ଭଦ୍ରକ : ଡାକି ଦେଲେ ଡାକ ଶୁଣେ ଡାକୁଆ ଠାକୁରାଣୀ ମା’ ଆଙ୍କୁଡେଶ୍ୱରୀ

ଭଦ୍ରକ, ୧୨ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଡାକୁଆ ଠାକୁରାଣୀ ମା’ ଆଙ୍କୁଡେଶ୍ୱରୀ । ଭକ୍ତର ଡାକକୁ ମା’ ସବୁବେଳେ ଶୁଣି ଆସୁଥିବା ବିଶ୍ୱାସ ରହିଛି । ଏହି ବିଶ୍ୱାସକୁ ନେଇ ଭକ୍ତମାନେ ମା’ର ଶରାଣାପନ୍ନ ହୋଇଥାନ୍ତି । ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିନାୟକପୁର ଗ୍ରାମରେ ମା’ଙ୍କ ଶକ୍ତିପୀଠ । ଝାମୁଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ମା’ଙ୍କ ପୀଠ । ଆଙ୍କୁଡେଶ୍ୱରୀଙ୍କ ପରି ମା’ଙ୍କ ଚାରିପାଖରେ ପତିତ ପାବନୀ, ଜଗଦ୍ଧାତ୍ରୀ, ଲୋକମାତା ଆଦି ଶିଳାମୂର୍ତ୍ତି ପୂଜା ପାଇଆସୁଛି । ବହୁ ପ୍ରାଚୀନ କାଳରୁ ମା’ ଆଙ୍କୁଡେଶ୍ୱରୀ ମହାଶକ୍ତି ଦେବୀ ରୂପରେ ପୂଜା ପାଇଆସୁଛନ୍ତି । ଦ୍ୱାପର ଯୁଗରେ ବେନୁରାଜାଙ୍କ ମୁଣ୍ଡକୁ ମାଆ ନିଜେ ହାଣି ରଖିଥିବା ଲୋକଙ୍କ ମୁଖରୁ ଶୁଣାଯାଏ । ସମୁଦ୍ର କୁଳରେ ଏକ  ଘଞ୍ଚ ଜଙ୍ଗଲ ମଧ୍ୟରେ ମା’ ବିରାଜମାନ କରିଥିଲେ । ସେହିଠାରେ ଥିଲା ଏକ ବେଲ ଗଛ । ପ୍ରତିଦିନ ସେହି ଗଛ ମୂଳରେ ଜଣେ ବାଳକ ଧ୍ୟାନରେ ବସୁଥିଲା । କିଛିଦିନ ପରେ ସେହି ବାଳକଟି ସେଠାରୁ କୁଆଡେ ଚାଲିଗଲା । ପରେ ସେହି ଗଛମୂଳରେ ଗୋଟିଏ ବଡ ଗର୍ତ୍ତ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଭଣ୍ଡାରି ପରିବାରକୁ ସ୍ୱପ୍ନାଦେଶ ପରେ ସେହି ସ୍ଥାନ ଖୋଳା ଯିବାରୁ ଏକ ପାଶାଣ ମୂର୍ତ୍ତି ବାହାର କରାଯାଇଥିଲା । ପରେ ମା’ଙ୍କୁ ପୂଜା କରିବାକୁ ଆଙ୍କୁଡା ଚୌଧୁରୀ  ନାମକ ବ୍ୟକ୍ତିକୁ ସ୍ୱପ୍ନାଦେଶ ହୋଇଥିଲା । ଚୌଧୁରୀ ଆଙ୍କୁଡା ଠାରେ ପହଞ୍ଚି କେତେକ ଲୋକଙ୍କ ସହାୟତାରେ ମାଆଙ୍କ ପୂଜା ଆରମ୍ଭ କରିଥିଲେ । ସେହିଦିନଠାରୁ ମା’ଙ୍କ ପୂଜକ ଭାବେ ଭଣ୍ଡାରି ପରିବାର ସେବା କରି ଆସୁଛନ୍ତି । ଆଙ୍କୁଡା ଚୌଧୁରୀ ନାମ ଅନୁସାରେ ବାସୁଦେବପୁରର ବହୁ ଅଞ୍ଚଳ ଆଙ୍କୁଡା ପ୍ରଗଣା ନାମରେ ନାମିତ ହୋଇଛି । ମା’ଙ୍କ ଏହି ଆର୍ବିଭାବ ପରେ ବହୁ ଅଲୌକିକ କାହାଣୀ ଶୁଣିବାକୁ ମିଳେ । ଏହି ଶକ୍ତିପୀଠର ବଡ ପର୍ବ ହେଉଛି ବିଷୁବ ସଂକ୍ରାନ୍ତି  । ଯାତ୍ରା ପାଇଁ ମା’ଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଲାଣି । ଯାତ୍ରା ପାଇଁ ଗାଁ ମୁଣ୍ଡରେ ଥିବା ମାଆଙ୍କ ଭଉଣୀ ଘଟବାସୁଳୀଠାରୁ ଘଟ ଉତ୍ତୋଳନ ହୋଇ ଗାଁ ପରିକ୍ରମା କରୁଛି । ସଂକ୍ରାନ୍ତିର ଠିକ୍ ତିନିଦିନ ପୂର୍ବରୁ ଦେହୁରୀଙ୍କ ଦାଣ୍ଡରେ ନିଶାଘଟ ବସିଥାଏ । ସଂକ୍ରାନ୍ତି ଦିନ ଭୋର୍ ଆରମ୍ଭ ହୁଏ ମାଆଙ୍କ ବଡ ଯାତ୍ରା ବା ପଣା ସଂକ୍ରାନ୍ତି । ଏଇ ଯାତ୍ରାରେ ଜିଲା ତଥା ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ମା’ଙ୍କ ନିକଟରେ ଭୋଗ ଲଗାଇ ଭକ୍ତମାନେ ଦର୍ଶନ କରିଥାନ୍ତି ।

Leave a Reply

Your email address will not be published. Required fields are marked *