ଭଦ୍ରକ ଜିଲାରେ ମଧୁର ଜଳରେ ମୁକ୍ତାଚାଷ ଏକ ଅଭିନବ ପ୍ରୟାସ

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲାର ମଧୁର ଜଳରେ ଏବେ ମୁକ୍ତା ଚାଷ ଆରମ୍ଭ କରାଯାଇଛି। ଏହି ଚାଷ ପାଶ୍ଚାତ୍ୟ ଦେଶମାନଙ୍କରେ ଏକ ଲାଭଜନକ ଚାଷ ଭାବେ କରାଯାଉଥିବାବେଳେ ଓଡ଼ିଶାରେ ଭଦ୍ରକର ମଦର ଟେରେସା ଲୋକ ସେବା ସଂସ୍ଥାର ନିର୍ଦ୍ଦେଶକ ତଥା ଜଣେ ଯୁବ ସମାଜସେବୀ ପଦ୍ମନାଭ ପୃଷ୍ଟି ଏହାର ଶୁଭାରମ୍ଭ କରିଛନ୍ତି। ଭଦ୍ରକ ବ୍ଲକ୍ର କଲେଇ ପଂଚାୟତର ବଳଭଦ୍ରପୁର ସ୍ଥିତ ନିଜ ପ୍ରତିଷ୍ଠାନରେ ଆମ ରାଜ୍ୟର ନାବାର୍ଡ ଓ ଆପିକଲ୍ ଏହି ଚାଷ ଉପରେ ୫୦ ପ୍ରତିଶତ ସବ୍ସିଡି ରଖିଥିବାବେଳେ ଶ୍ରୀ ପୃଷ୍ଟି ଭୁବନେଶ୍ୱରରେ ସିଫା ପକ୍ଷରୁ ଆୟୋଜିତ ଜାତୀୟ ତାଲିମ୍ ନେଇ ସରକାରୀ ସହଯୋଗ ଓ ନିଜସ୍ୱ ଉଦ୍ୟମରେ ଏହାକୁ ଆରମ୍ଭ କରିଛନ୍ତି। ଏହି ଚାଷ ଏବେ ଓଡ଼ିଶାର ଖୋର୍ଦ୍ଧା, ନୟାଗଡ, ପୁରୀ, ବାଲେଶ୍ୱର ଓ ଭଦ୍ରକରେ ସଫଳତାର ସହ କରାଯିବାର ପ୍ରୟାସ ଜାରି ରହିଛି। ଏଥିପାଇଁ ଶ୍ରୀ ପୃଷ୍ଟିଙ୍କୁ ଜିଲା ମତ୍ସ୍ୟ ବିଭାଗ ପକ୍ଷରୁ ସହଯୋଗ କରାଯାଇଛି। ଏବେ ଶ୍ରୀ ପୃଷ୍ଟି ଜିଲା ମତ୍ସ୍ୟ ବିଭାଗର ସମ୍ମିଳନୀ କକ୍ଷରେ ଜିଲାର ଭଦ୍ରକ, ଧାମନଗର, ବାସୁଦେବପୁର, ବନ୍ତ ଓ ତିହିଡି ବ୍ଲକ୍ର କେତେକ ଉତ୍ସାହୀ ଚାଷୀଙ୍କୁ ତାଲିମ୍ ଦେଇ ନିଜ ପ୍ରତିଷ୍ଠାନରେ ପ୍ରାକ୍ଟିକାଲ୍ ତାଲିମ୍ ଦେଉଛନ୍ତି। ଏ ସଂପର୍କରେ ଜିଲା ମତ୍ସ୍ୟ ବିଭାଗର ସମ୍ମିଳନୀ କକ୍ଷରେ ଉତ୍ସାହୀ ଚାଷୀଙ୍କୁ ଏକ ତିନି ଦିନିଆ କାର୍ଯ୍ୟକ୍ରମରେ ସାମିଲ୍ କରାଯାଇଛି। ଏହି କାର୍ଯ୍ୟକ୍ରମ ଶ୍ରୀ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବାବେଳେ ଜିଲା ମତ୍ସ୍ୟ ଅଧିକାରୀ ଆର.