ଭଦ୍ରକ ଜିଲାକୁ ରାଜ୍ୟ ସରକାରଙ୍କ ଉପେକ୍ଷା କାହିଁକି! ସ୍ଥାନୀୟ ଜନ ପ୍ରତିନିଧିଙ୍କ ନିରବତାକୁ ନେଇ ବିଜେପି ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀଙ୍କ ବିଷୋଦଗାର

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବିଭିନ୍ନ କ୍ଷେତ୍ରରେ ଭଦ୍ରକ ଜିଲାକୁ ରାଜ୍ୟ ସରକାର ଉପେକ୍ଷା କରିବା ନେଇ ଆଜି ଜିଲା ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ଜିଲାସ୍ତରୀୟ ସମ୍ବାଦଦାତା ସମ୍ମିଳନୀରେ ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ବିଶୋଦଗାର କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସେଠୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ସୂଚନା ଅନୁସାରେ ଆଉ ଏକ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ପ୍ରଗତି ଯୋଜନା ଭିଡିଓ କନ୍ଫେରେନ୍ସି ବୈଠକରେ ଚୂଡାନ୍ତ ହେବାକୁ ସ୍ୱାଗତ କରିଛନ୍ତି। ଏବଂ ରାଜ୍ୟ ସରକାର ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ଭଳି ଜିଲାରେ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାରଙ୍କୁ ସ୍ଥାନ ପାଇଁ ସୁପାରିଶ କରିଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେବଳ ଗୋଟିଏ କଲେଜ ପ୍ରତିଷ୍ଠା କରିବାକୁ କୁହାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଭୌଗୌଳିକ ଓ ଅନ୍ୟାନ୍ୟ ଦୃଷ୍ଟିରୁ ବିଚାର କରାଯାଇ ଯାଜପୁର ଠାରେ ଏହା ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେବାରୁ କେନ୍ଦ୍ର ସରକାର ଏଥିରେ ସବୁଜ ସଂକେତ ଦେବା ସହ ୧୫ ଦିନ ମଧ୍ୟରେ ଡିପିଆର ପାଇବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ। ତେବେ ଯାଜପୁରର ଏହି ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠାକୁ ଜିଲା ବିଜେପି ସ୍ୱାଗତ କରୁଥିଲେ ମଧ୍ୟ ସରକାର ବିଭିନ୍ନ ପ୍ରତିଷ୍ଠାନ ନିର୍ମାଣ କ୍ଷେତ୍ରରେ ପଡୋଶୀ ଜିଲା ଅପେକ୍ଷା ଭଦ୍ରକ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ବାଲେଶ୍ୱର ଓ ମୟୁରଭଂଜ ଜିଲାରେ ବିଶ୍ୱ ବିଦ୍ୟାଳୟ ସହ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ଏବେ ଯାଜପୁର ଜିଲା ଏହି କ୍ରମରେ ଆଦୌ ବଂଚିତ ନୁହେଁ। ତେବେ ଭଦ୍ରକବାସୀ ଦୀର୍ଘଦିନ ଧରି ଏକ ବିଶ୍ୱ ବିଦ୍ୟାଳୟ, ମେଡିକାଲ କଲେଜ କିମ୍ବା କୃଷି ବୈଷୟିକ ବିଶ୍ୱ ବିଦ୍ୟାଳୟ ପାଇଁ ଯେଉଁ ଦାବି କରିଆସୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଭଦ୍ରକବାସୀଙ୍କୁ ପ୍ରତାରିତ କରିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଛନ୍ତି। ଶ୍ରୀ ସେଠୀ ଦେଇଥିବା ସୂଚନା ମୂଳେ ୧୯୬୦ ଦଶକରେ ପଲ୍ଲୀ ଭାରତୀ ବିଶ୍ୱ ବିଦ୍ୟାଳୟ ନାମରେ ଏକ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠାର ସମସ୍ତ ଭିତ୍ତିଭୂମି ସ୍ଥିତାବସ୍ଥାରେ ଥିଲେ ମଧ୍ୟ ଶେଷରେ ଏକ ବେସରକାରୀ ଇଂଜିନିୟରିଂ ବିଦ୍ୟାଳୟରେ ପରିଣତ ହୋଇଛି। ଧାମନଗର ଛକରେ ପ୍ରସ୍ତାବିତ ଧରଣୀ ସୁଗାର୍ସ ଏବେ ରାଜନୈତିକ ଫୁଡ୍ପାର୍କରେ ପରିଣତ ହୋଇଛି। ରାଣୀତାଲ କୃଷି ବିଭାଗର ଗବେଷଣା କେନ୍ଦ୍ରର ଭିତ୍ତିଭୂମି ଥିଲେ ହେଁ ତାହା କ୍ରମଶଃ ଦିଗଚ୍ଛିଆ (ଚାନ୍ଦବାଲି) କୃଷି ଗବେଷଣା କେନ୍ଦ୍ରର ସ୍ଥାଣୁ ଅବସ୍ଥା ଆଡକୁ ଗତି କରୁଛି। ଏ ଦିଗରେ ସେ କିଏ ଦାୟୀ ବୋଲି ପ୍ରଶ୍ନ କରିବା ସହ ପ୍ରଶାସନ ଓ ଆମ ସରକାରୀ ଦଳର ରାଜନେତା ଓ ଜନ ପ୍ରତିନିଧିମାନଙ୍କୁ ଆକ୍ଷେପ କରିଛନ୍ତି। ସରକାରୀ ଦଳର ନେତୃବୃନ୍ଦ କେବଳ ଦଳୀୟ ଟିକେଟ୍ ପାଇଁ ଯେତେ ବ୍ୟସ୍ତ, ସାମାନ୍ୟ ବିଚାର ଧାରା ନିଜ ଜିଲାପାଇଁ ନାହିଁ ବୋଲି ଦର୍ଶାଇ ଯେଉଁମାନେ ମହାନଦୀ ଜଳ ପାଇଁ କାନ୍ଦିପାରନ୍ତି, ସେମାନେ ଦିନେ ବୈତରଣୀର ଦୁଃଖ ବୁଝିଲେଣିକି ବୋଲି ପ୍ରଶ୍ନ କରିଛନ୍ତି। ଏବଂ ଏବେ କେବଳ ନିଜ ପୁଅମାନଙ୍କୁ ରାଜାଭିଷେକ କରିବାରେ ବ୍ୟସ୍ତ ବୋଲି କହିଛନ୍ତି। ଶ୍ରୀ ସେଠୀଙ୍କ ଅଭିଯୋଗ ମୂଳେ ଆଜିସୁଦ୍ଧା ଭଦ୍ରକ ଜିଲା ଡାକ୍ତରଖାନା ଉପରେ ପଡୋଶୀ ବାଲେଶ୍ୱର, କେନ୍ଦ୍ରାପଡା, କେନ୍ଦୁଝର ଜିଲାର ବାସିନ୍ଦା ନିର୍ଭର କରି ଆସୁଛନ୍ତି। ତେବେ ୧୨ ବର୍ଷ ବିତିଯାଇଥିଲେ ବି ଆନନ୍ଦପୁର-ଚାନ୍ଦବାଲି ଭାୟା ଭଦ୍ରକ ରାସ୍ତା ଏବେବି ଅଧା ପନ୍ତରିଆ ଅବସ୍ଥାରେ ପଡିରହିବା ଅତ୍ୟନ୍ତ ପରିତାପର ବିଷୟ ବୋଲି କହିଛନ୍ତି। ତଥାପି ଅଧାପନ୍ତରିଆ କଲେଜରେ ଅଧ୍ୟାପକ, ହାଇସ୍କୁଲର ଶିକ୍ଷକ, ଥାନାର ବଡବାବୁ ନଥିବାବେଳେ ଡାକ୍ତରଖାନାରେ ମଧ୍ୟ ଡାକ୍ତର ନାହାଁନ୍ତି। ଏତେ ନାହିଁ ନାହିଁର ଭଦ୍ରକର ଜନ ପ୍ରତିନିଧି ମାନେ କଣ ପାଇଁ ନିର୍ବାଚିତ ହୋଇଛନ୍ତି ଏବଂ ଓଡ଼ିଶା ସରକାରଙ୍କ ମୁଖିଆଙ୍କ ସମ୍ମୁଖରେ ଭଦ୍ରକର ଏଭଳି ଏକ ପ୍ରତିଷ୍ଠାନଟିଏ ପ୍ରତିଷ୍ଠା ପାଇଁ ସେ ଦାବି କରିଛନ୍ତି। ଯାଜପୁର ଜିଲାରେ ବିଜେଡି ବିରୋଧୀ ଶକ୍ତିର ଅଭୁ୍ୟଥାନକୁ ପ୍ରଶମିତ କରିବା ପାଇଁ ତଥା ଜନୈକ ପୂର୍ବତନ ମନ୍ତ୍ରୀ (ଯିଏ ସ୍ୱେଚ୍ଛାରେ ମନ୍ତ୍ରୀ ପଦ ତ୍ୟାଗ କରିଥିଲେ) ତାଙ୍କୁ ଖୁସ୍ କରିବା ପାଇଁ ସରକାର ନିଷ୍ପତ୍ତି ନେଇନାହାଁନ୍ତି ତ। ଏହି ମନ୍ତ୍ରୀଙ୍କ ପିତାଙ୍କ ସମୟରୁ ରାଜନୀତିରେ ମାହିର ଦୁଇ ଜଣ କ୍ୟାବିନେଟ୍ ମନ୍ତ୍ରୀ ପୁରୁଖା ସାଂସଦ ମାନେ କେଉଁ ନୈତିକତା ଆଳରେ ଜିଲାବାସୀଙ୍କୁ ବାରମ୍ବାର ହେଙ୍ଗୁ ଶୁଂଘାଇ ଚାଲିଛନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି। ଭାରତୀୟ ଜନତା ପାର୍ଟି ଏଭଳି ସରକାରଙ୍କ କାଳକ୍ଷେପଣ ଓ ବୈମାତୃକ ଭାବ ବିରୁଦ୍ଧରେ ଜନସାଧାରଣଙ୍କ ମତାମତକୁ ଗଣମାଧ୍ୟମ ଜରିଆରେ ଲୋକ ଲୋଚନକୁ ଆଣିବା ସହ ଭବିଷ୍ୟତର ଜନ ଆନ୍ଦୋଳନର ଆହ୍ୱାନ ଦେଇଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସଭାପତି ବଦ୍ରି ନାରାୟଣ ଧଳ, ଭଦ୍ରକ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଡାକ୍ତର ପ୍ରଦୀପ ନାୟକ, ଇଣ୍ଟରଲେକ୍ଚୁଆଲ ଫୋରମ୍ର ଆବାହକ ଅମୂଲ୍ୟ ନାୟକ, ଭଦ୍ରକର ଉପସଭାପତି ତପନ ମହାନ୍ତି, ଶରତ ପଢିଆରୀ, ଅମ୍ବିକା ପ୍ରସାଦ ଦାସ, ସୁରେଶ ସାମଲ ଓ ସପନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *