ଭଦ୍ରକ : ତେଜୁଛି “ଫୁଡ୍ ଏଣ୍ଡ ଟେକ୍ସଟାଇଲ ପାର୍କ’ ପ୍ରତିଷ୍ଠା ପ୍ରସ୍ତାବ, ଚିନିକଳ ଜମିରେ ହଳ ବୁଲାଇଲା ଚାଷୀ

ଭଦ୍ରକ, ୧୬/୫ (ଓଡ଼ିଆ ପୁଅ/ପ୍ରମୋଦ ରାୟ) :ଏହି ଜିଲାର ଧାମନଗର ଛକ ନିକଟରେ ଚିନିକଳ ଲାଗି ଅଧିଗୃହୀତ ଜମିରେ ଇଡକୋ ଫୁଡପାର୍କ ପ୍ରତିଷ୍ଠା ଲାଗି ପ୍ରସ୍ତାବ ରଖିଥିବା ବେଳେ ଜମିହରା ଚାଷୀମାନେ ସେଠାରେ ହଳ ବୁଲାଇଛନ୍ତି। ୩ଟି ଟ୍ରାକ୍ଟରରେ ଚାଷୀମାନେ ଅଧିଗୃହୀତ ୨୧୭ ଏକର ଜମିକୁ ହଳ କରିବା ଆରମ୍ଭ କରିଛନ୍ତି। ଖାଲି ହଳ ନୁହେଁ ଜମିରେ ବିହନ ବି ବୁଣିଛନ୍ତି। ଜମିହରା ଚାଷୀମାନେ ଇଡକୋକୁ ବିରୋଧ କରି ପାଇମହୁରା ମନ୍ଦିରରେ ମେଳି କରିଥିଲେ। ସେଠାରେ ସେମାନେ କୌଣସି ପରିସ୍ଥିତିରେ ଜମି ଛାଡିବେନି ଏବଂ କେବଳ ଚନିକଳ ପ୍ରତିଷ୍ଠା ହେଲେ ଜମି ଛାଡିବେ ବୋଲି ନିଷ୍ପତି ନେଇଥିଲେ। ଏଣୁ ପ୍ରସ୍ତାବିତ ଜମିରେ ଫୁଡପାର୍କ ପ୍ରତିଷ୍ଠାକୁ ବିରୋଧ କରିବା ସହ ଇଡକୋର ପାଚେରି ନିର୍ମାଣକୁ ବି ବିରୋଧ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଇଡକୋର ପାଚେରି ନିର୍ମାଣ ପୂର୍ବରୁ ଉକ୍ତ ଜମିକୁ ଚାଷ କରିବାକୁ ନିଷ୍ପତ୍ତି ନେଇ ଚାଷୀମାନେ ହଳ ଓ ବୁଣା ଆରମ୍ଭ କରିଛନ୍ତି। ଉଲ୍ଲେଖନୀୟ ଯେ; ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ପାହିମହୁରା, ହେଲପୁର, ପିରିୁର, ବାହାଦଲପୁର ଓ ମଜୁରୀଗଡିଆ, ଧୂଳିଗଡିଆ ମୌଜାରେ ଚିନିକଳ ପ୍ରତିଷ୍ଠା ଲାଗି ୧୯୯୪ରେ ଇଡକୋ ପକ୍ଷରୁ ୨୧୭.୧୭ ଏକର ଜମି ଅଧିଗ୍ରହଣ କରାଯାଇଥିଲା। ଚିନିକଳ ସ୍ଥାପନ କରିବାକୁ ଥିବା କଂପାନୀ ‘ଧରଣୀ ସୁଗାର୍ସ ଲିମିଟେଡ’ଉକ୍ତ ପ୍ରସ୍ତାବରୁ ଓହରି ଯାଇଥିଲା। ଫଳତଃ ଇଡକୋ ଜରିଆରେ ଜମି ନେଇଥିବା କଂପାନୀ ସମସ୍ତ ଜମିକୁ ପୁନଃ ଇଡକୋକୁ ଫେରସ୍ତ କରିଥିଲା। ତେବେ ଅଧିଗ୍ରହଣର ୨୦ ବର୍ଷ ପରେ ଇଡକୋ ଉକ୍ତ ଜମିରେ ‘ଫୁଡ ଏଫ ଟେକ୍ସଟାଇଲ ପାର୍କ’ ସ୍ଥାପନ ଲାଗି ନିଷ୍ପତ୍ତି ନେଇଛି। ଏଥିପାଇଁ ଜମିକୁ ନିଜ ଦଖଲକୁ ନେବାକୁ ଚାହୁଁଛି ଇଡକୋ। ଜମିରେ ପାଚେରି ନିର୍ମାଣ ପାଇଁ ଇଡକୋର ଉଦ୍ୟମକୁ ଚାଷୀମାନେ ଏକାଧିକବାର ପଣ୍ଡ କରିବା ପରେ ଇଡକୋ ପକ୍ଷରୁ ଶେଷରେ ପୁଲିସ ସହାୟତା ଲୋଡାଯାଇଛି। ଏପଟେ କିନ୍ତୁ ଚାଷୀମାନେ ହଳ ଓ ବୁଣା ଆରମ୍ଭ କରିଦେବା ପରେ ଆଗକୁ ପ୍ରଶାସନ ଓ ଚାଷୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହେବାର ସମ୍ଭାବନା ଉପୁଜିଛି।

Leave a Reply

Your email address will not be published. Required fields are marked *