ଜିଲ୍ଲା ପରିକ୍ରମା

ଭଦ୍ରକ ଜୋନ୍ରେ ଯୁକ୍ତଦୁଇ ମୂଲ୍ୟାୟନ ପ୍ରକ୍ରିୟା ବିଳମ୍ବିତ

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଓଡିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୧୭-୧୮ ଶିକ୍ଷାବର୍ଷ ପାଇଁ ଚଳିତ ମାସ ୪ ତାରିଖରୁ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୧୬ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି। ପ୍ରଥମ ପର୍ଯ୍ୟାୟର ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ହେଁ ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କ ମୂଲ୍ୟାୟନ ବର୍ଜନ ନିଷ୍ପତ୍ତି ଯୋଗୁଁ ମୂଲ୍ୟାୟନ ପ୍ରକ୍ରିୟା ବିଳମ୍ବିତ ହୋଇଛି। ଭଦ୍ରକ ଜିଲାରେ ମାନୁଆଲ୍ ଜୋନ୍ଭାବେ ଭଦ୍ରକ ଜୁନିଅର କଲେଜ ଓ ଇମୂଲ୍ୟାୟନ ଜୋନ୍ ଭାବେ ବରପଦା ଇଞ୍ଜିନିୟରିଂ କଲେଜକୁ ପୂର୍ବବର୍ଷ ପରି ମନୋନୟନ କରାଯାଇଛି। ଭଦ୍ରକ କଲେଜରେ ମୋଟ ୧୪୬ଜଣ ନିରୀକ୍ଷକଙ୍କ ମଧ୍ୟରୁ ମାତ୍ର ୭୮ଜଣ ଓ ବରପଦା ଇଞ୍ଜିନିୟରିଂ କଲେଜରେ ମୋଟ ୯୦ଜଣରୁ ମାତ୍ର ୩୫ଜଣ ଯୋଗଦେଇଥିବା ବେଳେ ନୂତନ ପାଠ୍ୟକ୍ରମ ସହିତ ଆଦୌ ପରିଚିତ ନ ଥିବା ଅବସରପ୍ରାପ୍ତ ଅଧ୍ୟାପକ, ଡିଗ୍ରୀ କଲେଜ ଅଧ୍ୟାପକ, ଚୁକ୍ତିଭିତ୍ତିକ ଅଧ୍ୟାପକ, ନୂତନଭାବେ ଯୋଗଦେଇଥିବା ଅଧ୍ୟାପକଙ୍କୁ ବିକଳ୍ପ ଭାବରେ ଗ୍ରହଣ କରାଯାଇଛି। ଯେଉଁମାନେ ପାଠ୍ୟକ୍ରମ ସହିତ ପରିଚିତ ଥାଇ ନିୟମିତ ଶିକ୍ଷାଦାନ କରୁଥିଲେ, ସେମାନଙ୍କ ପରିବର୍ତ୍ତେ ଏ ଧରଣର ବିକଳ୍ପ ବ୍ୟବସ୍ଥା କେତେଦୂର ପରୀକ୍ଷାର୍ଥୀଙ୍କୁ ନ୍ୟାୟ ଦେଇପାରିବ ତାହାକୁ ନେଇ ଅଭିଭାବକ ମହଲରୁ ପ୍ରଶ୍ନଉଠିଛି। ଭଦ୍ରକ କଲେଜରେ ମୂଲ୍ୟାୟନ କାର୍ଯ୍ୟରେ ଯୋଗଦେବାକୁ ଯାଇ ପ୍ରତ୍ୟାବର୍ତ୍ତନ କରିଥିବା ପାଳିଆବିନ୍ଧା କଲେଜର ଅଧ୍ୟକ୍ଷ ପ୍ରଫେସର କମଳାକାନ୍ତ ବିଶ୍ୱାଳ ଏଥରର ମୂଲ୍ୟାୟନ ପଦ୍ଧତି ସଂପୂର୍ଣ୍ଣର୍ ବିପଜ୍ଜନକ ଓ ମୂଲ୍ୟାୟନ କେନ୍ଦ୍ରରେ ମନଇଚ୍ଛା ଟେବୁଲ୍ ତଥା ପରୀକ୍ଷକ ନିୟୋଜନ କରାଯାଇଛି ବୋଲି ପ୍ରକାଶ କରିଛନ୍ତି। ପ୍ରଫେସର ବିଶ୍ୱାଳ ରାଜନୀତି ବିଜ୍ଞାନ ବିଭାଗର ଜଣେ ବରିଷ୍ଠ ପ୍ରାଧ୍ୟାପକଭାବେ ସମଗ୍ର ଉତ୍ତର ଓଡିଶାରେ ବରିଷ୍ଠତମ। ମାତ୍ର ଭଦ୍ରକ କଲେଜରେ ଏଥର ରାଜନୀତି ବିଜ୍ଞାନରେ ୭ଜଣ ମୁଖ୍ୟ ନିରୀକ୍ଷକଙ୍କ ମଧ୍ୟରେ ସେ ଥାଇ ମଧ୍ୟ ତାଙ୍କୁ ଏକ୍ଜାମିନିଂ ଚିଫ୍ଭାବେ ମନମୁଖୀ ଅବସ୍ଥାପିତ କରାଯାଇଛି। ଯଦି ସହଯୋଗୀ ନିରୀକ୍ଷକ ନିଅଣ୍ଟ ପଡିଲେ ନିୟମ ଅନୁସାରେ ଟେବୁଲ୍ ମର୍ଜକରିବା କଥା। କିନ୍ତୁ ଟେବୁଲ୍ ନ ଭାଙ୍ଗି କନିଷ୍ଠଙ୍କୁ ନନ୍-ଏକ୍ଜାମିନିଂ ଚିଫ୍ କରାଯାଇଥିବା ବେଳେ ବରିଷ୍ଠଙ୍କୁ ଏକ୍ଜାମିନିଂ ଚିଫ୍ଭାବେ ଅବସ୍ଥାପିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ହୋଇଛି। ଏହାର ପ୍ରତିବାଦରେ ଶ୍ରୀ ବିଶ୍ୱାଳ ଜୋନ୍ ଅଧିକାରୀଙ୍କୁ ଅବଗତ କରାଇ ମୂଲ୍ୟାୟନ ପ୍ରତ୍ୟାହାର କରିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ବିଶ୍ୱିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଭିତରେ ସମନ୍ୱୟ ଅଭାବରୁ ଏକସାଙ୍ଗରେ ଯୁକ୍ତତିନି ଓ ଯୁକ୍ତଦୁଇ ମୂଲ୍ୟାୟନ କରାଯାଉଛି। ଫଳରେ କିଛି ଅଧ୍ୟାପକ ଯୁକ୍ତତିନିରେ ମୂଲ୍ୟାୟନ କାର୍ଯ୍ୟ ଯୋଗୁଁ ଯୁକ୍ତଦୁଇ ମୂଲ୍ୟାୟନ ପାଇଁ ଯାଇପାରି ନାହାନ୍ତି। ସେହିପରି ବ୍ଲକ୍ଗ୍ରାଣ୍ଟ ଅଧ୍ୟାପକଙ୍କୁ ମୂଲ୍ୟାୟନ ପାଇଁ ବାଦ୍ ଦିଆଯାଇଛି ବୋଲି ଘୋଷଣା କରାଯାଇଥିଲା ବେଳେ ସେମାନଙ୍କ ପାଖକୁ ପରିଷଦ ପକ୍ଷରୁ ମୂଲ୍ୟାୟନ ପାଇଁ ପତ୍ରପ୍ରେରଣ କରାଯାଇଛି। ଶିକ୍ଷା ପରିଚାଳନା ଅଧିକାରୀଙ୍କ କଥା ଓ କାର୍ଯ୍ୟରେ କୌଣସି ତାଳମେଳ ରହୁନାହିଁ। ସରକାର ସମସ୍ୟାର ନିର୍ଦ୍ଦିଷ୍ଟ ସମାଧାନ ପନ୍ଥା ଅବଲମ୍ବନ ପୂର୍ବକ ତୁରନ୍ତ ମୂଲ୍ୟାୟନ କାର୍ଯ୍ୟ ସଂପନ୍ନ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ଛାତ୍ରଛାତ୍ରୀ, ଅଭିଭାବକ ଓ ଅଧ୍ୟାପକ ଅଧ୍ୟାପିକା ଅନୁରୋଧ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top