ଭଦ୍ରକ ଜିଲା ବନ୍ୟାରେ ୫ଟି ବ୍ଲକ୍ ର ୨.୩୦ ଲକ୍ଷ ଲୋକ ପ୍ରଭାବିତ, ୭ଟି ବ୍ଲକ୍ ର ୩୫୨୯୬ ହେକ୍ଟର ଚାଷଜମିର ଫସଲ ନଷ୍ଟ

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲାରେ ୭ଟି ବ୍ଲକ୍ ମଧ୍ୟରୁ ୫ଟି ବ୍ଲକ୍ ଲଘୁଚାପ ଜନିତ ବୈତରଣୀ ଓ ତାର ଶାଖାନଦୀ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏବେ ଆଖୁଆପଦା ଠାରେ ବୈତରଣୀର ଜଳପତ୍ତନ ହ୍ରାସ ପାଇଥିଲେ ବି ଲୋକଙ୍କ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଛି। ଏହି ବନ୍ୟାରେ ୫ଟି ବ୍ଲକର ୬୨ଟି ଗ୍ରାମପଂଚାୟତର ୨୭୦ଟି ଗ୍ରାମର ସମୁଦାୟ ୨ଲକ୍ଷ ୩୦ ହଜାର ୬୦୭ ଜଣ ଲୋକ ବନ୍ୟାଦ୍ୱାରା ପ୍ରଭାବିତ ହୋଇଥିବାବେଳେ ୭ଟି ବ୍ଲକ୍ରେ ବନ୍ୟା ଓ ଲଘୁଚାପ ଯୋଗୁଁ ୧, ୦୬, ୭୬୪ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଏଥିମଧ୍ୟରୁ ୩୫୨୯୬ ହେକ୍ଟର ଚାଷଜମି ସଂପୂର୍ଣ୍ଣ ଜଳମଗ୍ନ ହୋଇଥିବାବେଳେ ୩୩୮୭୧ ହେକ୍ଟର ଧାନ ଓ ୧୪୨୫ ହେକ୍ଟର ଅଣଧାନର ଚାଷଜମି ରହିଛି। କ୍ଷତିଗ୍ରସ୍ତ ହୋଇଥିବା ବ୍ଲକ୍ଗୁଡିକ ମଧ୍ୟରୁ ତିହିଡି ବ୍ଲକର ୭ଟି ପଂଚାୟତ ୪୯ଟି ଗ୍ରାମର ସର୍ବାଧିକ ୭୯୦୯୫ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ଧାମନଗର ବ୍ଲକର ୧୩ଟି ପଂଚାୟତ ୪୪ଟି ଗ୍ରାମର ୬୩୭୨୧ ଜଣ, ଭଣ୍ଡାରିପୋଖରୀ ବ୍ଲକର ୨୩ଟି ପଂଚାୟତ ୧୪୭ ଗ୍ରାମର ୧୫୭୦୦ ଜଣ, ଭଦ୍ରକ ବ୍ଲକର ୫ଟି ପଂଚାୟତ ୧୨ଟି ଗ୍ରାମର ୧୭୫୮୯ ଜଣ ଓ ପୌରପାଳିକାର ୧୮ଟି ୱାର୍ଡର ୩୨୦୦୦ ଜଣ, ଚାନ୍ଦବାଲି ବ୍ଲକର ୪ଟି ପଂଚାୟତ ୧୮ଟି ଗ୍ରାମର ୨୨୪୯୮ ଜଣ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେହିଭଳି ଭଦ୍ରକ, ତିହିଡି ଓ ଚାନ୍ଦବାଲି ଭଳି ୩ଟି ବ୍ଲକର ୨୨ଟି ପଂଚାୟତର ୭୭୦୫୬ ଜଳବନ୍ଦୀଙ୍କୁ ପ୍ରଶାସନ ପକ୍ଷରୁ ଚୂଡା, ଚାଉଳ ଓ ଗୋଖାଦ୍ୟ ଯୋଗାଇ ଦିଆଯାଇଛି। ଭଦ୍ରକ ବ୍ଲକର ୮୯୯୫ ବିପନ୍ନଙ୍କୁ ୧୧୬ କ୍ୱିଣ୍ଟାଲ ଚୁଡା ଓ ୨୪ କ୍ୱିଣ୍ଟାଲ ଗୁଡ, ତିହିଡି ବ୍ଲକର ୬୭୯୫୭ ଲୋକଙ୍କୁ ୧୬୯୩୯.୨୫ କେଜି ଚାଉଳ, ୧୩, ୮୨୩.୮୫ କେଜି ଚୁଡା ଓ ୩୦୩୯.