ଭଦ୍ରକ ଡାଇବେଟିସ ଫାଉଣ୍ଡେସନ ପକ୍ଷରୁ ଡାଇବେଟିସ ଦିବସ ପାଳିତ ମାଗଣା ପରୀକ୍ଷା ଶିବିରରେ ୧୩୭୮ ରୋଗୀ ପଞ୍ଜିକୃତ, ୯୭୨ ଚିହ୍ନଟ

ଭଦ୍ରକ,୧୪ା୧୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ବିଶ୍ୱ ମଧୁମେହ ଦିବସ ଓ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସ ଅବସରରେ ଭଦ୍ରକ ଡାଇବେଟ୍ସ ଫାଉଣ୍ଡେସନ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ଭଦ୍ରକ ନେହେରୁ ଷ୍ଟାଡିୟମରୁ ବାହାରି ସହରର ବନ୍ତ ଛକ, କଲେଜରୋଡ, ମେଡିକାଲ ଛକ, ଥାନାଛକ, କଚେରୀ ବଜାର ହୋଇ ତହସିଲରୋଡ ପର୍ଯ୍ୟନ୍ତ ସହର ପରିକ୍ରମା କରିଥିଲା । ଉକ୍ତ ଶୋଭାଯାତ୍ରାକୁ ଭଦ୍ରକର ଅତିରିକ୍ତ ଏସପି ଗୋବିନ୍ଦ ଚନ୍ଦ୍ର ମଲ୍ଲିକ ପତାକା ହଲାଇ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଡା. ରଞ୍ଜିତ ଖଟୁଆ, ସୁଧାକର ରାଉତ, ଡା. ହରେକୃଷ୍ଣ ନାୟକ, ଡାଇବେଟିସ ଫାଉଣ୍ଡେସନର ଉପସଭାପତି ଡ. ପ୍ରଦିପ କୁମାର ନାୟକ, ସମ୍ପାଦିକା ବସୁମିତ୍ରା ସାହୁ, ସମାଜସେବୀ ଅଜୟ ନାୟକ, ଘାସଫୁଲର ସମ୍ପାଦକ ବିଷ୍ଣୁ ସେଠୀ, ଜିଲ୍ଳା ପରିଷଦ ସଭ୍ୟ କ୍ଷୀରୋଦ ରାଉତ, ସଂଗ୍ରାମ ମହାନ୍ତି, ଡା. ଶରତ ଆଚାର୍ଯ୍ୟ, କାଉନସିଲର ଦୁର୍ଗା ଦାସ, ସେକ ସମ୍ଦାନୀ, ବରିଷ୍ଠ ଆଇନଜୀବୀ ପର୍ଶୁରାମ ଦ୍ୱିବେଦୀ, ଭାନୁ ପ୍ରକାଶ ବାନାର୍ଜୀ, ଶିବ ପ୍ରସାଦ ମହାନ୍ତି, ଏସ୍.ଏମ୍. ଫାରୁକ, ଡ. ବଳରାମ ମିଶ୍ର, ସୁରଜଚିତ ପାଲ, ପବନ କୁମାର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ । ନେହେରୁ ଷ୍ଟାଡିୟମଠାରୁ ଶୋଭାଯାତ୍ରାରେ ଅତିଥିମାନେ ଯାଇ ·· ନେହେରୁ ପାର୍କରେ ନେହେରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶୋଭାଯାତ୍ରାରେ ବହୁ ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ବିଭିନ୍ନ ସଚେତନତା ମୂଳକ ପ୍ଲାକାର୍ଡ, ବ୍ୟାନର ମାଧ୍ୟମରେ ଜନ ସଚେତନତା କରିଥିଲେ । ପରେ ଆରଡି ଛକ ନିକଟ ଡାକ୍ତର ରଞ୍ଜିତ ଡାଇବେଟିକ ସ୍ପେସିଆଲିଟି କ୍ଲିନିକଠାରେ ମାଗଣା ମଧୁମେହ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଅତିଥି ଭାବରେ ଅନ୍ୟତମ ଅତିରିକ୍ତ ଏସପି କୈଳାସ ପରିଡା ଉଦ୍ଘାଟନ କରିଥିଲେ । ଏହି ଶିବିରକୁ ମେଡିସିନ ଯୁବ ପ୍ରତିନିଧି ମାନେ ପରିଚଳାନା କରିଥିବା ବେଳେ ଶିବିରରେ ୧୩୭୮ଜଣଙ୍କ ନାମ ପଞ୍ଜିକୃତ ହୋଇଥିଲା । ଏଥି ମଧ୍ୟରୁ ୯୭୨ଜଣଙ୍କର ଡାଇବେଟିସ ଚିହ୍ନଟ ହୋଇଥିଲା । ଏହି ଅବସରରେ ‘ଭଦ୍ରକ ଡାଇବେଟ୍ସ ଭଏସ-୨୦୧୭’ ପୁସ୍ତକକୁ  ଉନ୍ମୋଚନ କରାଯାଇଥିଲା । ଏଥରର ସ୍ଳୋଗାନ ଭାବେ ‘ଓମେନ୍ ଆଣ୍ଡ ଡାଇବେଟ୍ସ’ ଉପରେ ଅତିଥିମାନେ ଆଲୋଚନା କରିଥିଲେ । ଚଳିତ ବର୍ଷ ଫାଉଣ୍ଡେସନ ପକ୍ଷରୁ ୫ ଟି ଜିଲ୍ଲାରୁ ୨୦ଜଣ ମଧୁମେହ ରୋଗୀଙ୍କୁ ଏବଂ ଆକ୍ରନ୍ତ ହୋଇ ଚିିକିତ୍ସିତ ହୋଇ ପାରୁନ ଥିବା ଦୁସ୍ଥ ୧୩ ଜଣ ରୋଗୀଙ୍କୁ ଆଜୀବନ ମାଗଣା ଚିକିତ୍ସା ଯୋଗାଇ ଦିଆଯିବାକୁ ସ୍ଥିର କରାଯାଇଥିଲା । ଏହି ଶିବିରରେ ମଧୁମେହ ବ୍ୟତୀତ ଆଖି, ହୃଦ୍ରୋଗ, ଥାଇରଏଡ ଆଦିର ଚିକିତ୍ସା ଦକ୍ଷ ଡାକ୍ତରମାନଙ୍କ ଦ୍ୱାରା କରାଯାଇଥିଲା ।

Leave a Reply

Your email address will not be published. Required fields are marked *