ଭଦ୍ରକ ଜିଲ୍ଲା ରୋଟାରୀ ଭିନ୍ନକ୍ଷମ କ୍ରୀଡ଼ା ଉତ୍ସବ ପ୍ରସ୍ତୁତି ବୈଠକ

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ରୋଟାରୀ କ୍ଳବ, ଇନର ହୁଇଲ୍ କ୍ଲବ ଓ ଦୁର୍ଗାଦତ ଗୁଲଜାରୀମଲ୍ଲ ଟ୍ରଷ୍ଟର ମିଳିତ ଆନୂକୁଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାର ଭିନ୍ନକ୍ଷମ ସ୍କୁଲ ଛାତ୍ରଛାତ୍ରୀଙ୍କର କ୍ରୀଡ଼ା ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଅଗ୍ରୱାଲ ପେଲେସ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ରୋଟାରୀକ୍ଲବର ସଭାପତି ଇଂ. ଅମ୍ବିକା ବଲ୍ଲବ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି ବୈଠକରେ ଭଦ୍ରକ ଜିଲ୍ଲାର ଚରମ୍ପାସ୍ଥିତ ବୀଣାପାଣି ହେଲେନ୍ କେଲର ବିଦ୍ୟାଳୟ ଓ ମହାବୀର ଭିନ୍ନକ୍ଷମ ବିଦ୍ୟାଳୟ, ବେତଡ଼ାସ୍ଥିତ ଭିନ୍ନକ୍ଷମ ବିଦ୍ୟାଳୟ, ଗଣିଜାଙ୍ଗସ୍ଥିତ ରଙ୍କନିଧି ଭିନ୍ନକ୍ଷମ ବିଦ୍ୟାଳୟ, ଗେଲପୁରସ୍ଥିତ ସାଇସ୍ୱରୁପ ମାନସିକ ଅନଗ୍ରସର ବିଦ୍ୟାଳୟ, ଭଦ୍ରକ ଡାହାଣିଗଢ଼ିଆସ୍ଥିତ ମାନସିକ ଅନଗ୍ରସର ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ସମେତ ଇନର ହୁଇଲ୍ କ୍ଳବର ସଭାନେତ୍ରୀ ଶ୍ରୀମତୀ ସ୍ମିତା ମହାନ୍ତି, ଦୁର୍ଗାଦତ, ଗୁଲଜାରୀମଲ୍ଲ ଟ୍ରଷ୍ଟର ସଂପାଦକ ଶ୍ରୀଯୁକ୍ତ ସୀତାକାନ୍ତ ଦାସ, ଭଦ୍ରକ ରୋଟାରୀ କ୍ଳବର ସଦସ୍ୟ ପ୍ରାକ୍ତନ ସଭାପତି ଡାକ୍ତର ପ୍ରଭାସ କୁମାର ମହାନ୍ତି, ବିଜୟ କୁମାର ମହାନ୍ତି, ପ୍ରମୋଦ କୁମାର ଜେନା, ଗୟାଧର ପଣ୍ଡା, ବସନ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ। ଏହି କ୍ରୀଡ଼ା ପ୍ରତିଯୋଗୀତାରେ ବିଭିନ୍ନ ବିଦ୍ୟାଳୟରୁ ୨୮୫ ଜଣ ଭିନ୍ନକ୍ଷମ ବାଳକ ବାଳିକା ଯୋଗଦେବାକୁ ଥିଲାବେଳେ ବିଭିନ୍ନ ବିଦ୍ୟାଳୟରୁ ୭୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ବିଚାରକ ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବରିଷ୍ଠ ବର୍ଗ ଓ କନିଷ୍ଠ ବର୍ଗର ବାଳକ ବାଳିକାମାନଙ୍କ ମଧ୍ୟରେ ଦୃଷ୍ଟିବାଧିତ, ଶ୍ରବଣବାଧିତ ଓ ମାନସିକ ଅନଗ୍ରସର ପିଲାମାନଙ୍କ ମଧ୍ୟରେ ୨୬ଟି ଭିନ୍ନ ଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଆସନ୍ତା ଜାନୁଆରୀ ୭ ତାରିଖ ରବିବାର ସକାଳ ୯ଘଟିକା ସମୟରେ ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ଞାନ ଦାସ ଏହି କ୍ରୀଡ଼ା ଉତ୍ସବ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ଅପରାହ୍ନରେ ପୁରସ୍କାର ବିତରଣ ସଭା ସହିତ ଭିନ୍ନକ୍ଷମ ପିଲାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କ୍ରୀଡ଼ା ଉତ୍ସବରେ ସମସ୍ତଙ୍କର ସହଯୋଗ ଓ ଉପସ୍ଥିତି ପାଇଁ ଆୟୋଜକମାନେ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *