ଭଦ୍ରକ : ଧାମନଗରରେ ହନୁମାନ ମୂର୍ତ୍ତି ଭଙ୍ଗାଯିବା ପରେ ଏସପି ଡାକିଲେ ଶାନ୍ତି କମିଟି, ୭ ପ୍ଲାଟୁନ ପୁଲିସ ମୁତୟନ

ଭଦ୍ରକ, ୩ା୨ (ଓଡ଼ିଆପୁଅ  / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ଚୁନପଡା  ଛକରେ ହନୁମାନ ବିଗ୍ରହକୁ କେହି ଦୁର୍ବୃତ୍ତ ଭାଙ୍ଗିଦେଇଥିବାରୁ ସଂପୃକ୍ତ ସ୍ଥାନରେ  ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ୭ ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଛି ।  ଚୁନପଡା ଛକରେ ଥିବା ହନୁମାନ ବିଗ୍ରହଙ୍କୁ ଭଙ୍ଗାଯାଇଥିବାର ଦେଖିବାକୁ ମିଳିଥିଲା । ତୁରନ୍ତ ଏହି ଖବର ଚାରିଆଡେ ପ୍ରଚାର ହେବା ପରେ ଲୋକେ ଆସି ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ । ଧାମନଗର ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ପ୍ରଶମିତ ହୋଇଥିଲେ ହେଁ ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି । ଏ ସଂପର୍କରେ ଧାମନଗର ଥାନାରେ ଏକ ଲିଖିତ ଅଭିଯୋଗ ଅଞ୍ଚଳବାସୀଙ୍କ ପକ୍ଷରୁ ହୋଇଛି । ଏପଟେ ଜିଲା ପ୍ରଶାସନ ପକ୍ଷରୁ ଭଦ୍ରକ ଉପଜିଲାପାଳ, ଅତିରିକ୍ତ ଜିଲାପାଳ, ଜିଲା ଆରକ୍ଷୀ ଅଧିକ୍ଷକ ତୁରନ୍ତ ଧାମନଗରକୁ ଆସି ଘଟଣା ସଂପର୍କରେ ଆଲୋଚନା ଚଳାଇଛନ୍ତି । ଜିଲା ଏସପି ଅନୁପ ସାହୁଙ୍କ ନିର୍ଦେଶକ୍ରମେ ଧାମନଗର ଶାନ୍ତି କମିଟି ଡକାଯାଇଛି । ଏହି ଶାନ୍ତି କମିଟି ବୈଠକରେ ଧାମନଗର ତହସିଲଦାର ଚାର୍ଲସ ନାୟକ, ପୁଲିସ ଏସଡିପିଓ ମନୋରଞ୍ଜନ ସାମଲ, ଧାମନଗର ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ, ଭଦ୍ରକ ଟାଉନ ଥାନା ଅଧିକାରୀ ମନୋଜ ରାଉତ, ଚାନ୍ଦବାଲି ଥାନା ଅଧିକାରୀ କମଳ ଲୋଚନ ଭୂୟାଁ ଏବଂ ଭଣ୍ଡାରିପୋଖରୀ ଥାନା ଅଧିକାରୀ ତ୍ରିଲୋଚନ ସେଠୀଙ୍କ ସମେତ ଶାନ୍ତି କମିଟିର ସଭ୍ୟ ଯୋଗଦେଇଛନ୍ତି ।  ଅନ୍ୟପକ୍ଷରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ଧାମନଗରର ବିଭିନ୍ନ ସମ୍ବେଦନଶୀଳ ଜାଗା, ଛକ, ବଜାର ଇତ୍ୟାଦି ମାନଙ୍କରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ସ୍ୱତନ୍ତ୍ର ଭାବେ ଧାମନଗରକୁ  ୩ ପ୍ଲାଟୁନ କ୍ୱିକ ଆକ୍ସନ ଫୋର୍ସ ଏବଂ ୪ ପ୍ଲାଟୁନ ଓଏସଏପି ଫୋର୍ସ ମଗାଯିବା ସହ ପୁଲିସ ଫୋର୍ସକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି ।

Leave a Reply

Your email address will not be published. Required fields are marked *