୩୩ କେଜି ଗୁଡ ବଣ୍ଟନ ହୋଇଛି। ସେହିଭଳି ଚାନ୍ଦବାଲି ବ୍ଲକର ୧୦୪ ଜଣଙ୍କୁ ଚୁଡା, ଗୁଡ ସହ ଜଳବନ୍ଦୀଙ୍କୁ ୨ଟି କେନ୍ଦ୍ରରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଜିଲା ସ୍ୱାସ୍ଥ୍ୟ ବିଭାଗର ୫ଟି ମେଡିକାଲ ଟିମ୍ ଜରିଆରେ ଭଣ୍ଡାରିପୋଖରୀ, ତିହିଡି ଓ ଧାମନଗର ୩ ଟି ବ୍ଲକର ବନ୍ୟାଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ଅନୁରୂପ ବରପଦାରେ ଦୁଇଟି ସ୍ୱାସ୍ଥ୍ୟକେନ୍ଦ୍ର, ଭଣ୍ଡାରିପୋଖରୀ ୪ଟି, ଧାମନଗରରେ ୫ଟି ଓ ତିହିଡି ବ୍ଲକ୍ରେ ୨ଟି ହିସାବରେ ସମୁଦାୟ ୧୩ଟି ସ୍ୱାସ୍ଥ୍ୟସେବା କେନ୍ଦ୍ର ଖୋଲାଯାଇଛି। ଜିଲା କୃଷି ବିଭାଗର ପ୍ରାଥମିକ ଆକଳନ ଅନୁଯାୟୀ ଭଦ୍ରକ ବ୍ଲକର ୧୭ଟି ପଂଚାୟତର ୫୬ଟି ଗ୍ରାମର ୯୨୭୯ ହେକ୍ଟର ଚାଷଜମି ବନ୍ୟା ପ୍ରଭାବିତ ହୋଇଛି। ଏଥିମଧ୍ୟରୁ ୧୯ ହେକ୍ଟର ସଂପୂର୍ଣ୍ଣ ଜଳମଗ୍ନ ହୋଇଛି। ତିହିଡି ବ୍ଲକର ୨୦ଟି ପଂଚାୟତର ୬୫ ଗ୍ରାମର ୧୫୨୧୭ ହେକ୍ଟର ଚାଷଜମି ବନ୍ୟା ପ୍ରଭାବିତ ହୋଇଥିବାବେଳେ ୮, ୬୬୪ ହେକ୍ଟର ଜମି ଜଳମଗ୍ନ ହୋଇଛି। ସେଥିମଧ୍ୟରୁ ୮୨୬୫ ହେକ୍ଟର ଧାନ ଓ ୩୯୯ ହେକ୍ଟର ଅଣଧାନ ଚାଷଜମି ରହିଛି। ଚାନ୍ଦବାଲି ବ୍ଲକର ୩୩ଟି ପଂଚାୟତର ୨୦୩ ଗ୍ରାମର ୨୬୧୮୬ ହେକ୍ଟର ଚାଷଜମି ବନ୍ୟା ପ୍ରଭାବିତ ହୋଇଥିବାବେଳେ ସେଥିମଧ୍ୟରୁ ୬୧୫୭ ଚାଷଜମି ଜଳମଗ୍ନ ହୋଇଛି। ବାସୁଦେବପୁର ବ୍ଲକର ୪ଟି ପଂଚାୟତର ୯ଟି ଗ୍ରାମର ୨୭୮୫ ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବାବେଳେ ୧୨୪ ହେକ୍ଟର ଜମି ଜଳମଗ୍ନ ଅଛି। ସେଥିମଧ୍ୟରୁ ୧୧୩ ହେକ୍ଟର ଧାନ ଓ ୧୧ ହେକ୍ଟର ଅଣଧାନ ରହିଛି। ବନ୍ତ ବ୍ଲକ୍ରେ ୨୫ଟି ପଂଚାୟତର ୧୩୪ ଟି ଗ୍ରାମର ୧୬୯୪୬ ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବାବେଳେ ୬୪୦ ହେକ୍ଟର ଜମି ଜଳମଗ୍ନ ହୋଇଛି। ଧାମନଗର ବ୍ଲକର ୩୨ଟି ପଂଚାୟତର ୧୪୧ଟି ଗାଁର ୧୮୪୮୮ ହେକ୍ଟର ଚାଷଜମି ବନ୍ୟା ପ୍ରଭାବିତ ହୋଇଥିବାବେଳେ ସେଥିମଧ୍ୟରୁ ୧୨୩୪୮ ହେକ୍ଟର ଧାନ ଓ ୭୭୯ ଅଣଧାନ ରହିଛି। ମୋଟ ୧୩୧୨୭ ହେକ୍ଟର ଜମି ଜଳାର୍ଣ୍ଣବ ହୋଇପଡିଛି। ଭଣ୍ଡାରିପୋଖରୀ ବ୍ଲକର ୨୩ଟି ପଂଚାୟତ ୮୩ଟି ଗ୍ରାମର ୧୭୮୬୩ ହେକ୍ଟର ଚାଷଜମି ବନ୍ୟା ପ୍ରଭାବିତ ହୋଇଥିବାବେଳେ ସେଥିମଧ୍ୟରୁ ୩୪୪୯ ହେକ୍ଟର ଧାନ ଓ ୨୩୬ ହେକ୍ଟର ଅଣଧାନ ହିସାବରେ ସମୁଦାୟ ୩୬୮୫ ହେକ୍ଟର ଚାଷଜମି ଜଳମଗ୍ନ ରହିଛି।

Leave a Reply

Your email address will not be published. Required fields are marked *