ଜିଲ୍ଲା ପରିକ୍ରମା

ଭଦ୍ରକ : ଟ୍ରାଫିକ ସମସ୍ୟା ନେଇ ଆନ୍ଦୋଳନ ଚେତାବନୀ

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାର ଅନ୍ୟତମ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଏହି ଜିଲାର ବନ୍ତ ବ୍ଲକ ଅନ୍ତର୍ଗତ ଆଗରପଡାରେ ଟ୍ରାଫିକ ସମସ୍ୟା ଗୁରୁତର ହେଉଛି। ଭଦ୍ରକ, କେନ୍ଦୁଝର, ବାଲେଶ୍ୱର ଜିଲା ସୀମାରେ ଆଗରପଡା ବଜାର ଅବସ୍ଥିତ। ଫଳରେ ପ୍ରତିଦିନ ଶତାଧିକ ଯାତ୍ରୀବାହୀ ଓ ମାଲ ବୋଝେଇ ଗାଡି ଆଦି ଚଳାଚଳ କରିଥାଏ। ସେଥିପାଇଁ ସ୍ଥାନୀୟ କଲେଜ ଛକ, ମହତାବ ଛକ ଆଦିରେ ବିଶେଷ କରି ଭଦ୍ରକରୁ ଆଗରପଡା ଯାତାୟତ କରୁଥିବା ମିନି ବସଗୁଡିକ ଘଣ୍ଟାଘଣ୍ଟା ଧରି କଲେଜ ଛକରେ ଅଟକି ରହିବା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏନେଇ ଅଞ୍ଚଳବାସୀ ଦୀର୍ଘଦିନ ହେବ ପ୍ରତିବାଦ କରିଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁନାହିଁ। ସ୍ଥାନୀୟ ବିଧାୟକ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପ୍ରଚେଷ୍ଟାରେ ସାଂସଦଙ୍କ ଅନୁଦାନ ପାଣ୍ଠିରୁ ୨ ଲକ୍ଷ ଟଙ୍କା ବ୍ୟୟରେ ଆଗରପଡା ଡାଏଟ ନିକଟ ସରକାରୀ ଜମିରେ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି। ସଂପୃକ୍ତ ବସଷ୍ଟାଣ୍ଡ ନିକଟରେ ଡାଏଟ ସମେତ ବିଇଡି କଲେଜ, ଜାଭିୟର ସ୍କୁଲ, ଶୋଭନୀୟ ଶିକ୍ଷାଶ୍ରମ, ଦମକଳ କେନ୍ଦ୍ର, ବନବିଭାଗ କାର୍ଯ୍ୟାଳୟ, ମହିଳା ମହାବିଦ୍ୟାଳୟ ପରି ବହୁ ଅନୁଷ୍ଠାନ ରହିଛି। ଅନ୍ୟପକ୍ଷରେ ବସଷ୍ଟାଣ୍ଡ ନିର୍ମାଣର ଦୀର୍ଘଦିନ ଅତିକ୍ରମ କରିଥିଲେ ସୁଦ୍ଧା ଯାତ୍ରୀବାହୀ ବସଗୁଡିକ ଜାଣିଶୁଣି ସେଠାକୁ ଯାଉ ନାହାନ୍ତି। ଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭଦ୍ରକରୁ ଆସିଥିବା ଲୋକଟିଏ ବିଭନ୍ନ ସ୍ଥାନକୁ ଯିବା ପାଇଁ ଅଟୋ ଆଦିରେ ଅଧିକ ଭଡା ଦେଇ ଯାଉଛି। ଫଳରେ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ଦାବି ଜୋର ଧରିଛି। ଏହି ବସଷ୍ଟାଣ୍ଡ ଆଗରପଡା ଅଞ୍ଚଳର ଶେଷ ମୁଣ୍ଡରେ ନିର୍ମାଣ କରାଯାଇଛି। ଷ୍ଟାଣ୍ଡକୁ ବସଗୁଡିକ ଯିବା ପାଇଁ ବସ ମାଲିକମାନଙ୍କୁ ବାରମ୍ବାର କୁହାଯାଉଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ କଥାକୁ ସେମାନେ ଭୃକ୍ଷେପ କରୁନାହାନ୍ତି। ଅପରପକ୍ଷରେ ପ୍ରତିଦିନ ବାଲି, ମୋରମ ଆଦି ବୋଝେଇ ହାଇୱା ପରି ଭାରୀଯାନଗୁଡିକ ଏହି ରାସ୍ତା ଦେଇ ଯା-ଆସ କରୁଥିବା ଯୋଗୁଁ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇ ଦୁର୍ଘଟଣା ଘଟୁଥିବା ଜଣାପଡିଛି। ଏହିସବୁ କାରଣ ପାଇଁ ମିନି ବସଗୁଡିକ ନୂଆ ବସଷ୍ଟାଣ୍ଡରେ ରହିବା ଅପରିହାର୍ଯ୍ୟ ହୋଇ ପଡିଛି। ମିନି ବସ୍ଗୁଡିକ ନୂତନ ବସଷ୍ଟାଣ୍ଡକୁ ଯିବା ପାଇଁ ଅଞ୍ଚଳବାସୀଙ୍କ ସହ ଦୋକାନୀମାନଙ୍କ ତରଫରୁ ଜିଲାପାଳ, ଅରକ୍ଷୀ ଅଧୀକ୍ଷକ, ବିଧାୟକ, ସାଂସଦଙ୍କୁ ଦାବିପତ୍ର ଦେବା ପାଇଁ ପ୍ରସ୍ତୁତି ଚାଲିଛି। ଏହା ସହିତ ଆଗାମୀ ୧୫ ଦିନ ମଧ୍ୟରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଆୟୋଜିତ ବୈଠକରେ ଚେତାବନୀ ଦିଆଯାଇଛି। ବୈଠକରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା, ଜିଲାପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ସରକାରୀ ଓକିଲ ମନୋଜ ରାୟ, ଜଗତମୋହନ ସିଂହ, ସାମ୍ବାଦିକ ଅକ୍ଷୟ ସିଂହ, ବିଜେପି ନେତା ଗୋପାଳକୃଷ୍ଣ ଦାଶ, ଅଶୋକ ପରିଡା, କଂଗ୍ରେସ ନେତା ତାପସ ରାୟ, ଚିତ୍ତରଞ୍ଜନ ରାମ, ସମିତିସଭ୍ୟ ଦିଲ୍ଲୀପ ପୁହାଣ, ଭୀଷ୍ମେଶ୍ୱର ଦାସ, ଯୁବନେତା ରମେଶ ନାୟକ, ମନ୍ମଥ ଦାସ, ନନ୍ଦକିଶୋର ନାୟକ, ଅମୀୟ ରାମ, ଧରାଣୀଧର ପୃଷ୍ଟି, କୃଷ୍ଣ ସାହୁ, ନୀଳାଦ୍ରି ପୃଷ୍ଟିଙ୍କ ସମେତ ସ୍ଥାନୀୟ ଇଲେଭେନ ଷ୍ଟାର କ୍ଲବ, ରାଜୟୁଥ କ୍ଲବ, ପ୍ରେସ କ୍ଲବ ଆଦି ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top