ଭଦ୍ରକ ଜିଲା ବିଜେଡିର ରାଜନୀତି ଧାମନଗର ନେତା ଭଣ୍ଡାରିପୋଖରୀ ମୁହାଁ

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଧାମନଗର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ମୁକ୍ତି ମଣ୍ଡଳ ନିଜର ଟିକଟ ନେଇ ସନ୍ଦିହାନ ଭିତରେ ଥିବା ବେଳେ ବ୍ଲକ୍ ଅଧ୍ୟକ୍ଷ ଅଶୋକ ନାୟକ (ବୁବୁନ) ନିଜର ଦଳୀୟସ୍ଥିତି ଓ ସାଂଗଠନିକ ଦକ୍ଷତାକୁ ନେଇ ପଲିଟିକାଲ ବାରଗେନିଂ ଓ ଗେମ୍ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଅଶୋକଙ୍କ ବିନା ଏଠି ବିଜେଡିର ସ୍ଥିତି ନାହିଁ ବୋଲି ଅଶୋକଙ୍କ ସମର୍ଥକ କହି ବୁଲୁଛନ୍ତି। ବିଜେଡିରୁ ନିଲମ୍ବିତ ହୋଇ ଗତ ପଂଚାୟତ ନିର୍ବାଚନ ବେଳେ ସ୍ୱାଧୀନରେ ବ୍ଲକ୍ ଅଧ୍ୟକ୍ଷ ହୋଇଥିଲେ। କେବଳ ସେତିକି ନୁହେଁ, ଧାମନଗର ବ୍ଲକ୍ର ୪ ଟି ଯାକ ଜିଲା ପରିଷଦ ଜୋନ୍ ବିଜେପି ହାତକୁ ଟେକି ଦେବା ପରେ ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ଭଦ୍ରକ ବିଜେପି ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବିଷ୍ଣୁ ବି ଅଶୋକଙ୍କୁ ସମର୍ଥନ ଦେଇ ବ୍ଲକ୍ ଅଧ୍ୟକ୍ଷ ଆସନରେ ବସାଇବାର ସହାୟକ ହୋଇ ଋଣ ସୁଝାଇ ଦେଇଥିଲେ। ବିଜେପି ନେତା ବିଷ୍ଣୁ ଓ ବିଜେଡିର ଅସନ୍ତୁଷ୍ଟ ନେତା ଅଶୋକଙ୍କ ଭିତିର ମହାମେଣ୍ଟ ସେତେବେଳେ ଧାମନଗରରେ ବିଜେଡିକୁ ଧରାଶାୟୀ କରିଦେଇଥିଲା। ବିଧାୟକ ମୁକ୍ତି ମଣ୍ଡଳ ପଂଚାୟତ ନିର୍ବାଚନର ବିଜେଡିର ପରାଜୟ ପରେ ନିଜକୁ ବେଶ୍ ଅସହାୟ ମନେ କରିଥିଲେ। ପଂଚାୟତ ନିର୍ବାଚନ ପରେ ପରେ ମୁକ୍ତି ଓ ଅଶୋକଙ୍କ ମଧ୍ୟରେ ଦୂରତା ଓ ତିକ୍ତତା ଆହୁରି ବଢିଯାଇଛି। ନିକଟରେ ଅଶୋକ ଧାମନଗର ଉପରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ତାଙ୍କର ବନ୍ଧୁ ମିଳନ ପର୍ବ ଓ ସମାବେଶକୁ ଭଣ୍ଡୁର କରିବା ପାଇଁ ୧୪୪ ଧାରା ଜାରି କରାଯିବା ସତ୍ୱେ ଧୁଷୁରୀ ଠାରେ ବନ୍ଧୁମିଳନ ପର୍ବ କରି ନିଜର ପତିଆରା ଓ ପାୱାର ସୋ କରିଛନ୍ତି। ସମାବେଶ ନକରାଇ ଦେବାର ଚକ୍ରାନ୍ତ ଶେଷରେ ଫସର ଫାଟି ଯାଇଥିଲା। ଅଶୋକଙ୍କ ସମାବେଶରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ କର୍ମୀ ଓ ସମର୍ଥକ ଏକଜୁଟ ହୋଇଥିଲେ। ଅଶୋକଙ୍କ ପ୍ରତି ଲୋକଙ୍କର ସ୍ୱତଃ ସମର୍ଥନ ବି ରହିଥିଲା। ସମାବେଶରେ ଏତେ ଲୋକଙ୍କୁ ଦେଖି ପ୍ରଶାସନ ଓ ପୁଲିସ୍ ବି ଛାନିଆ ହୋଇଯାଇଥିଲେ। ପ୍ରତିକୂଳ ପାଗ ପରେ ବି ଧାମନଗରର ସ୍ୱାଭିମାନ ରକ୍ଷା ପାଇଁ ଅଶୋକଙ୍କ ଡାକରାରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। ସମାବେଶ ସଫଳ କରି ଅଶୋକ ବିଜେଡି ମୁଖିଆଙ୍କ ନିକଟକୁ ବି ଏଇ ସନ୍ଦେହ ଦେଲେ, ତାଙ୍କ ବିନା ସମର୍ଥନରେ ଧାମନଗରରେ ବିଜେଡିର ଯିଏ ବି ବିଧାୟକ ପ୍ରାର୍ଥୀ ହେବ, ଜିତିବା ଅସମ୍ଭବ। ପଂଚାୟତ ନିର୍ବାଚନ ପରେ ଦଳୀୟ ହାଇକମାଣ୍ଡ ସବୁ ଦୃଷ୍ଟିରୁ ଚିନ୍ତା କରି ଅଶୋକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହା କରିଥିଲେ ମଧ୍ୟ ମୁକ୍ତି – ଅଶୋକ ଆଉ କେବେ ମେଳ ହୋଇପାରିନାହାଁନ୍ତି। କାହାର ଛାଇ କାହା ଉପରେ ପଡୁନାହିଁ। ଉଭୟ ନେତା ତିକ୍ତତାର ଚରମ ସୀମାରେ ରହିଛନ୍ତି। ଏଭଳି ପରିସ୍ଥିତିରେ ଦଳ ଆଗାମୀ ଦିନରେ କି ପ୍ରକାର ପଦକ୍ଷେପ ନେଉଛି। ତାହା ଉପରେ ସମସ୍ତଙ୍କର ନଜର ରହିଛି। ଦଳୀୟ ଗୋଟି ଚାଳନା ଯଦି ଠିକ୍ ଭାବେ ନହେଲେ, ତେବେ ଅଶୋକ ଓ ବିଷ୍ଣୁଙ୍କ ପୁରୁଣା ଅଘୋଷିତ ମେଣ୍ଟ ଫର୍ମୁଲା କାମ କଲା। ତେବେ ବିଜେପି ନେତା ବିଷ୍ଣୁ ସେଠୀଙ୍କ ଜିତିବା ଏଇ ଆସନ ପାଇଁ ସହଜ ହୋଇଯିବ ବୋଲି ରାଜନୈତିକ ମହଲରେ ବି ଆଲୋଚନା ହେଉଛି। ଏଇ ସବୁ ଅଙ୍କକଷାକୁ ନେଇ ଏବେ ବିଜେଡିର ଉପର ମହଲରେ ବି ଅଶୋକଙ୍କ ପତିଆରା ଉପରେ ଆଲୋଚନା ହେଉଛି। ଅଶୋକଙ୍କର ରାଜନୈତିକ ପଟ୍ଟୁତା ଓ ସାଂଗଠନିକ ଦକ୍ଷତାର ଗୁଇନ୍ଦା ରିପୋର୍ଟ ମଧ୍ୟ ବିଜେଡିର ରାଜ୍ୟ ରାଜନୀତିର ଅନ୍ଦର ମହଲରେ ପହଞ୍ଚିଛି। ଅଶୋକଙ୍କୁ କିଭଳି ମନାଇବାକୁ ପଡିବ। ସେ ବିଷୟରେ ବି ଚର୍ଚ୍ଚା ହେଉଛି। ମୁକ୍ତିଙ୍କୁ ଯଦି ଏଥର ଧାମନଗରରୁ ପୁଣି ଦଳ ବିଧାୟକ ପ୍ରାର୍ଥୀ କରେ ତେବେ ଅଶୋକ ନିଶ୍ଚୟ ଦଳ ପାଇଁ କାଳ ହେବେ। ମୁକ୍ତି ଯଦି ଭଦ୍ରକ ଲୋକସଭା ପାଇଁ ପ୍ରାର୍ଥୀ ହେବେ, ତେବେ ଧାମନଗରରେ ଆଉ କାହାକୁ ହୁଏତ ଦଳ ଟିକଟ ଦେବ ବୋଲି ଚିନ୍ତା କରୁଛି। ତେବେ ଅଶୋକଙ୍କ ସହ ଦଳ କି ପ୍ରକାର ସମଝତା କରିବ। ଏସବୁ ବିଷୟରେ ଦଳୀୟ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲୁଥିବାବେଳେ ଅଶୋକ ଏବେ ବିଧାୟକ ପ୍ରାର୍ଥୀ ହେବାକୁ କାଳେ ମନ ବଳାଇଲେଣି। ତାଙ୍କ ସମର୍ଥକଙ୍କ ଯୁକ୍ତି, ମୁକ୍ତି ଯଦି ବାସୁଦେବପୁର ବ୍ଲକ୍ରୁ ଆସି ଧାମନଗରରେ ବିଧାୟକ ହୋଇପାରିଲେ। ଧାମନଗର ବିଜେଡି ଦଖଲ କରିବାକୁ ହେଲେ ଅଶୋକଙ୍କୁ ଧାମନଗରରୁ ନେଇ ଆଗାମୀ ୧୯ ନିର୍ବାଚନରେ ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ କାହିଁକି ନକରିବେ। ଭଣ୍ଡାରିପୋଖରୀର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଦଳ ହୁଏତ ଭଦ୍ରକ ଆସନ ଦେଇପାରେ ବୋଲି ଶୁଣାଯାଉଛି। ପ୍ରଫୁଲ୍ଲ ବାବୁ ଭଦ୍ରକ ଆସିଲେ ଅଶୋକ ସେଠାରେ ବିଜେଡି ଦଳରୁ ଆଡଜଷ୍ଟ ହୋଇପାରିବେ ବୋଲି ଅଶୋକଙ୍କ ନିକଟତମ ମହଲର ଆଲୋଚନା। ଭଣ୍ଡାରିପୋଖରୀରେ ଦଳ କେଉଁ ପରିସ୍ଥିତିକୁ ଲକ୍ଷ୍ୟ କରି ଅଶୋକଙ୍କୁ ଦଳୀୟ ପ୍ରାର୍ଥୀ କରିବ, ତାହା ମଧ୍ୟ ଏକ ଦଳୀୟ ତର୍ଜମାର ବିଷୟ ହୋଇଛି। ଅଶୋକ ଯଦି ଏଭଳି ପଲିଟିକାଲ ଗେମ୍ ପ୍ଲାନ୍ରେ ରହିଥାନ୍ତି, ତେବେ ସମୟ କହିବ ଅଶୋକଙ୍କ ଗେମ୍ପ୍ଲାନ କେତେ ସଫଳ ହେଉଛି।

Leave a Reply

Your email address will not be published. Required fields are marked *