ଭଦ୍ରକ : ଟ୍ରାଭେରା ଗାଡି ସହ ୨୦ ଗ୍ରାମ୍ ର ବ୍ରାଉନ୍ ସୁଗାର ଜବତ, ୩ ଗିରଫ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍ ପକ୍ଷରୁ ଚଢାଉ କରାଯାଇ ଭଦ୍ରକ ଆସୁଥିବା ଏକ ଟ୍ରାଭେରା ଗାଡିରୁ ଲକ୍ଷାଧିକ ଟଙ୍କାର ୨୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରାଯାଇଛି। ଏବଂ ଏହି ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଂଚଳର ତିନିଜଣ ଯୁବକକୁ ଗିରଫ କରାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଆରଡିଛକ ଓମ୍ନଗରରେ ରହୁଥିବା ସରୋଜ କୁମାର ଦାସ ଓରଫ ଶତୁରା (୨୯) ନାମକ ଜଣେ ଯୁବକ ସ୍ଥାନୀୟ ରାଜପୁର-ତିହିଡି ବରାଡଡିହି ଗ୍ରାମନିବାସୀ ରାଜେନ୍ଦ୍ର ସେଠୀ ଓରଫ ସନିଆ (୨୫) ନାମକ ଜଣେ ଯୁବକ ସହ ମିଶି ବ୍ରାଉନ୍ସୁଗାର ବ୍ୟବସାୟ ଚଳାଇଆସୁଥିଲା। ଗତକାଲି ସେ ବାଲେଶ୍ୱର ଅରଡ ବଜାର ଅଂଚଳରୁ ୨୦ ଗ୍ରାମ ଓଜନର ବ୍ରାଉନ୍ସୁଗାରକୁ ଓଡି-୦୨ଏଡି-୫୭୧୦ ନମ୍ବରର ଏକ ଟ୍ରାଭେରା ଗାଡିରେ ଭଦ୍ରକ ଆଣୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଚରମ୍ପା ଫାଣ୍ଡି ନିକଟରେ ଛକି ବସିଥିବ ସହରାଞ୍ଚଳ ଥାନା ପୁଲିସ୍ ଗାଡିଟିକୁ ଅଟକାଇ ଫାଣ୍ଡିକୁ ଆଣିଥିଲେ। ପରେ ଗାଡି, ୩ଟି ପ୍ୟାକେଟ୍ (୨୦ ଗ୍ରାମ) ବ୍ରାଉନ୍ସୁଗାର ସହ ଦୁଇ ଯୁବକଙ୍କ ସମେତ ରାଜପୁର-ତିହିଡି ଗ୍ରାମର ଗାଡିଚାଳକ ବରେନ୍ଦ୍ର କୁମାର ବେହେରା (୨୧) କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ରାକେଟ୍ରେ ସରୋଜ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ରାଜେନ୍ଦ୍ର ତାର ସହଯୋଗୀ ଭାବେ କାର୍ଯ୍ୟ କରୁଥିଲା।

Leave a Reply

Your email address will not be published. Required fields are marked *