ଏନ୍. ସମାଦ୍ଦାର ଏହାର ତଦାରଖ କରୁଛନ୍ତି। ଶୋଭା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂପାଦିକା ଜେମାମଣି ମହାନ୍ତି ଏହି ତାଲିମ୍ରେ ସହଯୋଗ କରିଛନ୍ତି। ଶ୍ରୀ ପୃଷ୍ଟି ଓ ଜିଲା ମତ୍ସ୍ୟ ଅଧିକାରୀ ଶ୍ରୀ ସମାଦ୍ଦାର ଏହି ମୁକ୍ତାଚାଷ ସଂପର୍କରେ ଏ ପ୍ରତିନିଧିକୁ ଦେଇଥିବା ସୂଚନା ଅନୁସାରେ ମୋତି ବା ମୁକ୍ତା ଏକ ପ୍ରକାର ଜୈବିକ ରତ୍ନ, ଯାହା ସାମୁଦି୍ରକ ବା ମଧୁର ଜଳ ଶାମୁକାରୁ ମିଳିଥାଏ। ଅତି ପୁରାତନରୁ ମୁକ୍ତା ମନୁଷ୍ୟର କଳା ବିସ୍ତାର କରିବାରେ ସାହାଯ୍ୟ କରିଆସୁଛି। ଏହାଛଡା ସେ ଏହାକୁ ନିଜର ଆଭୂଷଣ ଓ ଔଷଧ ରୂପେ ବ୍ୟବହାର କରିଥାଏ। ହିନ୍ଦୁ ଶାସ୍ତ୍ରରେ ‘ନବରତ୍ନ’ ମଧ୍ୟରେ ମୁକ୍ତାକୁ ରାଣୀର ଆଖ୍ୟା ଦିଆଯାଇଛି। ଏହାକୁ ସମୃଦ୍ଧି, ଜ୍ଞାନ, କ୍ଷମତା ତଥା ପ୍ରେମର ପ୍ରତୀକ ରୂପେ ଗ୍ରହଣ କରାଯାଏ। କିନ୍ତୁ ଅଦ୍ୟାବଧି ଏହାର ‘ବୈଜ୍ଞାନିକ ତତ୍ତ୍ୱ’ ସଂପୂର୍ଣ୍ଣ ଭାବେ ପରିପ୍ରକାଶ ହୋଇପାରିନାହିିଁ। ଏହା ସାରା ପୃଥିବୀରେ ଜଳକୃଷିର ଏକ ମୂଲ୍ୟବାନ ଅଂଶ ଅଟେ। ଏହି ସବୁକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥା ଏହା ଉପରେ ଗବେଷଣା ଓ ମୁକ୍ତାଚାଷ ୧୯୮୭ ମସିହା ଠାରୁ ଚାଲୁରହିଛି। ସମଗ୍ର ଭାରତରେ ପ୍ରାୟ ୫୨ ପ୍ରଜାତିର ମଧୁର ଜଳ ଶାମୁକା ଦେଖାଯାଏ। କିନ୍ତୁ ଆମ ଦେଶରେ କେବଳ ୩ଟି ମଧୁର ଜଳ ଶାମୁକାରୁ ମୁକ୍ତାଚାଷ କରାଯାଇ ଠାରେ। ପ୍ରଥମେ ନଦୀ ବା ପୋଖରୀରୁ ଶାମୁକା ସଂଗ୍ରହ କରାଯାଇ ତାକୁ ଅସ୍ତ୍ରୋପଚାର କରି ତା ଗର୍ଭରେ ଶାମୁକା ଓ ରାସାୟନିକ ପ୍ରକ୍ରିୟାରେ ମିଶ୍ରିତ ଗୁଣ୍ଡର ବିଭିନ୍ନ ଆକୃତିର ଏକ ଆଧାର ସଂଚାର କରାଯାଇଥାଏ। ତା ପରେ ବିଭିନ୍ନ ଜଳପୂର୍ଣ୍ଣ କୁଣ୍ଡରେ ରଖି ପରେ ନେଟ୍ରେ ବାନ୍ଧି ପୋଖରୀମାନଙ୍କରେ ଝୁଲାଯିବା ଅବସ୍ଥାରେ ଏକବର୍ଷରୁ ଦେଢବର୍ଷ ସମୟ ପର୍ଯ୍ୟନ୍ତ ରଖାଯାଇ ସେଥିରୁ ମୁକ୍ତା ସଂଗ୍ରହ କରାଯାଇଥାଏ। ତେବେ ଏଭଳି ଏକ ଚାଷକୁ ମତ୍ସ୍ୟ ଚାଷ ଭଳି ସରକାର ଅଗ୍ରାଧିକାର ଦେଲେ, ଏହା ବେଶ୍ ଆଦୃତ ହୋଇପାରନ୍ତା ବୋଲି କହିଛନ୍ତି ଶ୍ରୀ ପୃଷ୍ଟି।

Leave a Reply

Your email address will not be published. Required fields are marked *