ଜିଲ୍ଲା ପରିକ୍ରମା

ଭଦ୍ରକ : ଛତ୍ରପଦା ଗାଁବାସୀ ଭୟଭୀତ, ପୁଣି ନଈ ଆଡିବନ୍ଧରେ ଫାଟ

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପୁଣି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍ ବାଲିମେଦ ପଞ୍ଚାୟତ ଛତ୍ରପଦା ଗ୍ରାମବାସୀଙ୍କୁ ମନ୍ତେଇର ଶାଖା ନଈ ଦୁଃଖ ଦେଇଛି। ୨୦ଦିନ ତଳେ ନଈ ବନ୍ଧର ସୁରକ୍ଷା ୱାଲ ଧସି କେତେକ ପରିବାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁଣି ସେହି ବନ୍ଧରେ ଦୁଇଦିନ ତଳେ ବଡ ଫାଟ ସୃଷ୍ଟି ହୋଇଛି। ୧୫ ରୁ ୨୦ ଫୁଟ ଲମ୍ବର ସୃଷ୍ଟି ହୋଇଥିବା ଫାଟକୁ ନେଇ ନଈକୂଳବାସୀ ଭୟଭିତ ହୋଇପଡିଛନ୍ତି। ପ୍ରଶାନ୍ତ ଓ ଦିବାକର ମଲିକଙ୍କ ବାଡିର ନଈ ଆଡିବନ୍ଧରେ ଏହି ଫାଟ ଦେଖାଦେଇଛି। ମନ୍ତେଇ ନଈଟି ବାସୁଦେବପୁର, ତିହିଡି ଓ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀଦେଇ ପ୍ରବାହିତ ହେଉଛି। ନଦୀ ଅବବାହିକାରେ ଏହି ନିର୍ବାଚନ ମଣ୍ଡଳୀଗୁଡିକର ବହୁ ପରିବାର ବସବାସ କରୁଥିବାରୁ ପ୍ରତିଦିନ ମନ୍ତେଇ ନଈର ଜୁଆରମାଡ ଲୋକଙ୍କୁ ଭୟଭିତ କରୁଛି। ଜୁଆର ପାଣି ଶାଖା ନଈଗୁଡିକରେ ପଶି ନଦୀବନ୍ଧକୁ ଦୁର୍ବଳ କରୁଛି। ଜଳସେଚନ ବିଭାଗ ପକ୍ଷରୁ ଛତ୍ର ଦା ଗାଁକୁ ସୁରକ୍ଷା ପାଇଁ ତିଆରି ହୋଇଥିବା ପଥର ବନ୍ଧ ଗତ ମାସ ୧୩ ତାରିଖରେ ଧସି ଯାଇଥିଲା। ଏହାର ପ୍ରଭାବରେ ପ୍ରଶାନ୍ତ ମଲିକଙ୍କ ଘର କ୍ଷତିଗ୍ରସ୍ତ ହୋଇଥିଲା। ଠିକ୍ଭାବେ ପଥରବନ୍ଧ ନିର୍ମାଣ ହୋଇ ନ ଥିବାରୁ ଏହି ଦୁର୍ଘଟଣା ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ ଉଠାଇଥିଲେ। ଏହି ଖବର ବିଭିନ୍ନ ଗଣମା୍ୟମରେ ପ୍ରକାଶ ପାଇବା ପରେ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ(ଏଲଏମବି) ନିରୋଦ କୁମାର ଦାସ, ଅଧିକ୍ଷଣ ଯନ୍ତ୍ରୀ ବିକେ ପାଟ୍ରୋ, ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ମହାଲିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଧୃବନାରାୟଣ ଷଡଙ୍ଗୀ, ସହକାରୀ ଯନ୍ତ୍ରୀ ବେଣୁଧର ସାହୁ, ସ୍ଥାନୀୟ ରାଜସ୍ୱ ବିଭାଗ ସ୍ଥିତି ଅନୁଧ୍ୟାନ କରିଥିଲେ। ଦିନ ତମାମ ବିଭାଗର ବରିଷ୍ଠ ଅଧିକାରୀଙ୍କ ଅନୁଧ୍ୟାନକୁ ନଜର କଲେ ଲାଗୁଥିଲା ଛତ୍ରପଦା ଗାଁର ଦୁଃଖ ଦୂର ହୋଇଯିବ। ହେଲେ ଅଧିକାରୀଙ୍କ ଏହି ପରିଦର୍ଶନକୁ ୨୩ଦିନ ପୁରିଲାଣି; ଆଜିଯାଏ ଧସି ଯାଇଥିବା ପଥର ବନ୍ଧର ମରାମତି ହୋଇପାରୁନି। ଏପଟେ ପଥରବନ୍ଧ ଖସିଯାଇଥିବା ଆଡି ବନ୍ଧରେ ପୁଣି ବଡ ଫାଟସୃଷ୍ଟି ହୋଇଛି। ଆଡିବନ୍ଧର ଏହି ଫାଟକୁ ନେଇ ଛତ୍ରପଦା ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଧସିଯାଇଥିବା ପଥର ବନ୍ଧକୁ ମରାମତି କରିବାରେ ବିଭାଗର ବଳମ୍ବକୁ ନେଇ ପୁଣି ଫାଟ ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପଥରବନ୍ଧ ଧସିବା ବେଳେ ଫାଟ ସୃଷ୍ଟି ହୋଇଥିଲା; ପୂର୍ଣ୍ଣିମା ଜୁଆର ପାଇଁ ଏହି ଫାଟ ଟିକେ ଅଧିକ ହୋଇଯାଇଛି। ଖସିଯାଇଥିବା ସ୍ଥାନରେ ବାଉଁଶ ପୋତା ଯାଇ ବାଲିବସ୍ତା ପକାଇବାର ବ୍ୟବସ୍ଥା କରାଯାଉଛି ବୋଲି ସହକାରୀ ଯନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି। ଜଳସେଚନ ବିଭାଗ ଛତ୍ରପଦା ବାସୀଙ୍କ ଦୁଃଖ କେବେ ଦୂରକରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top