ଭଦ୍ରକ : ଜଳ ନିଷ୍କାସନ ଉପରେ ପଡୁ ପୌରପାଳିକାର ଦୃଷ୍ଟି, ବର୍ଷାଋତୁରେ ବିଗିଡିବ ସହରର ସ୍ଥିତି

ଭଦ୍ରକ, ୧/୬ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଏହି ଜିଲାର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ବାସୁଦେବପୁରକୁ ମିଳିଛି ପୌରପାଳିକାର ମାନ୍ୟତା। ଏହି ମାନ୍ୟତା ପରେ ୱାର୍ଡଗୁଡିକ ସଂପୂର୍ଣ୍ଣ ରୂପରେ ବଦଳି ନ ଥିଲେ ମଧ୍ୟ କିଛିଟା ସହରାଞ୍ଚଳର ଛାପ ଲାଗିଛି। ତଥାପି ଆଜିଯାଏ ସବୁ ୱାର୍ଡକୁ ଡ୍ରେନ ଓ ପାଇପ ଜଳ ଯୋଗାଣର ବ୍ୟବସ୍ଥା ପହଞ୍ଚି ପାରିନି। ଯେଉଁଠି ଡ୍ରେନ ବ୍ୟବସ୍ଥା ରହିଛି ବର୍ଷାଦିନରେ ଜଳ ନିଷ୍କାସନ ଠିକଭାବେ ହୋଇପାରୁନି। ସବୁଠାରୁ ବଡକଥା; ସହରର ଛାତିଉପରେ ଜଳ ନିଷ୍କାସନ ବ୍ୟବସ୍ଥା ବର୍ଷାଦିନରେ ଉଗ୍ରରୂ ନେଉଛି। ପ୍ରତିବର୍ଷ ପୌରପାଳିକା କର୍ତ୍ତୃପକ୍ଷ ମେସିନ ଲଗାଇ ପାଣି ନିଷ୍କାସନ ବ୍ୟବସ୍ଥା କରୁଛନ୍ତି; ହେଲେ ସ୍ଥାୟୀ ସମାଧାନ ନାହିଁ।

ନିକଟରେ ହୋଇଥିବା ଅଦିନିଆ ବର୍ଷା ସହରର ସ୍ଥତିକୁ ବିଗାଡି ଦେଇଥିଲା। ପରିବା ବଜାର ବର୍ଷା ପାଣିରେ ଉବୁଟୁବୁ ହୋଇଥିଲା। ସହରର ବିଭିନ୍ନ ମାର୍ଗରେ ଡ୍ରେନରେ ବର୍ଷାପାଣି ନଷ୍କାସିତ ହୋଇ ନ ପାରି କେତେକ ବ୍ୟବସାୟ ପ୍ରତିଷ୍ଠାନରେ ପଶିଥିଲା। ବର୍ଷାଦିନରେ ବାରମ୍ବାର ଏହି ସମସ୍ୟା ଦେଖାଦେଉଥିଲେବି ପରିସ୍ଥିତିର ପରିବର୍ତ୍ତନ ଆସୁନି। ଏହି ସମସ୍ୟା ନେଇ ସ୍ଥାନୀୟ ଲୋକଙ୍କ ମତାମତ।

ଶିକ୍ଷାବିତ୍ ଦୁଃଶାସନ ରାଉତ – ବାସୁଦେବପୁର ସହରାଞ୍ଚଳର ମାନ୍ୟତା ପାଇଛି, ହେଲେ ସବୁ ସୁବିଧା ସୁଯୋଗ ସହରବାସୀଙ୍କୁ ମିଳିାରୁନି। ରାସ୍ତାଘାଟ ସମସ୍ୟା ଆଜିଯାଏ ଦୂର ହୋଇପାରିନି। ପାଇପଜଳ ଯୋଗାଣ ବ୍ୟବସ୍ଥା ସବୁୱାର୍ଡକୁ ଯାଇପାରିନି। ସବୁଠାରୁ ବଡ ସମସ୍ୟା ହୋଇ ଉଭାହୋଇଛି ସହରର ପାଣିନିଷ୍କାସନ ବ୍ୟବସ୍ଥା। ପାଣି ନିଷ୍କାସନ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି। ବର୍ଷା ହେଲେ ବଜାରରେ ପରିବା ଭାଷୁଛି। କେତେକ ସ୍ଥାନରେ ଡ୍ରେନ ହୋଇଛି, ପାଣି ନିଷ୍କାସନ ହୋଇପାରୁନି। ଫଳରେ ବର୍ଷାଦିନରେ ସହରର ସ୍ଥିତି ସଙ୍ଗୀନ ହେଉଛି। ଏହି ସମୟରେ ପୌରପାଳିକା ମେସିନ ଲଗାଇ ଜଳ ନିଷ୍କାସନ ପଥରୁ ଅବରୋଧ ହଟାଇ ଦେଉଛି; ପୁଣି ଯଥା ପୁର୍ବଂ ତଥାପର, ସ୍ଥାୟୀ ସମାଧାନ କିଛି ନାହିଁ। ନିକଟରେ ଯାଇଥିବା ବର୍ଷାରୁ ଜଳଜଳ ଦିଶିଲାଣି, ଆଗାମି ଦିନରେ ବର୍ଷା ପାଣିରେ ସହର ଉବୁଟୁବୁ ହେବ।

