ଭଦ୍ରକ : ଜୋରାଗଡିଆକୁ ଚାରି ଚକିଆ ମନା

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗାଁର କୌଣସି ରୋଗୀ ହେଉ ବା ପ୍ରସୂତି, ସେମାନଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ କିମ୍ବା ଗାଁରେ ଅଗ୍ନିକାଣ୍ଡ ଘଟିଲେ ଦମକଳ ଚାରି ଚକିଆ ଯାନ ଯାଇପାରୁ ନଥିବାରୁ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୧ନଂ ୱାର୍ଡ ଜୋରାଗଡିଆବାସୀ ବର୍ଷ ବର୍ଷ ଧରି ଏହି ରାସ୍ତା ସମସ୍ୟା ପାଇଁ ନାହି ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଧାମନଗର ଏନଏସି କାର୍ଯ୍ୟାଳୟଠାରୁ ପ୍ରାୟ ଦୁଇ କିମି ଦୂରରେ ଥିବା ଜୋରାଗଡିଆ ଗ୍ରାମ ଆଗରୁ ଜୟନଗର ପଞ୍ଚାୟତର ୨ନଂ ୱାର୍ଡରେ ଥିଲା। ଧାମନଗର ବିଜ୍ଞାପିତ ଅଞ୍ଚଳର ଘୋଷଣା ହେବା ପରେ ଜୋରାଗଡିଆ ଗ୍ରାମକୁ ୧ନଂ ୱାର୍ଡରେ ରଖା ଯାଇଛି। ଗାଁରେ ୩୦ ପରିବାରର ପାୟ ୩ ଶହରୁ ଅଧିକ ଲୋକ ବାସ କରନ୍ତି। ଅଧିକାଂଶ ଲୋକଙ୍କର ଶିକ୍ଷାଗତ ଯୋଗ୍ୟତା ଓ ଆର୍ଥିକ ଅବସ୍ଥା ସେତେ ଭଲ ନୁହେଁ। ଯାହାଦ୍ୱାରା ଗ୍ରାମରେ ମାତ୍ର ଦୁଇ ଜଣ ସରକାରୀ ଚାକିରିଆକୁ ବାଦ ଦେଲେ ଅନ୍ୟ ସମସ୍ତେ ଚାଷ କାମ କରନ୍ତି। ଧାନ ଓ ଆଖୁ ଚାଷ ସହ ଗୋ’ପାଳନ କରି ଏମାନେ ନିଜର ଜିବୀକା ନିର୍ବାହ କରନ୍ତି। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଗାଁରେ ମାତ୍ର ପାଞ୍ଚୋଟି କୋଠା ଘରକୁ ବାଦ ଦେଲେ ଅନ୍ୟ ସମସ୍ତଙ୍କର ଝାଟିମାଟି କାନ୍ଥ ଓ ନଡା ଛପର ଘର। ତେବେ ଦୀପତଳ ଅନ୍ଧାର ଭଳି ଧାମନଗର ସଦର ମହକୁମାର ନାକ ତଳେ ଥିବା ଜୋରାଗଡିଆ ୱାର୍ଡବାସୀ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ୱାର୍ଡକୁ ସବୁଦିନିଆ ରାସ୍ତା ନାହିଁ। ସେହିପରି ୱାର୍ଡର ପ୍ରବେଶ ପଥ ଜୟନଗରର ଜଅ ନଈ ଉପରେ ପ୍ରାୟ ୨୦ ବର୍ଷ ତଳେ ତିଆରି ହୋଇଥିବା ଅଣଓସାରିଆ ବିଦସଂକୁଳ ପୋଲ ପରିସ୍ଥିତିକୁ ଅଧିକ ଜଟିଳ କରିଛି। ରାସ୍ତା ନଥିବାରୁ ଗାଁରୁ ଦେଢ କିମି ଦୂର ସ୍କୁଲକୁ ଯିବା ଲାଗି ବର୍ଷା ଦିନେ ପିଲାମାନେ ପ୍ରାୟ ତିନି ମାସ ବନ୍ଦ ରହୁଛନ୍ତି। ରୋଗୀ ଗୁରୁତର ହେଲେ ସେମାନଙ୍କୁ ବହୁ କଷ୍ଟରେ ଡାକ୍ତରଖାନା ନିଆଯାଏ। ଗାଁରେ ଅଗ୍ନିକାଣ୍ଡ ଘଟିଲେ ପାଖରେ ଦମକଳ ଥାଇ ମଧ୍ୟ ଏହାର ସୁବିଧା ନପାଇ ଲକ୍ଷ ଲକ୍ଷ ଟଙ୍କାର ଧନସଂପତ୍ତି ପୋଡି ନଷ୍ଟ ହୋଇଯାଏ ବୋଲି ୱାର୍ଡବାସୀ ଅଭିଯୋଗ କରିଛନ୍ତି। ଆଗରୁ ଆମେ ଯେଭଳି ଅସୁବିଧାରେ ଥିଲୁ ଏନଏସି ଘୋଷଣା ପରେ ଆମର କୌଣସି ସମସ୍ୟା ସମାଧାନ ହୋଇନାହିଁ ବୋଲି ୱାର୍ଡର ବୟୋଜ୍ୟଷ୍ଟ ବ୍ୟକ୍ତି ନାରଣ ଚନ୍ଦ୍ର ବେହେରା, ଉମାକାନ୍ତ ପରିଡା ସୂର୍ଯ୍ୟମଣି ବେହେରା ପ୍ରମୁଖ କହନ୍ତି। ୱାର୍ଡରେ ଭିନ୍ନକ୍ଷମ ବ୍ୟକ୍ତି ବିଷ୍ଣୁ ପ୍ରଧାନଙ୍କ ସମତେ ଅନ୍ୟ ବୃଦ୍ଧ ବୃଦ୍ଧାଙ୍କୁ ଭତ୍ତା ନମିଳିବା, ଯୋଗ୍ୟ ହିତାଧିକାରୀ ରେସନ କାର୍ଡ ନପାଇବା, ହିତାଧିକାରୀମାନେ ସରାକାରୀ ଯୋଜନାର ପକ୍କାଘର ପାଇବାରୁ ବଞ୍ଚିତ ହେବା ଭଳି ଘଟଣାକୁ ନେଇ ୱାର୍ଡବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ସେହିଭଳି ୱାର୍ଡରେ ଥିବା ଦୁଇଟି ସରକାରୀ ନଳକୂପର ଅବସ୍ଥା ଜରାଜୀର୍ଣ ହୋଇଛି। ୱାର୍ଡର ମାତ୍ର ଦୁଇଟି ପରିବାରକୁ ବାଦ ଦେଲେ ଅନ୍ୟମାନେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ଘର ପାଇବା ପାଇଁ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି। ୱାର୍ଡର ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ୱାର୍ଡବାସୀ ବହୁବାର କର୍ତ୍ତୂପକ୍ଷ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଏଥିପ୍ରତି କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି। ନିର୍ବାଚନ ବେଳେ କେବଳ ପ୍ରତିଶ୍ରୁତି ଦିଆଯାଉଛି, ହେଲେ ଭୋଟ ସରିଗଲେ ସବୁ ପ୍ରତିଶ୍ରୁତି ପ୍ରତାରଣା ପାଲଟିଛି ବୋଲି ଯୁବ ସମାଜସେବୀ ରମେଶ ବେହେରା କ୍ଷୋଭର ସହ ଜଣାଇଛନ୍ତି। ଧାମନଗର ବିଜ୍ଞାପିତ ଅଞ୍ଚଳର ଜୋରାଗଡିଆବାସୀଙ୍କ ଦୁର୍ଦ୍ଦଶାର କେଉଁଦିନ ଅନ୍ତ ଘଟିବ ୱାର୍ଡବାସୀ ସହରୀ ଜୀବନ ଯାପନ କରିବେ ତାହା ଏବେ ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି।

Leave a Reply

Your email address will not be published. Required fields are marked *