋଭାଯାତ୍ର ଅନୁଷ୍ଠିତ ହେବ। ପର୍ବର ମୁଖ୍ୟ ଆକର୍ଷଣ କୁଲ ସରିଫ(ସମୁହ ପ୍ରାର୍ଥନା) ଅପରାହ୍ନ ୪ଟାରୁ ସମୂହ ପ୍ରାର୍ଥନା ଆରମ୍ଭ ହୋଇ ତାହା ୫ଟା ୪୦ରେ ସରିବ ଏବଂ ରାତି ୮ଟାରୁ ଭୋର ୪ଟା ପର୍ଯ୍ୟନ୍ତ ପୀରବାବାଙ୍କ ମହିମା ବିଷୟରେ ଧର୍ମସଭା ହେବ ବୋଲି ଉର୍ଷ କମିଟି ସଂପାଦକ ଏମଡି ଇସ୍ରାଇଲ ହବିବି ସୂଚନା ଦେଇଛନ୍ତି। ସମୀକ୍ଷା ବୈଠକରେ ହୋଇଥିବା ଆଲୋଚନା ଅନୁସାରେ ଅଗରୁ ଉର୍ଷ ପର୍ବ ବେଳେ ଧାମନଗର ଭଦ୍ରକ ମୁଖ୍ୟ ରାସ୍ତାର ଦୁଇପାଖ ଖାନ୍କା ସରିଫ ଆଗରେ ଯେଭଳି ଦୋକାନ ପଡୁଥିଲା ତାହା ବନ୍ଦ କରିବାକୁ ନିଷ୍ପତି ନିଆଯିବା ସହ ଦୋକାନୀ, ଭକ୍ତ, ଶ୍ରଦ୍ଧାଳୁ ଏବଂ ବାଟୋଇମାନଙ୍କ ସୁବିଧା ନିମନ୍ତେ ପର୍ବରେ ଏଥର ସମସ୍ତ ଦୋକାନ ଅନ୍ୟ ସ୍ଥାନରେ ବସିବା ପାଇଁ ନିଷ୍ପତି ନିଆଯାଇଛି। ସେହିଭଳି ପର୍ବରେ ଡାକବାଜି ଯନ୍ତ୍ର ବନ୍ଦ କରି ବିଭିନ୍ନ ସ୍ଥାନରେ ବକ୍ସ ଲଗାଯିବ। ସେହି ବକ୍ସ ମାଧ୍ୟମରେ କେବଳ ସୂଚନା ପ୍ରଦାନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି। ବିଭିନ୍ନ ରାଜ୍ୟରୁ ଟ୍ରେନରେ ଆସୁଥିବା ଯାତ୍ରୀଙ୍କ ପାଇଁ ଭଦ୍ରକ ଚମର୍ପା ରେଳ ଷ୍ଟେସନରୁ ଧାମନଗର ବସ୍ ଭଡା ଜଣ ପ୍ରତି ୩୦ଟଙ୍କା ଭଦ୍ରକ ମଲ୍ଲିକ ମଇଦାନରୁ ଧାମନଗର ୨୫ ଟଙ୍କା ଚରମ୍ପାର ଧାମନଗର ଚାରି ଚକିଆ ଯାନ ଭଡା ୩୫ ଟଙ୍କା ଚରମ୍ପାର ଚାରି ଚକିଆ ଯାନ ଯଥା ମେଜିକ୍, ବୋଲେରୋ, କାର, ଅଟୋ ଇତ୍ୟାଦି ଧାମନଗରକୁ ରିଜର୍ଭ କଲେ ଯଥା କ୍ରମେ ୫୦୦, ୬୦୦, ୬୫୦ ଏବଂ ୩୫୦ ଟଙ୍କା ଭଡା ଦେବାକୁ ସ୍ଥିର କରାଯାଇଛି। ପର୍ବରେ ଧାମନଗର ଏନଏସି ପକ୍ଷରୁ ପାନୀୟ ଜଳ ଓ ୩୦ଟି ଅସ୍ଥାୟୀ ପାଇଖାନା ଯୋଗାଇ ଦିଆଯିବ। ଅନୁରୂପଭାବେ ଗମନାଗମନ ସୁବିଧା ନିମନ୍ତେ ଆଇଟିଆଇ ସ୍କୁଲ ପଡିଆ, ହାଇସ୍କୁଲ ପଡିଆ ଓ କାଟଣାସାହି ପଡିଆରେ ଯାନ ରହଣି ବ୍ୟବସ୍ଥା କରାଯାଇଛି। ଏହାସହ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ସମସ୍ତ ରାସ୍ତା ମରାମତି କରାଯିବ ଏବଂ ପର୍ବ ଅବସରରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍କୁଲ ଓ ମଦ୍ରାସା ସ୍କୁଲଗୁଡିକ ୩ ଦିନ ବନ୍ଦ ରହିବ। ପର୍ବରେ ବିଦ୍ୟୁତ କାଟ କରା ନଯିବା, ସ୍ୱାସ୍ଥ୍ୟ ସେବା ପାଇଁ ଅସ୍ଥାୟୀ କ୍ୟାମ୍ପରେ ଡାକ୍ତରୀ ଦଳ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ମାଗଣାରେ େଔଷଧ ବିତରଣ କରିବା ଆଦି ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ତାହା ତ୍ୱରାନ୍ୱିତ ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *