ଭଦ୍ରକ ଜିଲା ବନ୍ୟାରେ ୩ ଲକ୍ଷ ୨୬ ହଜାର ୯୦୪ ଜଣ କ୍ଷତିଗ୍ରସ୍ତ

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଗତ ସପ୍ତାହର ଲଘୁଚାପ ଜନିତ ଭଦ୍ରକର ତୃତୀୟ ବନ୍ୟା ଥମିଥିଲେ ବି ଲୋକଙ୍କ ଦୁର୍ଦ୍ଦଶା ଥମିନାହିଁ। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଆଖୁଆପଦା ଠାରେ ବୈତରଣୀର ଜଳପତ୍ତନ ବିପଦ ସଂକେତ ୧୭.୮୩ ର ନିମ୍ନରେ ଥାଇ ୧୭.୫୬ ମିଟରରେ ପ୍ରବାହିତ ହେଉଛି। ଏବେ ଏହି ବନ୍ୟା ଯୋଗୁଁ ଜିଲାର ୭ଟି ବ୍ଲକ୍ ମଧ୍ୟରୁ ଭଦ୍ରକ ବ୍ଲକ୍ର ଗୋଟିଏ ପଂଚାୟତର ୧୩ ଟି ଗ୍ରାମ, ପୌରାଞ୍ଚଳର ୧୮ଟି ୱାର୍ଡ, ତିହିଡି ବ୍ଲକ୍ର ୧୩୩ଟି ଗ୍ରାମ, ଧାମନଗରର ୧୧୬ ଟି ଗ୍ରାମ, ଭଣ୍ଡାରିପୋଖରୀର ୧୪୭ ଟି ଗ୍ରାମ ଓ ଚାନ୍ଦବାଲିର ୧୮ ଟି ଗ୍ରାମର ସମୁଦାୟ ୩ ଲକ୍ଷ ୨୬ ହଜାର ୯୦୪ ଜଣ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ବନ୍ୟାରେ ଗୋଟିଏ ଗାଈ ଓ ତିନୋଟି ଛେଳି ମୃତ୍ୟୁବରଣ କରିଥିବାବେଳେ ୫୪୯୪୬ ହେକ୍ଟର ଚାଷଜମି ପାଣିରେ ବୁଡି କ୍ଷତିଗ୍ରସ୍ତ ହୋଇଛି। ଆଜି ସୁଦ୍ଧା ୩ଟି ରିଲିଫ୍ କ୍ୟାମ୍ପ ଚାନ୍ଦବାଲି ବ୍ଲକ୍ର ବୋଡକ ଠାରେ ଖୋଲାଯାଇ ୬୧୦ ଜଣ ବ୍ୟକ୍ତି ଓ ୧୪୨ ଜଣ ଶିଶୁଙ୍କ ସମେତ ସମୁଦାୟ ୭୫୨ ଜଣଙ୍କୁ ଜରୁରୀ କାଳୀନ ସହାୟତା ପ୍ରଦାନ କରାଯାଇଛି। ସେହିଭଳି ଭଦ୍ରକ ବ୍ଲକ୍ରେ ଜରୁରୀ କାଳୀନ ରିଲିଫ୍ ସହାୟତା ୮୯୯୫ ଜଣଙ୍କୁ ଦିଆଯାଇଛି। ସେହିଭଳି ୧୩୩.୬୪ କ୍ୱିଣ୍ଟାଲ ଚୁଡା, ୨୭ କ୍ୱିଣ୍ଟାଲ ଗୁଡ, ୧୬୯୮୯.୨୫ କେଜି ଚାଉଳ ତିହିଡି ବ୍ଲକ୍ ୪୦୭୭୪ ଜଣ ବ୍ୟକ୍ତି ଓ ୨୭୧୮୩ ଜଣ ଶିଶୁଙ୍କୁ ବଣ୍ଟନ କରାଯାଇଛି। ଅନୁରୂପ ଚାନ୍ଦବାଲି ବ୍ଲକ୍ରେ ଗୋଟିଏ, ଧାମନଗରରେ ୮ଟି ଓ ତିହିଡିରେ ୧୧ଟି ବୋଟ୍ ବନ୍ୟା ସହାୟତା ନିମନ୍ତେ ମୁତୟନ କରାଯାଇଛି ବୋଲି ଜିଲା ଜରୁରୀ କାଳୀନ ଅଧିକାରିଣୀ ଜୟଶ୍ରୀ ସେନାପତିଙ୍କ ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *