ଭଦ୍ରକ : ଜମିବାଡି ବିବାଦ- ସଂଘବଦ୍ଧ ଆକ୍ରମଣରେ ୪ ଗୁରୁତର

ଭଦ୍ରକ, ୩୧/୭ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଜମିବାଡି ବିବାଦକୁ ନେଇ ତିନିଭାଇଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ଓ ବଡ ଭାଉଜଙ୍କୁ ଧମକ ଚମକ ଦେଇଥିବା ନେଇ ଏହି ଜିଲାର ବନ୍ତ ବ୍ଲକ ଅଧୀନ ଆଗରପଡା ଥାନାରେ ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ୩ଭାଇଙ୍କ ସହ ବୋହୁ ଆହତ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ; ଏହି ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର କାର୍ତ୍ତିକ ଗିରି, ଭାସ୍କର ଗିରି ଓ ପ୍ରଫୁଲ୍ଲ ଗିରି ତିନିଭାଇଙ୍କର ସେମାନଙ୍କ ସଂପର୍କୀୟଙ୍କ ସହ ଜମିବାଡି ଭାଗବଣ୍ଟରାକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା। ଉପରୋକ୍ତ ତିନିଭାଇ ବିଲରେ କାର୍ଯ୍ୟ କରୁଥିବା ବେଳେ ସେହି ଗ୍ରାମର ଭାବନ ଗିରିଙ୍କ ପୁଅ ବୁଦ୍ଧିରାମ ଓ କୃଷ୍ଣଚନ୍ଦ୍ର, ଗଣେଶ ଓ ତାଙ୍କ ସ୍ତ୍ରୀ ଚଞ୍ଚଳା, ଝିଅ ଗୀତାଲତା, ମୀତାଲତା, ସୌଦାମିନୀ, ଜ୍ୱାଇଁ କାଳିଆ, ରବି ଦାସ, ଗଙ୍ଗାଧର, ମଙ୍ଗୁଳୁ, କୃପାସିଦ୍ଧୁ ଜେନା ପ୍ରମୁଖ ବିଭିନ୍ନ ମାରଣାସ୍ତ୍ର ଧରି ତିନିଭାଇଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା। ଗୁରୁତର ଭାବେ ଆହତ ହୋଇ ତିନିଭାଇ ବିଲରେ ପଡିଥିବା ବେଳେ ଘରେ ଥିବା ସ୍ତ୍ରୀଲୋକଙ୍କୁ ସେମାନେ ଗୋଡାଇ ଗୋଡାଇ ପିଟିଥିଲେ। ଏହି ଆକ୍ରମଣରେ ମଧ୍ୟ କାର୍ତ୍ତିକ ଗିରିଙ୍କ ସ୍ତ୍ରୀ ବୀଣାପାଣିଙ୍କ ମୁଣ୍ଡ ଫାଟିଯାଇଥିଲା। ଆହତମାନେ ପ୍ରଥମେ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଥି ମଧ୍ୟରୁ ଭାସ୍କରଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣାରେ ଉଭୟପକ୍ଷଙ୍କ ଏତାଲକୁ ଗ୍ରହଣ କରି ଥାନାରେ ଦୁଇ ଗୋଟି ମାମଲା ଋଜୁ ହୋଇଥିଲା। ମାତ୍ର ବୀଣାପାଣିଙ୍କୁ ଉକ୍ତ ମାମଲା ଉଠାଇ ଆଣିବା ନେଇ ତାଙ୍କ ଦେଢଶ୍ୱର ଗଣେଶ ଓ ସେହି ଗ୍ରାମର ପଞ୍ଚୁ ଗିରିଙ୍କ ପୁଅ କହ୍ନେଇ ଘରେ ପଶି ଧମକ ଦେବା ପରେ ପୁନର୍ବାର ଏକ ମାମଲା ଋଜୁ ହୋଇଛି। ଅଭିଯୁକ୍ତମାନେ ଖୋଲାଖୋଲି ବୁଲୁଥିବା ବେଳେ ପୁଲିସ ଜାଣିଶୁଣି ଗିରଫ କରୁ ନ ଥିବା ବ୍ଲକ ବିଜେପି ସଭାନେତ୍ରୀ ପଙ୍କଜିନୀ ଲେଙ୍କା ଅଭିଯୋଗ କରିଛନ୍ତି। ଏନେଇ ଥାନାଧିକରୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳ ସେ ଉଭୟପକ୍ଷରୁ ଦୁଇଗୋଟି ମାମଲା ଋଜୁ କରିଥିବା ଓ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *