ଭଦ୍ରକ : ଜାତୀୟ କ୍ରୀଡା ଦିବସ ପାଳିତ

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆମ ଦେଶର ବିଶିଷ୍ଟ ହକି କ୍ରୀଡାବିତ୍ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ଆଜି ଜାତୀୟ କ୍ରୀଡା ଦିବସ ରୂପେ ସମଗ୍ର ରାଷ୍ଟ୍ରରେ ପାଳିତ ହେଉଥିବାବେଳେ ଭଦ୍ରକର ସଂସ୍କୃତି ଭବନ ଠାରେ ତାହା ମହାସମାରୋହରେ ଆୟୋଜିତ ହୋଇଛି। ଜିଲା କ୍ରୀଡା ବିଭାଗ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଜିଲା କ୍ରୀଡା ଅଧିକାରୀ ମନୋଜ ଦାସ ଅଧ୍ୟକ୍ଷତା କରିଥିଲେ। ଏଥିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଶୁଭ ଉଦ୍ ଘାଟନ କରିବା ସହ ବିଶିଷ୍ଟ କ୍ରୀଡାବିତ୍ ଧ୍ୟାନଚାନ୍ଦଙ୍କ ଜୀବନୀକୁ ସ୍ମରଣ କରାଇଥିଲେ। ଏବଂ ଆଜି ଆମ ରାଜ୍ୟର ଦୂତି ଚାନ୍ଦଙ୍କ ଭଳି ବହୁ କ୍ରୀଡାବିତ୍ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଗୌରବ ଆଣିବାକୁ ଆହ୍ୱାନ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଜିଲା ସମାଜ ମଂଗଳ ଅଧିକାରୀ ପ୍ରଶାନ୍ତ ରଥ ଅଂଶଗ୍ରହଣ କରି ଉପସ୍ଥିତ କ୍ରୀଡାବିତ୍ ମାନଙ୍କୁ ଶୃଙ୍ଖଳା ଜ୍ଞାନ ବଜାୟ ରଖିଲେ ଜୀବନରେ ଜଣେ ଜଣେ ସଫଳ ଖେଳାଳି ହୋଇପାରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବହୁ କ୍ରୀଡା ଛାତ୍ରଛାତ୍ରୀ ଧ୍ୟାନଚାନ୍ଦଙ୍କ ଜୀବନୀକୁ ନେଇ ନିଜ ନିଜର ବକ୍ତବ୍ୟ ରଖିବା ପରେ ଜାତୀୟ ଓ ଆନ୍ତର୍ଜାତୀୟ ତାଇକୋଣ୍ଡୋ କ୍ରୀଡାବିତ୍ ରାଜେନ୍ଦ୍ର ବେହେରାଙ୍କୁ ମନ୍ତ୍ରୀ ଶ୍ରୀ ସାମଲ ପୁରସ୍କୃତ କରିଥିଲେ। ଶେଷରେ ଜିଲା ସାଇକେଲିଂ ଅସୋସିଏସନ୍ ର ସଂପାଦକ ମନୋରଂଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାରୋହରେ ଜିଲାର ବହୁ କ୍ରୀଡା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *