ଭଦ୍ରକ ଜିଲ୍ଲାର ବିକାଶ ଅଟକିଛି ଅଧା ରାସ୍ତାରେ – ତଥାପି ୨୦୧୮କୁ ନେଇ ଜିଲ୍ଲାବାସୀ ଉତ୍ସାହିତ

ଭଦ୍ରକ, ୧ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ୨୦୧୭ଆଜି ଇତିହାସ। ଏହି ବର୍ଷ ଜିଲ୍ଲାବାସୀଙ୍କୁ ଦେଇଛି ବହୁ ମଧୁର ଓ ତିକ୍ତ ଅନୁଭୂତି। ତେବେ ମଧୁର ଅପେକ୍ଷା ତିକ୍ତ ଅନୁଭୂତିର ମାତ୍ରା ଥିଲା ଅଧିକ। କାରଣ ଠିକ ବର୍ଷକ ପୂର୍ବେ ଭଦ୍ରକ ଜିଲ୍ଲାବାସୀ ଏହି ବର୍ଷକୁ ସ୍ୱାଗତ କରିବା ସହ ବେଶ କିଛି ଆଶା କରିଥିଲେ। ସମସ୍ତଙ୍କର ଆଶା ଥିଲା ବର୍ଷଟି ହେବ ବିକାଶ ଓ ପ୍ରାଚୁର୍ଯ୍ୟର ବର୍ଷ। ହେଲେ ସେପରି କିଛି ଦେଖିବାକୁ ମିଳିଲା ନାହିଁ। ପ୍ରଶାସନିକ ଶିଥିଳତା ଓ ରାଜନୈତିକ ଦଳମାନଙ୍କ ଛକାପ‚ା ମଧ୍ୟରେ ବିକାଶ ବାଟବଣା ହୋଇଗଲା। ବିଶେଷକରି ଜିଲ୍ଲା ସଦର ମହକୁମାରେ ବିକାଶ ପ୍ରତି କାହାର ଧ୍ୟାନ ରହିଲା ନାହିଁ। ଗତ ବର୍ଷ ପ୍ରାରମ୍ଭରେ ଯେଉଁ ସମସ୍ୟାକୁ ନେଇ ଜିଲ୍ଲାବାସୀ ଚିନ୍ତାପ୍ରକଟ କରିଥିଲେ, ସେସବୁ ସମସ୍ୟା ଆଜି ମଧ୍ୟ ପୂର୍ବବତ୍ ରହିଛି। ବିଶେଷକରି ଅମୃତ ସହର ଭଦ୍ରକରେ ରାସ୍ତାଘାଟ, ଡ଼୍ରେନେଜ, ଟ୍ରାଫିକ, ପରିମଳ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ, ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ ପାଇଁ ଏବେ ମଧ୍ୟ ଜମି ଖୋଜୁଛି ପୌରପାଳିକା। ସେହିପରି ପାର୍କ, ରାତ୍ରରହଣୀ କେନ୍ଦ୍ର, କଲ୍ୟାଣମଣ୍ଡପ ୨୦୧୭ରେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିଲାନି। ମୋଟାମୋଟି ଭାବରେ ଅମୃତ ସହରର ବିକାଶ ଅଟକି ଯାଇଛି ଅଧା ରାସ୍ତାରେ, ଯାହାକି ୬ମାସ ପରେ ହେବାକୁ ଥିବା ପୌର ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି। ଜିଲ୍ଲା ଗଠନ ହେବାକୁ ୨୬ବର୍ଷ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜିଲ୍ଲାର ବିକାଶ ଯେପରି ହେବା କଥା ତାହା ସମ୍ଭବ ହେଉନାହିଁ। ଆଦର୍ଶ ବିଦ୍ୟାଳୟ, ଆନନ୍ଦପୁର-ଭଦ୍ରକ-ଚାନ୍ଦବାଲି ରାସ୍ତା, ବାସୁଦେବପୁର-ଧାମରା ରାସ୍ତା, ତିନିତର ଘାଟ ଏବେ ମଧ୍ୟ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଥିବାବେଳେ, ମିନି ଷ୍ଟାଡ଼ିୟମ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭଦ୍ରକ ଜେଲ, ନର୍ସିଂ କଲେଜ ପାଇଁ ପୂର୍ବପରି ଜମି ଖୋଜୁଛି ପ୍ରଶାସନ। ଏହା ବ୍ୟତୀତ ଭଦ୍ରକରେ ମେଡ଼ିକାଲ ପ୍ରତିଷ୍ଠା, ପଲ୍ଲିଶ୍ରୀ ବିଶ୍ୱ ବିଦ୍ୟାଳୟ, କୃଷି ବିଶ୍ୱ ବିଦ୍ୟାଳୟର ଦାବି ମଧ୍ୟ ନୀରବି ଯାଇଛି। ବିଭିନ୍ନ ସ୍ତରରେ ଦୁର୍ନିତୀ କେଉଁ ସ୍ତରକୁ ଯାଇଛି ତହା ଭିଜିଲାନ୍ସ କାର୍ଯ୍ୟାଳୟର ରେକର୍ଡ଼ କହୁଛି। ସର୍ବୋପରି ଭଦ୍ରକର ସାମ୍ପ୍ରଦାୟିକ ହିଂସା ଘଟଣା ମଧ୍ୟ ଜିଲ୍ଲାକୁ ବେଶ କେଇ ବର୍ଷ ତଳକୁ ନେଇଯାଇଛି। ତେବେ ଏ ସମସ୍ତ ସମସ୍ୟା ଓ ଜିଲ୍ଲାର ବିକାଶ ଦିଗରେ ଆମର ଶାସକ ଦଳର ନେତୃବୃନ୍ଦଙ୍କର କିଛି କର୍ତ୍ତବ୍ୟ ରହିଥିବା ବିଚାରନ୍ତି ଜିଲ୍ଲାବାସୀ। ହେଲେ ସେମାନଙ୍କ ନିକଟରେ ବିକାଶ ପ୍ରତି ପ୍ରତିଶ୍ରୁତିବଦ୍ଧତାର ଅଭାବକୁ ଦେଖିବାକୁ ପାଇଛନ୍ତି ଜିଲ୍ଲାବାସୀ। ରାଜନୈତିକ ଦଳମାନଙ୍କର ଉତ୍ଥାନ ପତନ, ଦଳ ମଧ୍ୟରେ ସୃଷ୍ଟି ହେଉଥିବା ଆଭ୍ୟନ୍ତରୀଣ ଚାଲେଞ୍ଜକୁ ଦେଖି ବିକାଶ ଅପେକ୍ଷା ରାଜନୈତିକ ନେତୃବୃନ୍ଦ ନିଜ ଗାଦି ସୁରକ୍ଷିତ ରଖିବା ପାଇଁ ସମୟ ଅତିବାହିତ କରିଛନ୍ତି। ଠିକ ଏତିକିବେଳେ ଆସିଛି ୨୦୧୮। ଜିଲ୍ଲାବାସୀଙ୍କ ମନରେ ସୃଷ୍ଟି ହୋଇଛି ନୂତନ ଉତ୍ସାହ ଓ ସମ୍ଭାବନା। ୨୦୧୯ ନିର୍ବାଚନର ବର୍ଷ ହୋଇଥିବା ଦୃଷ୍ଟିରୁ ଶାସକ ଦଳର ବିଧାୟକ, ମନ୍ତ୍ରୀ ଓ ସାଂସଦ ୨୦୧୮ ବର୍ଷକୁ ବିକାଶର ବର୍ଷରେ ପରିଣତ କରିବେ ବୋଲି ଜିଲ୍ଲାବାସୀ ଆଶା କରୁଛନ୍ତି। କାରଣ ସେମାନେ ଜାଣିଛନ୍ତି ଆଉ ପ୍ରତିଶ୍ରୁତି ନୁହେଁ, ବିକାଶ ଦିଗରେ ନିଶ୍ଚିତ ଓ ନିର୍ଦ୍ଧିଷ୍ଟ ଭାବରେ କିଛି କରିବାକୁ ପଡ଼ିବ। ନଚେତ ସେମାନେ ଭୋଟରଙ୍କ ଦ୍ୱାରା ହୁଏତ ପ୍ରତ୍ୟାଖ୍ୟାତ ହୋଇପାରନ୍ତି। ତେଣୁ ୨୦୧୯ ସ୍ୱଭାବିକ୍ ଭାବରେ ଏକ ସମ୍ଭାବନାର ବର୍ଷ ହେବ ସେଥିନେଇ ଜିଲ୍ଲାାବାସୀ ଦୃଢ଼ ନିଶ୍ଚିତ।

Leave a Reply

Your email address will not be published. Required fields are marked *