କାର୍ଯ୍ୟନିର୍ବାହୀ ଅଧିକାରୀ କରୁଣାକର ଧିନ୍ଦା – ପାଣି ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ସହରରେ ପୋତିହୋଇ ପଡିଥିବା ଡ୍ରେନକୁ ସଫେଇ ସହ ଭାଙ୍ଗି ଡିଥିବା ଡ୍ରେନର ମରାମତି କରାଯାଉଛି। ପରିବା ବଜାରର ରୂପରେଖ ବର୍ଷାଦିନ ପୂର୍ବରୁ ବଦଳିବ। ସାମୟିକ ଭାବେ ବ୍ୟବସାୟୀଙ୍କୁ ପୌରପାଳିକା ଆଗ ପଡିଆକୁ ସ୍ଥାନନ୍ତର କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ପରିବା ବଜାର କାମ ଆରମ୍ଭ ହେବ। ପାଣି ନିଷ୍କାସନ ପଥକୁ ଜବରଦଖଲକରି ରଖିଥିବା ବ୍ୟକ୍ତିଙ୍କୁ ସୂଚନା ଦିଆଯିବ। ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଜବରଦଖଲ ଉଚ୍ଛେଦ ନ କଲେ ନିୟମ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସତ୍ତ୍ୱେବି ଯେଉଁଠି ପାଣି ନିଷ୍କାସନ ବ୍ୟବସ୍ଥା କିଛିନାହିଁ, ଆବଶ୍ୟକ ପଡିଲେ ପମ୍ପ ପକାଇ ନିଷ୍କାସନ କରାଯିବ। ଏଥିପାଇଁ ଜନସାଧାରଣଙ୍କ ଆବଶ୍ୟକତା ରହିଛି।

ବ୍ୟବସାୟୀ ସୁଶେଷ ରଂଜନ ବାରିକ – ଖରାଦିନରେ ଅସରାଏ ବର୍ଷାରେ ଦୋକାନରୁ ପାଣି ବୋହିବାକୁ ପଡୁଛି। ଏହାଠାରୁ ଦୁଃଖର କଥା କ’ଣ କହିବି। ବାସୁଦେବପୁର ପୌରପାଳିକା ହେଲା, ହେଲେ ସହରର ସବୁ ମାର୍ଗରେ ଡ୍ରେନ ବ୍ୟବସ୍ଥା ନାହିଁ। ଯେଉଁଠି ଡ୍ରେନ ବ୍ୟବସ୍ଥା ରହିଛି, ପାଣି ଯାଉନି। ତା’ଛଡା ଡ୍ରେନଗୁଡିକ ଅଧାଗଢା ହୋଇ ପଡିଛି। ଖରାଦିନରେ ବ୍ୟବସାୟୀଙ୍କ ଦୋକାନରେ ଯଦି ବର୍ଷାପାଣି ପଶୁଛି, ବର୍ଷାଦିନରେ କ’ଣ ହେବ? ତୁରନ୍ତ ପୌରପାଳିକା ପାଣି ନିଷ୍କାସନ ବ୍ୟବସ୍ଥା ଉପରେ ଦୃଷ୍ଟିଦେବା ଜରୁରୀ ହୋଇଛି।

ପୌରାଧ୍ୟକ୍ଷ ଅଶୋକ କୁମାର ଦାସ – ସହରରେ ବର୍ଷା ଦିନରେ ଜଳ ନିଷ୍କାସନ ସମସ୍ୟା ମୁଖ୍ୟ ସମସ୍ୟା ହୋଇଛି, ଏକଥାକୁ ମୁଁ ସ୍ୱୀକାର କରୁଛି। ହେଲେ ଏକକାଳୀନ ଏହି ସମସ୍ୟା ସମାଧାନ କରିବା ସମ୍ଭବ ନୁହେଁ, ଆମ ପାଖରେ ଅର୍ଥର ଅଭାବ ରହିଛି। ତା’ଛଡା ଜଳ ନିଷ୍କାସନ ପଥକୁ ଲୋକ ପୋତି ପକାଉଛନ୍ତି। ପ୍ରତିବର୍ଷ ବର୍ଷାଦିନରେ ମେସିନ ଲଗାଇ ଅବରୋଧ ପଥକୁ ବାହାର କରାଯାଉଛି, ତଥାପି ଲୋକ ସଚେତନ ହେଉନାହାଁନ୍ତି। ତଥାପି ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦିଆଯାଉଛି। ଡ୍ରେନ ସଫେଇ କାମ ଚାଲିଛି। ସଫେଇ କର୍ମଚାରୀର ଅଭାବ ପାଇଁ ସାମାନ୍ୟ ଏହି କାମ ଧିମେଇ ଯାଉଛି। ନିକଟରେ ଯାଇଥିବା ବର୍ଷାରେ କେତେକ ଦୋକାନାରେ ପାଣି ପଶିଯାଇଥିଲା, ସେଥିପାଇଁ ମୁଁ ଦୁଃଖିତ। ବର୍ଷାଦିନ ପୂର୍ବରୁ କାମ ସାରିବାକୁ ପଦକ୍ଷେପ ନିଆଯାଉଛି। ସଫେଇ କର୍ମଚାରୀ ଅଭାବଥିବାରୁ ଏହି କାମ ମଧ୍ୟ ଟିକେ ଧିମେଇ ଯାଉଛି। ଏହାବାଦେ ପୂର୍ତ୍ତ ବିଭାଗ ପକ୍ଷରୁ ମାଷ୍ଟର ପ୍ଲାନରେ ଜାମୁଝାଡି ଧାମରା ରାସ୍ତା ନିର୍ମାଣ ହେବାର ଅଛି, ରାସ୍ତା ନିର୍ମାଣ ପରେ ସହରର ମୁଖ୍ୟରାସ୍ତାର ଡ୍ରେନ ନିର୍ମାଣର ବ୍ୟବସ୍ଥା କରିବୁ।

Leave a Reply

Your email address will not be published. Required fields are marked *