ଭଦ୍ରକ : ‘ଦିବ୍ୟଜ୍ଞାନ ଓ ଦିବ୍ୟଚେତନାର ଉନ୍ମେଷ ଯୁଗେ ଯୁଗେ ସାହିତ୍ୟକୁ ଗତିଶୀଳ କରିଛି’ ହିମସାରମନା ସାହିତ୍ୟ ପରିଷଦର ପଞ୍ଚମ ବାର୍ଷିକୋତ୍ସବ

ଭଦ୍ରକ, ୮ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସାହିତ୍ୟ ବିନା ସମାଜ ଋଚିହୀନ। ଦିବ୍ୟଜ୍ଞାନ ଓ ଦିବ୍ୟଚେତନାର ଉନ୍ମେଷ ସାହିତ୍ୟକୁ ଯୁଗେ ଯୁଗେ ଗତିଶୀଳ କରିଛି ବୋଲି ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ବୌଦ୍ଧବିହାରସ୍ଥିତ ‘ହିମସାରମନା’ ସାହିତ୍ୟ ପରିଷଦର ପଞ୍ଚମ ବାର୍ଷିକୋତ୍ସବରେ ଯୋଗଦେଇ ସାହିତ୍ୟିକ, କବି, ଗାୟକ ଆଦି ସାରସ୍ୱତ ସାଧକମାନେ ମତ ପ୍ରକାଶ କରିଛନ୍ତି। ବିଶିଷ୍ଟ ସଂସ୍କୃତ ପଣ୍ଡିତ ଭୂତି ଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗାୟକ କଳାକାର ଅନିରୁଦ୍ଧ ପାଣିଗ୍ରାହୀ ସ୍ମୃତିରେ ରବିବାର ଅନୁଷ୍ଠିତ ଉତ୍ସବକୁ ଜିଲାପରିଷଦ ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ମହାନ୍ତି ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ପ୍ରତ୍ନତ୍ତ୍ୱବିତ୍ ଡ. ସୁନିଲ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ବିଡଓ ବନମାଳୀ ତରେଇ, ଥାନାଧିକାରୀ ତ୍ରିଲୋଚନ ସେଠୀ, ସମ୍ମାନିତ ଅତିଥି ଭାବେ କବି ନଟବର ରାଉଳ, ପ୍ରାକ୍ତନ ସରପଞ୍ଚ ମୁକୁନ୍ଦ ଚରଣ ମଲ୍ଲିକ, ସାହିତ୍ୟିକ ନାରାୟଣ ଚନ୍ଦ୍ର ସାମଲ ଯୋଗଦେଇ ସାହିତ୍ୟର ସମାଜଗଠନ ଭୂମିକା ସଂପର୍କରେ ବକ୍ତବ୍ୟ ରଖିଥିଲେ। ସଂପାଦକ ଦମୋଦର ନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପରିଷଦର ମୁଖପତ୍ର ‘ପବନସୁତ’ ଓ ସାହିତ୍ୟିକ ବାମନ ଚରଣ ଜେନାଙ୍କ ପୁସ୍ତକର ଉନ୍ମୋଚନ କରାଯାଇଥିଲା। କବି ଗୋଲକ ପ୍ରସାଦ ମହାନ୍ତି, ଶିଶୁ ପ୍ରତିଭା ଦୁର୍ଗାପ୍ରସନ୍ନ ସାହୁ, କବି ବାମନ ଚରଣ ଜେନା, ରଘୁନାଥ ମଲ୍ଲିକ, ଲକ୍ଷ୍ମୀଧର ଜେନା, ବୈଷୟିକବିତ୍ ଶ୍ରୀକାନ୍ତ କୁମାର ସାହୁ, ତ୍ରୈଲୋକ୍ୟନାଥ ମହାପାତ୍ର, ନୃତ୍ୟଶିଳ୍ପୀ ଦିବ୍ୟାଜ୍ୟୋତି ମିଶ୍ର, ଶିଶୁକବି ପବିତ୍ର କୁମାର ପଣ୍ଡା ପ୍ରମୁଖଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥି ପରିଚୟ ସହସଂପାଦକ ବିଶ୍ୱମ୍ଭର ରାଉତ, ସ୍ୱାଗତ ଭାଷଣ ଓ ଧନ୍ୟବାଦ ନବକିଶୋର ପରିଡା ପ୍ରଦାନ କରିଥିଲେ। କାଦମ୍ବିନୀ ଖୁଣ୍ଟିଆଙ୍କ ସଂଯୋଜନାରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ୩୦ଜଣ କବି ସ୍ୱଚରିତ କବିତା ପାଠ କରିଥିଲେ। କଳିଙ୍ଗ କଳା ବିକାଶ କେନ୍ଦ୍ର ଓ ଭୀମଭୋଇ କଳା ନିକେତନର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ। ସନ୍ଧ୍ୟାରେ ଗାୟକ ବସନ୍ତ କୁମାର ସ୍ୱାଇଁ ଓ ଶୁଶ୍ରୀ ପ୍ରଭାତୀ ବେହେରା ଓ ସାଥୀ ପାଲା ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ସଭାପତି ହରେକୃଷ୍ଣ ପାଣିଗ୍ରାହୀ, ବିଶ୍ୱେଶ୍ୱର ନାୟକ, କାର୍ତ୍ତିକ ଚନ୍ଦ୍ର ମହାରଣାଙ୍କ ସମେତ ସଦସ୍ୟମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *