ଭଦ୍ରକ ଜିଲା ବାର୍ଷିକ ଯୋଜନା : ୨୦୦ କୋଟିର ବିନିଯୋଗ ପ୍ରମାଣପତ୍ର ନାହିଁ

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ବାର୍ଷିକ ଯୋଜନା ଅଟକଳରେ ୨୦୦ କୋଟି ଟଙ୍କାର ୟୁସି ନାହିଁ। ୨୦୧୭-୧୮ ବାର୍ଷିକ ଯୋଜନା ଅଟକଳରେ ସାମିଲ କରାଯାଇଥିବା ୪୭ଟି ବିଭାଗ ମଧ୍ୟରୁ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମାତ୍ର ୮ଟି ବିଭାଗର ଖର୍ଚ୍ଚର ଶହେ ପ୍ରତିଶତ ୟୁସି ଦାଖଲ କରାଯାଇଥିବାବେଳେ ଅବଶିଷ୍ଟ ୩୯ଟି ବିଭାଗକୁ ମଂଜୁର କରାଯାଇଥିବା ଅର୍ଥରୁ ଆହୁରି ପ୍ରାୟ ୨୦୦ କୋଟି ଟଙ୍କାର ୟୁସି ଏଯାଏ ଦାଖଲ କରାଯାଇନାହିଁ। ଅର୍ଥାତ୍ ଏହି ବିଭାଗୁଡିକୁ ମଂଜୁର କରାଯାଇଥିବା ଅର୍ଥର ପୂର୍ଣ୍ଣ ବିନିଯୋଗ କରାଯାଇନାହିଁ ଅଥବା ଖର୍ଚ୍ଚ କରାଯାଇଥିବା ଅର୍ଥର ବିନିଯୋଗ ପ୍ରମାଣପତ୍ର ଦାଖଲ କରିବା କ୍ଷେତ୍ରରେ ବିଭାଗୀୟ ଅଧିକାରୀମାନେ ଅନୁରୂପ ତତ୍ପରତା ପ୍ରକାଶ କରିନାହାଁନ୍ତି। ସରକାରୀ ସୂଚନା ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷରେ କୃଷି, ଶକ୍ତି, ପଶୁପାଳନ, ଜଂଗଲ ଓ ପରିବେଶ, ଜଳସେଚନ, ପାନୀୟଜଳ, ପୂର୍ତ୍ତ ଓ ଗୃହନିର୍ମାଣ, ମହିଳା ଓ ଶିଶୁ ବିକାଶ, କ୍ରୀଡା, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଦିବାସୀ କଲ୍ୟାଣ, ମତ୍ସ୍ୟପାଳନ ଆଦି ୪୭ଟି ବିଭାଗ ନିମନ୍ତେ ୯୫୩ କୋଟି ୪୦ ଲକ୍ଷ ଟଙ୍କାର ବାର୍ଷିକ ଯୋଜନା ଅଟକଳ ପ୍ରସ୍ତୁତ କରାଯାଇଥିଲା। ତେବେ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ଯୋଜନାରେ ଜିଲାକୁ ମିଳୁଥିବା ଅର୍ଥରୁ ୭୫୫ କୋଟି ୪୭ ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ କରାଯାଇଥିବାବେଳେ ଯୋଜନା ଅଟକଳରୁ ଆହୁରି ପ୍ରାୟ ୨୦୦ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ କରାଯାଇପାରିନାହିଁ। ଅର୍ଥାତ୍ ମଂଜୁର କରାଯାଇଥିବା ଅର୍ଥର ପୂର୍ଣ୍ଣ ବିନିଯୋଗ କରାଯାଇନାହିଁ ଅଥବା ବିଭାଗୀୟ ଅବହେଳା ଯୋଗୁଁ ବିନିଯୋଗ କରାଯାଇଥିବା ଅର୍ଥର ବିନିଯୋଗ ପ୍ରମାଣପତ୍ର ଦାଖଲ କରାଯାଇନାହିଁ। ଏହି ସୂଚନା ଅନୁଯାୟୀ ୪୭ ଟି ଯୋଜନା ମଧ୍ୟରୁ କେବଳ କୃଷି ଓ ଉଦ୍ୟାନ, ଜଂଗଲ ଓ ପରିବେଶ, ସ୍ୱାସ୍ଥ୍ୟ, ଗ୍ରାମ୍ୟ ପାନୀୟଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ (୧), ଆଦିବାସୀ ହରିଜନ କଲ୍ୟାଣ, ରାସ୍ତା ଓ ଗୃହ ନିର୍ମାଣ ଏବଂ ଡ୍ରେନେଜ୍ ଆଦି ୮ଟି ବିଭାଗକୁ ମଂଜୁର କରାଯାଇଥିବା ୧୧୫ କୋଟି ୨୩ ଲକ୍ଷ ଟଙ୍କାର ପୂର୍ଣ୍ଣ ବିନିଯୋଗପତ୍ର ଦାଖଲ କରାଯାଇଛି। ଅର୍ଥାତ୍ ଏହି ବିଭାଗ ଗୁଡିକୁ ମିଳିଥିବା ବାର୍ଷିକ ଯୋଜନାରେ ବ୍ୟୟବରାଦ ଅର୍ଥର ପୂର୍ଣ୍ଣ ବିନିଯୋଗ କରାଯାଇଥିବା ବେଳେ ଅବଶିଷ୍ଟ ବିଭାଗକୁ ମଂଜୁର ଅର୍ଥର ଶହେ ପ୍ରତିଶତ ବିନିଯୋଗ ସମ୍ଭବ ହୋଇନାହିଁ। ଗୋଟିଏ ପଟରେ ୨୦୧୭-୧୮ ଆର୍ଥିକ ବର୍ଷ ପରେ ଜିଲା ପ୍ରଶାସନ ତରଫରୁ ଏବେ ୨୦୧୮-୧୯ ଆର୍ଥିକ ବର୍ଷ ସକାଶେ ନୂଆ ଯୋଜନା ଅଟକଳ ପ୍ରସ୍ତୁତ କରିବାକୁ ଯାଉଥିବାବେଳେ ପ୍ରତିବର୍ଷରେ ଜିଲାପାଇଁ ମଂଜୁର କରାଯାଇଥିବା ବାର୍ଷିକ ଯୋଜନାର ପୂର୍ଣ୍ଣ ବିନିଯୋଗ ପ୍ରମାଣପତ୍ର ଦାଖଲ କରାଯାଇନପାରିବା ପ୍ରଶାସନିକ ଦୁର୍ବଳତାକୁ ପଦାରେ ପକାଇ ଦେଇଛି।

Leave a Reply

Your email address will not be published. Required fields are marked *