ଭଦ୍ରକ ଜିଲାରେ ବେନାମୀ ନିର୍ମାଣ ଶ୍ରମିକଙ୍କୁ ଠାବ କରିବ କିଏ! ୨୨ କୋଟି ଟଙ୍କା ସହାୟତାର ତଦନ୍ତ ଦାବି

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାରେ ୬୧ ହଜାର ନିର୍ମାଣ ଶ୍ରମିକ କାର୍ଡ ଏବେ ସନ୍ଦେହ ଘେରରେ ରହିଛି। ପାନ ଦୋକାନୀ, ଚା ଦୋକାନୀ, ହୋଟେଲ ମାଲିକ, ସାମ୍ବାଦିକ, କୁଜି ନେତା, ଆଶାକର୍ମୀ, ଚିଟ୍ଫଣ୍ଡ ଏଜେଣ୍ଟ, ଫଳ ଦୋକାନୀ ଏପରିକି ଗାଁରେ ବୁଲୁଥିବା ଦଳୀୟ କର୍ମୀମାନେ ନିର୍ମାଣ ଶ୍ରମିକ କାର୍ଡ ହାତେଇଛନ୍ତି। ସରକାରଙ୍କ ତରଫରୁ ଭଦ୍ରକ ଜିଲାରେ ଏହି ଶ୍ରମିକଙ୍କ ପାଇଁ ୨୦୧୪ ରୁ ୨୦୧୬ ମଧ୍ୟରେ ୧୬ କୋଟି ସାଢେ ୭ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ୨୦୧୭-୧୮ ବର୍ଷରେ ୫ କୋଟି ୬୨ ଲକ୍ଷ ୩୭ ହଜାର ଟଙ୍କା ମଧ୍ୟ ଆର୍ଥିକ ସହାୟତା ସରକାରଙ୍କ ତରଫରୁ ମିଳିଛି। ପ୍ରଥମେ ନିର୍ମାଣ ଶ୍ରମିକ ନାମରେ ସାଇକେଲ୍ ଆସିଲା ଯେ ଏହି ସାଇକେଲ୍କୁ ଦୋକାନୀ ମାନେ ବିକ୍ରି କରି ହାତ ସଫେଇ କଲେ। କିନ୍ତୁ ପ୍ରକୃତରେ ନିର୍ମାଣ ଶ୍ରମିକ କାର୍ଯ୍ୟ ତୁଲାଉଥିବା ଗରିବ ଶ୍ରମିକ ବାଦ୍ ପଡିଲେ। ନେତା, କର୍ମୀ, ସାମ୍ବାଦିକ ଓ ଦୋକାନୀଙ୍କ ହାତରେ ପଡିଛି ସରକାରଙ୍କ ନିର୍ମାଣ ଶ୍ରମିକ କାର୍ଡ। ଭଦ୍ରକ ଜିଲାର ଶ୍ରମ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲାରେ ପଂଜିକୃତ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ୫୯ ହଜାର ୪୨୨। ଏହି ତାଲିକା ମଧ୍ୟରୁ ସଂଗଠିତ କ୍ଷେତ୍ରରେ କାମ କରୁଥିବା ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ୫୮.୧୦୨। ସେହିପରି ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସଂଖ୍ୟା ୧.୩୨୦। ଏହି ୬୦ ହଜାର ପାଖାପାଖି ଶ୍ରମିକଙ୍କ ପଂଜିକୃତ କାର୍ଡ ସଂଖ୍ୟା ମଧ୍ୟରୁ ସରକାର ୨୦୧୪ ରୁ ୨୦୧୬ ମଧ୍ୟରେ ୨୭.୪୮୫ ଜଣ ଶ୍ରମିକଙ୍କ ପାଇଁ ଶିକ୍ଷା, ବିବାହ, ଯନ୍ତ୍ରପାତି କିଣା, ଗୃହ ଋଣ, ସାଇକେଲ୍ ଓ ଅନ୍ୟାନ୍ୟ ସହାୟତା ବାବଦକୁ ୧୬ କୋଟି ସାଢେ ୭ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯାଇଛି। ଏ କଥା ଖୋଦ୍ ଜିଲା ଶ୍ରମ ଅଧିକାରିଣୀ ଜସ୍ମିନ୍ ସାହୁ ସ୍ୱୀକାର କରିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ଭଦ୍ରକ ଜିଲାର ପଂଜିକୃତ ୪.୮୯୫ ଜଣ ଶ୍ରମିକଙ୍କୁ ସହାୟତା ଦେବା ପାଇଁ ସରକାହର ୫ କୋଟି ୬୨ ଲକ୍ଷ ୩୭ ହଜାର ଟଙ୍କା ଦେଇଛନ୍ତି ସହାୟତା। ନିର୍ମାଣ ଶ୍ରମିକଙ୍କ ପାଇଁ ଆସିଥିବା ଜୋତା, ପୋଷାକ, ଟର୍ଚ ଆଦି ହାତେଇଛନ୍ତି ପାନ ଦୋକାନୀ। ଏଗୁଡିକୁ ବିକି ହାତ ସଫେଇ କରିଛନ୍ତି ମଧ୍ୟସ୍ଥି। ନିର୍ମାଣ ଶ୍ରମିକ କାର୍ଡ ପାଇଁ ଦଲାଲ ସକ୍ରିୟ ହୋଇଛନ୍ତି। ଏହି ଦଲାଲିରେ ବର୍ତ୍ତମାନ ସାରା ଜିଲାରୁ ୨୫ ରୁ ଅଧିକ ଏଜେଣ୍ଟ ନିୟୋଜିତ ହୋଇଛନ୍ତି। ଜିଲାରେ ୬୧ ହଜାର ପଂଜିକୃତ କାର୍ଡ ବ୍ୟତୀତ ୨ ହଜାରରୁ ଅଧିକ କାର୍ଡ ପଂଜିକରଣ ପାଇଁ ଦରଖାସ୍ତ ପଡିଛି। ଏସବୁକୁ ଯଦି ତଦନ୍ତ କରାଯାଏ, ତେବେ ପ୍ରକୃତ ନିର୍ମାଣ ଶ୍ରମିକ କିଏ ଜଣାପଡନ୍ତା ବୋଲି ଦାବି ହେଉଛି।

Leave a Reply

Your email address will not be published. Required fields are marked *