ଭଦ୍ରକ ଜିଲ୍ଲାରେ ଦିଗହରା ହୋଇଛି ଉଜ୍ଜ୍ୱଳା ଯୋଜନା ଏଲପିଜି ବ୍ୟବହାର କରୁନଥିବା ହିତାଧିକାରୀ ସଂଖ୍ୟା ୫୦ହଜାରରୁ ଉର୍ଦ୍ଧ୍ୱ

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲାରେ କେନ୍ଦ୍ରୀୟ ଉଜ୍ଜ୍ୱଳା ଯୋଜନା ୨୦୧୬ ଜୁନ ମାସରୁ ଅରମ୍ଭ ହୋଇଛି। ୨୦୧୪ ମସିହା ସୁଦ୍ଧା ଜିଲ୍ଲାରେ ମାତ୍ର ୧୫.୧୫ପ୍ରତିଶତ ଲୋକଙ୍କ ଘରେ ଏଲପିଜି ଉପଲବ୍ଧ ଥିଲା। କିନ୍ତୁ ୨୦୧୮ ଏପ୍ରିଲ ମାସ ସୁଦ୍ଧା ଏହି ପ୍ରତିଶତ ୭୨.୧୫ରେ ପହଞ୍ଚିଛି। ଅର୍ଥାତ୍ ଗତ ୪ବର୍ଷ ମଧ୍ୟରେ ଅଧିକ ୫୭ପ୍ରତିଶତ ଘରେ ଏହା ପହଞ୍ଚି ପାରିଛି। ୨୦୧୧ ମସିହାରେ ପ୍ରସ୍ତୁତ ସାମାଜିକ ଓ ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ ଭଦ୍ରକ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଯୋଗ୍ୟ ହିତାଧୀକାରୀଙ୍କ ସଂଖ୍ୟା ଥିଲା ୧ଲକ୍ଷ ୨୧ ହଜାର। ସେମାନଙ୍କ ମଧ୍ୟରୁ ଚଳିତ ବର୍ଷ ଏପ୍ରିଲ ୧ତାରିଖ ସୁଦ୍ଧା ୧ଲକ୍ଷ ୧୩ହଜାର ଘରେ ଏଲପିଜି ପହଁଚି ପାରିଛି। ହିତାଧିକାରୀ ପରିବାର ମଧ୍ୟରୁ ୯୦ହଜାରରୁ ଅଧିକ ପରିବାରଙ୍କୁ ସୁଧମୁକ୍ତ ଋଣରେ ଏଲପିଜି ସଂଯୋଗ ପ୍ରଦାନ କରାଯାଇଛି। ଏପ୍ରିଲ ୨୦ ତାରିଖକୁ ଉଜ୍ଜ୍ୱଳା ଦିବସ ରୂପେ ପାଳନ କରାଯିବା ସହ ଜିଲ୍ଲାର ୧୮ଟି ସ୍ଥାନରେ ଏଲପିଜି ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତ୍ୟେକ କାର୍ଯ୍ୟକ୍ରମରେ ଅତି କମରେ୧୦୦ ମହିଳାଙ୍କୁ ନୂତନ ଏଲପିଜି ସଂଯୋଗ ପ୍ରଦାନ କରାଯିବ। ମହିଳମାନଙ୍କୁ ସୁରକ୍ଷିତ ଏଲପିଜି ବ୍ୟବହାର ଏବଂ ଏହାର ବହୁମୂଖୀ ଉପକାରିତା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସରକାରଙ୍କର ଗ୍ରାମ ସ୍ୱରାଜ ଯୋଜନାରେ ଭଦ୍ରକ ଜିଲ୍ଲାରୁ ୩୭ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଗ୍ରାମ ଗୁଡ଼ିକର ପ୍ରତ୍ୟେକ ଘରେ ଚଳିତ ମାସ ୧୪ରୁ ମଇ ୫ ତାରିଖ ମଧ୍ୟରେ ଏଲପିଜି ସଂଯୋଗ ପ୍ରଦାନ କରିବାର ଯୋଜନା ପ୍ରସ୍ତୁତ ହୋଇଛି ବୋଲି ଆଜି ଭଦ୍ରକ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ନୋଡ଼ାଲ ଅଫିସର କାର୍ତ୍ତୀକ ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି। ତେବେ ଶ୍ରୀ ଜେନା ପ୍ରଦାନ କରିଥିବା ସୂଚନା ଓ ତଥ୍ୟ ଉପରେ କୌଣସି ସନ୍ଦେହବ୍ୟକ୍ତ କରାଯାଇନପାରେ। କିନ୍ତୁ ଏକଥା ସତ ଯେ ଭଦ୍ରକ ଜିଲ୍ଲାରେ ଉଜ୍ଜ୍ୱଳା ଯୋଜନା ବିସ୍ତାରିତ ହୋଇଥିଲେ ମଧ୍ୟ ଏହା ଦିଗହରା ହୋଇପଡ଼ିଛି। ସଚେତନତାର ଅଭାବ ହେଉ କିମ୍ବା ଆର୍ଥୀକ ଦୃଷ୍ଟିକୋଣରୁ ହେଉ ଉକ୍ତ ଯୋାଜନା ଯେପରି ଭାବରେ ଆଦୃତ ହେବା କଥା ସେତକ ଦେଖିବାକୁ ମିଳିନାହିଁ। ତଥ୍ୟ ଅନୁଯାୟୀ ଭଦ୍ରକ ଜିଲ୍ଲାରେ ବିଭିନ୍ନ କମ୍ପାନୀର ୧୮ଜଣ ସ୍ୱୀକୃତିପ୍ରାପ୍ତ ଏଲପିଜି ଡ଼ିଲର ରହିଛନ୍ତି। ଏମାନଙ୍କ ଜରିଆରେ ମାସିକ ଆନୁମାନିକ ୭୫ହଜାର ସିଲିଣ୍ଡର ବିକ୍ରୀ ହେଉଛି। ଯଦି ଜିଲ୍ଲାରେ ମୋଟ ୧ଲକ୍ଷ ୧୩ହଜାର ଘରେ ଏଲପିଜି ପହଞ୍ଚିଛି ତେବେ ସର୍ବନିମ୍ନ ସମପରିମାଣର ସିଲିଣ୍ଡର ବିକ୍ରୀ ହେବା କଥା। ଏହା ବ୍ୟତୀତ ସହରାଞ୍ଚଳର ପ୍ରାୟ ସମସ୍ତ ଉପଭୋକ୍ତାଙ୍କର ଏକାଧିକ ଏଲପିଜି ସଂଯୋଗ ରହିଛି। ଯେଉଁମାନେକି ନିୟମିତ ଭାବରେ ଗ୍ୟାସ ବ୍ୟବହାର କରିଥାନ୍ତି। ତେଣୁ ଏହି ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବା କଥା। କିନ୍ତୁ ଜିଲ୍ଲାରେ ଉପଭୋକ୍ତାଙ୍କ ସଂଖ୍ୟା ଠାରୁ ୩୮ହଜାର କମ୍ ସିଲିଣ୍ଡର ବିକ୍ରୀ ହେଉଛି। ଏହି ପରିସଂଖ୍ୟାନ ବୟାନ କରୁଛି ମାସିକ ପ୍ରାୟ ୫୦ହଜାର ଉପଭୋକ୍ତା ଆଦୌ ଗ୍ୟାସ ବ୍ୟବହାର କରୁ ନାହାନ୍ତି। ଯେଉଁମାନେକି ଗ୍ରାମାଞ୍ଚଳର ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ତେଣୁ ସରକାରଙ୍କ ଏହି ମହତ୍ୱକାଂକ୍ଷୀ ଯୋଜନା ସଫଳ ହୋଇଥିବା ଜିଲ୍ଲା ନୋଡ଼ାଲ ଅଫିସର ଦୃଢ଼ ଭାବରେ କହୁଥିଲେ ମଧ୍ୟ ଏହି ଯୋଜନା ବାସ୍ତବ ରୂପ ନେଇ ପାରି ନାହିଁ। ତେବେ ସଚେତନତାର ଅଭାବ, ଏଲପିଜି ସିଲିଣ୍ଡରର ଅତ୍ୟଧିକ ଦାମ, ଗ୍ରାମାଞ୍ଚଳରେ ଜାଳେଣୀ କାଠ ସହଜରେ ଉପଲବ୍ଧ ହେଉଥିବା କାରଣରୁ ଏହି ଯୋଜନା ସଫଳ ନହୋଇ ବାଟବଣା ହୋଇ ପଡ଼ିଥିବା କୁହାଯାଉଛି। ଅପରପକ୍ଷରେ ସୁଧମୁକ୍ତ ଋଣରେ ଏଲପିଜି ସଂଯୋଗ ନେଇଥିବା ଉପଭୋକ୍ତାମାନେ ସମ୍ଭବତଃ ଋଣ ସୁଝିବାକୁ ପଡ଼ିବ ବୋଲି ଦ୍ୱିତୀୟ ଥର ସିଲିଣ୍ଡର ନେବାକୁ ଆସୁନଥିବା ମଧ୍ୟ ଅନ୍ୟ ଏକ କାରଣ ବୋଲି ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *