ଭଦ୍ରକ ଜିଲାରେ ମଠ-ମନ୍ଦିର ଚୋରି ବୃଦ୍ଧି ପାଉଛି ମା’ ଭଦ୍ରକାଳୀ ପୀଠର ସୁରକ୍ଷା ଓ ବିକାଶ ପାଇଁ ପ୍ରଶାସନିକ ବୈଠକ

ଭଦ୍ରକ, ୬ା୮ (ଓଡ଼ିଆପୁଅ / ପ୍ରମୋଦ ରାୟ) :  ଭଦ୍ରକ ଜିଲାରେ ଥିବା ବହୁ ମଠ-ମନ୍ଦିର ମଧ୍ୟରୁ କୋଟି କୋଟି ଟଙ୍କାର ମୂଲ୍ୟବାନ ମୂର୍ତ୍ତି ଚୋରି ହୋଇଚାଲିଛି । ଏ ଦିଗରେ ନା ଜିଲା ପ୍ରଶାସନ ନା ପ୍ରତ୍ନତତ୍ତ୍ୱ ବିଭାଗ କାହାର ବି ନିଦ ଭାଙ୍ଗୁନାହିଁ । ବିଗତ ଦିନମାନଙ୍କରେ କାଉପୁର ଅଂଚଳରୁ ଦ୍ୱାଦଶ ଶତାବ୍ଦୀର ବହୁ ପୁରାତନ ଅଷ୍ଟଭୁଜା ଦୁର୍ଗାମୂର୍ତ୍ତି ସହ ଅନେକ ମନ୍ଦିରର ମୂଲ୍ୟବାନ ମୂର୍ତ୍ତି ଚୋରି ହେବା ସହ ଓଡ଼ିଶାର  ଦ୍ୱିତୀୟ ସୂର୍ଯ୍ୟମନ୍ଦିର କୁହାଯାଉଥିବା ପାଳିଆର ବିରଂଚି ନାରାୟଣ ମନ୍ଦିରରୁ ମଧ୍ୟ ମୂର୍ତ୍ତିମାନ ଚୋରିହୋଇଯାଇଛି । ଏ ଦିଗରେ ଜିଲା ପୁଲିସ୍ ପ୍ରଶାସନ ନିଘୋଦି ନିଦରେ ଶୋଇ ଚୋରି ହେବା ପରେ ଅନ୍ଧାରରେ ବାଡି ବୁଲାଇ କୁମ୍ଭୀର କାନ୍ଦଣା କାନ୍ଦିଚାଲିଛି । ମାତ୍ର ଚୋରିର ଲମ୍ବା ତାଲିକା ବୃଦ୍ଧି ପାଉଥିବାବେଳେ ଚୋରର ସନ୍ଧାନ ପାଇବାରେ ପୁଲିସ୍ ବିଫଳ ହୋଇଛି । ତେବେ ନିକଟରେ ଏହି ଜିଲାର ପ୍ରସିଦ୍ଧ ମା’ ଭଦ୍ରକାଳୀ ପୀଠରେ ଜଗନ୍ନାଥ ଓ ସୁଭଦ୍ରାଙ୍କ ମୁକୁଟ ଓ ମଥାମଣି ସହ ନୂତନ ଶିବଙ୍କର ମୁକୁଟ ଚୋରି ହେବା ପରେ ପ୍ରଶାସନର ନିଦ ଭାଙ୍ଗିଛି । ଏହାର ସୁରକ୍ଷା ବ୍ୟବସ୍ଥା ନେଇ ନୂତନ ଜିଲାପାଳ ଜ୍ଞାନରଂଜନ ଦାସଙ୍କ ଅଧ୍ୟକ୍ଷତାରେ ମନ୍ଦିର ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ତଥା ଉପଜିଲାପାଳ ନରୋତ୍ତମ ବେହେରା, ପରିଚାଳକ ତଥା ରାଜସ୍ୱ ନିରୀକ୍ଷକ ମିନତୀ ପାଣିଗ୍ରାହୀ, ବିଶିଷ୍ଟ ସମାଜସେବୀ ଶେଖର ମହାପାତ୍ର, ଏବଂ ପୁଲିସ୍ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବହୁ ସେବାୟତ ଯୋଗ ଦେଇଥିବାବେଳେ ମନ୍ଦିରର ସୁରକ୍ଷା ବ୍ୟବସ୍ଥା, ପାରିପାଶ୍ୱର୍ିକ ଉନ୍ନତି ସଂପର୍କରେ ବିଶଦ ଆଲୋଚନା ହୋଇଥିଲା । ମା’ ଙ୍କ ପୀଠରେ ସିସି ଟିଭି କ୍ୟାମେରା ଲଗାଯିବା ସହ ବିଗତ ୪୦ ବର୍ଷରୁ ଅବ୍ୟବହୃତ ବ୍ୟବସ୍ଥାରେ ପଡିରହିଥିବା ମା’ଙ୍କ ଟ୍ରେଜେରୀ ବାକ୍ସ ସର୍ବସାଧାରଣ, ପ୍ରଶାସନ ଓ ସେବାୟତମାନଙ୍କ ଉପସ୍ଥିତିରେ ଖୋଲାଯିବା ନେଇ ଜିଲାପାଳ ଶ୍ରୀ ଦାସ ନିଦେ୍ର୍ଦଶ ଦେଇଥିଲେ । ଏତଦ୍ଭିନ୍ନ ମା’ ଙ୍କୁ ମାନସିକଧାରୀମାନେ ଦେଇଆସୁଥିବା ବିଭିନ୍ନ ଲୁଗାପଟା ନିଲାମ କରାଯିବା ନେଇ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ ହୋଇଥିଲା । ମନ୍ଦିରର ଆୟ-ବ୍ୟୟ ସଂପର୍କରେ ଏକ ଅଡିଟ୍ କରାଯାଇ ତା ଦେବୋତ୍ତର ବିଭାଗର ଦୃଷ୍ଟି ଆକର୍ଷଣ କରିବା ପାଇଁ ଜିଲାପାଳ ନିଦେ୍ର୍ଦଶ ଦେଇଥିଲେ । ଏହି ବୈଠକରେ ମୁଖ୍ୟତଃ ମା’ ଭଦ୍ରକାଳୀ ଛକରୁ ମନ୍ଦିରକୁ ଯାଇଥିବା ରାସ୍ତା ଓ ମନ୍ଦିର ବେଢାର ସଂପ୍ରସାରଣ ସହ ପାନ୍ଥନିବାସ ଶୀଘ୍ର କାର୍ଯ୍ୟ କରିବା ଭଳି ଦାବିଗୁଡିକ ସଂପର୍କରେ ଆଲୋଚନା ହୋଇଥିଲା । ଏଥିରେ ମଦନ ଦୀକ୍ଷିତ, ଅନୁଗ୍ରହ ନାରାୟଣ ଦୀକ୍ଷିତ, ନିତ୍ୟାନନ୍ଦ ଦୀକ୍ଷିତ, ପଂଚାନନ ଦୀକ୍ଷିତ, ରସାନନ୍ଦ ଦୀକ୍ଷିତ, ଭାଗୀରଥି ଦୀକ୍ଷିତ, ମଧୁସୂଦନ ଦୀକ୍ଷିତ, ମନ୍ଦରଧର ଦୀକ୍ଷିତ, ବିଜୟ ଦୀକ୍ଷିତ, ଗୋପବନ୍ଧୁ ଦୀକ୍ଷିତ, ଶରତ ପଣ୍ଡା, ରାମକୃଷ୍ଣ ଦୀକ୍ଷିତ ପ୍ରମୁଖ ବହୁ ସେବାୟତ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *